କୋଲକାତା: ମାଟିରେ ମିଶିଛି ଲୋକସଭା ସାଂସଦ ତଥା ତୃଣମୂଳ କଂଗ୍ରେସର ଜାତୀୟ ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କ କାର୍ଯ୍ୟାଳୟ । ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ଆମତଲାଠାରେ ଅଭିଷେକଙ୍କ ଏହି କାର୍ଯ୍ୟାଳୟ ବେଆଇନ ଭାବରେ ନିର୍ମାଣ ହୋଇଥିଲା ବୋଲି ଅଭିଯୋଗ ହୋଇଛି । ଶନିବାର ସକାଳେ ସେହି ସ୍ଥାନରେ ଏକ ବୁଲଡୋଜର ପହଞ୍ଚିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସମଗ୍ର ଅଞ୍ଚଳକୁ ସୁରକ୍ଷା ବଳୟ ମଧ୍ୟରେ ରଖି ଏହି ଉଚ୍ଛେଦ ପ୍ରକ୍ରିୟା କରାଯାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମେ ଜୁନ୍ ୩୦ ତାରିଖରେ ଏହି କାର୍ଯ୍ୟାଳୟକୁ ଏକ ନୋଟିସ ଜାରି କରାଯାଇ ନିର୍ମାଣ ସମ୍ବନ୍ଧୀୟ ଅନୁମତି ପତ୍ର ଓ ଦସ୍ତାବିଜ ଦାଖଲ କରିବାକୁ କୁହାଯାଇଥିଲା। ଏହାପରେ ଜୁଲାଇ ୭ ତାରିଖରେ ଦ୍ୱିତୀୟ ନୋଟିସ ପଠାଯାଇ ଡାଇମଣ୍ଡ ହାର୍ବର ସାଂସଦଙ୍କୁ ଜୁଲାଇ ୧୫ ସୁଦ୍ଧା ଜିଲ୍ଲା ପ୍ରଶାସନ ନିକଟରେ ହାଜର ହୋଇ ଜବାବ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। କୌଣସି ନୋଟିସର ଉତ୍ତର ନମିଳିବାରୁ ପ୍ରଶାସନ ଏହି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଏହି ଘଟଣାକୁ ନେଇ ତୃଣମୂଳ କଂଗ୍ରେସ ବିଜେପି ଉପରେ ତୀବ୍ର ଆକ୍ରମଣ କରି ଏହାକୁ "ପ୍ରତିଶୋଧମୂଳକ ଓ ହିଂସାତ୍ମକ ରାଜନୀତି" ବୋଲି ଅଭିହିତ କରିଛି। ଦଳ ପକ୍ଷରୁ ଜାରି ବ୍ୟାନରରେ କୁହାଯାଇଛି ଯେ, ‘ଏହି ମାମଲାଟି ଅଦାଲତରେ ବିଚାରାଧୀନ ଥିବାବେଳେ ବିଜେପି ଶାସନକୁ ଆସିବା ପରେ ବେଙ୍ଗଲରେ ଏକ ନୂଆ 'ବୁଲଡୋଜର ସଂସ୍କୃତି' ଆରମ୍ଭ ହୋଇଛି, ଯାହା କେବଳ ପ୍ରତିଶୋଧ ଏବଂ ଗୁଣ୍ଡାରାଜ୍ ବ୍ୟତୀତ କିଛି ନୁହେଁ।’

ପଶ୍ଚିମବଙ୍ଗରେ ଦୀର୍ଘ ୧୫ ବର୍ଷ ଶାସନ କରିବା ପରେ ଗତ ନିର୍ବାଚନରେ ଟିଏମସି ମାତ୍ର ୮୦ଟି ଆସନରେ ବିଜୟୀ ହୋଇଥିଲା। ଅନ୍ୟପଟେ ବିଜେପି ୨୦୮ଟି ଆସନ ଜିତିବା ସହ ମମତା ବାନାର୍ଜୀଙ୍କ ପୂର୍ବତନ ସହଯୋଗୀ ଶୁଭେନ୍ଦୁ ଅଧିକାରୀ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ନିର୍ବାଚନରେ ପରାଜୟ ପରେ ଟିଏମସି ମଧ୍ୟରେ ଏବେ ତୀବ୍ର ବିଦ୍ରୋହ ଦେଖାଦେଇଛି। ଦଳର ଅଧିକାଂଶ ବିଧାୟକ ଏବେ ବିଧାନସଭାର ବିରୋଧୀ ଦଳ ନେତା ଋତବ୍ରତ ବାନାର୍ଜୀଙ୍କ ସପକ୍ଷରେ ଥିବାବେଳେ ପ୍ରାୟ ୨୦ ଜଣ ଲୋକସଭା ସାଂସଦ 'ନ୍ୟାସନାଲିଷ୍ଟ ସିଟିଜେନ୍ସ ପାର୍ଟି ଅଫ୍ ଇଣ୍ଡିଆ'ରେ ଯୋଗ ଦେଇଛନ୍ତି। ଏହା ସହ ସୁଖେନ୍ଦୁ ଶେଖର ରାୟ, ସୁସ୍ମିତା ଦେବଙ୍କ ଭଳି ବରିଷ୍ଠ ରାଜ୍ୟସଭା ସାଂସଦମାନେ ମଧ୍ୟ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଛନ୍ତି।