ନୂଆଦିଲ୍ଲୀ, ୧୮ /୦୩: ଜିତିଗଲେ କିମ୍ ଜଙ୍ଗ୍ । ପୁଣି ସମ୍ଭାଳିବେ ଉତ୍ତର କୋରିଆର ମଙ୍ଗ । ଦେଶରେ ନିର୍ବାଚନ ବି ହେଲା । ଅର୍ଥାତ ଭୋଟ୍ ଦେଲେ ଜନତା । କିନ୍ତୁ କିମ୍ ଙ୍କ ଦଳ ଓ୍ୱାର୍କର୍ସ ପାର୍ଟି ପାଇଲା ୯୯ ପ୍ରତିଶତରୁ ଅଧିକ ଭୋଟ୍ । ହେଲେ ମିଳିଲାନି ଶତ ପ୍ରତିଶତ ଭୋଟ୍ । ଯାହାକୁ ନେଇ ନେଟିଜେନ୍ସ ଉଠାଉଛନ୍ତି ପ୍ରଶ୍ନ । କିମ୍ ଙ୍କ ପାର୍ଟିକୁ ଭୋଟ୍ ଦେଇନଥିବା ବ୍ୟକ୍ତିଙ୍କ ଅବସ୍ଥା କଣ ହେବ ତାକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ।

ଉତ୍ତର କୋରିଆର ତାନାଶାହ କିମ୍ ଜଙ୍ଗ୍ । କଥା କଥାରେ ଦିଅନ୍ତି ପରମାଣୁ ବୋମାର ଧମକ । ଆମେରିକାକୁ ଦେଖାନ୍ତି ନାଲିଆଖି । ତେବେ ନିକଟରେ ସରିଛି ଉତ୍ତର କୋରିଆର ନିର୍ବାଚନ । ଦେଶର ୧୫ତମ ସର୍ବୋଚ୍ଚ ନେତା ଭାବେ ସେ ହାସଲ କରିଛନ୍ତି ସଂଖ୍ୟା ଗରିଷ୍ଠତା । ତାଙ୍କ ଦଳକୁ ମିଳିଛି ୯୯.୯୩ ପ୍ରତିଶତ ଭୋଟ୍ । ଯାହା ଅସମ୍ଭବ କଲା ଭଳି ଘଟଣା । କିନ୍ତୁ ଭୟରେ ହେଉ ବା ଚାପରେ ଓ୍ୱାର୍କର୍ସ ପାର୍ଟିକୁ ଭୋଟ୍ ଦେବାକୁ ବାଧ୍ୟ ହୋଇଛନ୍ତି ଉତ୍ତର କୋରିଆର ନାଗରିକ ।

​​​​​​​Also Read :- ଇରାନ-ଆମେରିକା ଯୁଦ୍ଧରେ ୟୁକ୍ରେନର ଏଣ୍ଟ୍ରି ! ମଧ୍ୟପ୍ରାଚ୍ୟକୁ ପଠାଇଲା ୨୦୦ ଡ୍ରୋନ୍ ଏକ୍ସପର୍ଟ୍

ଦେଶରେ ଚଳିତ ଥର ୯୯.୯୯ପ୍ରତିଶତ ମତଦାନ ହୋଇଛି । ଏହାମଧ୍ୟରୁ ଓ୍ୱାର୍କର୍ସ ପାର୍ଟିକୁ ମିଳିଛି ୯୯.୯୩ପ୍ରତିଶତ ଭୋଟ୍ । ଅର୍ଥାତ୦.୦୭ପ୍ରତିଶତ ଭୋଟର କିମଙ୍କୁ ଭୋଟ୍ ଦେଇ ନାହାଁନ୍ତି । ଯାହା ଏବେ ନେଟିଜେନ୍ସଙ୍କୁ ଯୋଗାଇଛି ଚର୍ଚ୍ଚାର ଖୋରାକ । ଏହାକୁ ନେଇ ସେମାନେ ଜୋକ୍ କରୁଛନ୍ତି । କାରଣ ଉତ୍ତର କୋରିଆରେ ସରକାରଙ୍କୁ ପ୍ରଶ୍ନ କଲେ ଜେଲ୍ କିମ୍ବା ମୃତ୍ୟୁଦଣ୍ଡ ମିଳିଥାଏ । କିମଙ୍କୁ ବିରୋଧ କଲେ କଠୋର ଶାସ୍ତିର ବ୍ୟବସ୍ଥା ରହିଛି । ଏହା ଭିତରେ .୦୭ପ୍ରତିଶତ ଭୋଟର ସାହସ କରି କିମଙ୍କୁ ବିରୋଧରେ ମତଦାନ କରିଛନ୍ତି ।

୯୯ ପ୍ରତିଶତ ମତଦାନ

ଉତ୍ତର କୋରିଆ ଗଣମାଧ୍ୟମର ରିପୋର୍ଟ ଅନୁସାରେ,୧୫ତମ ସୁପ୍ରିମ୍ ପିପୁଲ୍ସ ଆସେମ୍ବଲି ପାଇଁ ମତଦାନ ହୋଇଛି । .୦୦୩୭ ପ୍ରତିଶତ ଭୋଟ୍ ଦେଇ ନାହାଁନ୍ତି । ସେମାନେ ବିଦେଶରେ ଅଛନ୍ତି । .୦୦୦୦୩ ପ୍ରତିଶତ ଦେଶରେ ରହି କୌଣସି କାରଣରୁ ଭୋଟ୍ ଦେଇପାରି ନାହାଁନ୍ତି । ବାଲଟ ପେପରରେ ୯୯.୯୩ ପ୍ରତିଶତ କିମଙ୍କ ପ୍ରାର୍ଥୀଙ୍କୁ ସମର୍ଥନ କରିଥିବା ବେଳେ .୦୭ ପ୍ରତିଶତ ସେମାନଙ୍କ ବିରୋଧରେ ଭୋଟ୍ ଦେଇଛନ୍ତି ।

କୁଆଡେ ଗଲେ .୦୭ ପ୍ରତିଶତ ?

.୦୭ ପ୍ରତିଶତ ଭୋଟ୍ ବହୁତ କମ୍ । ପ୍ରଥମ ଥର ପାଇଁ ଉତ୍ତର କୋରିଆରେ ୧୯୫୭ ପରେ କିଛି ଭୋଟର ଓ୍ୱାର୍କର୍ସ ପାର୍ଟି ବିରୋଧରେ ଭୋଟ୍ ଦେଇଛନ୍ତି । କୌଣସି କାରଣରୁ ସେମାନେ କିମଙ୍କ ବିରୋଧରେ ଭୋଟ୍ ଦେଇଥିବା କୁହାଯାଉଛି ।

ଏହାକୁ ନେଇ ନେଟିଜେନ୍ସ କହୁଛନ୍ତି ଯେ, ଏହି .୦୭ ପ୍ରତିଶତ ବ୍ୟକ୍ତି ଉତ୍ତର କୋରିଆର ମୋଷ୍ଟ୍ ଓ୍ୱାଣ୍ଟେଡ୍ ନାଗରିକ । ଆଉ କେହି କେହି ଏଥର ଉତ୍ତର କୋରିଆ ଜନସଂଖ୍ୟା .୦୭ ପ୍ରତିଶତ କମିବ ବୋଲି ମତ ଦେଉଛନ୍ତି । ଆଉ କିଛି ଭଗବାନ .୦୭ ପ୍ରତିଶତ କିମଙ୍କୁ ଭୋଟ୍ ଦେଇନଥିବା ବ୍ୟକ୍ତିଙ୍କୁ ଗ୍ରହଣ କରିବା ପାଇଁ ପ୍ରସ୍ତୁତ ଥିବା ପ୍ରକାଶ କରିଛନ୍ତି ।