ନୂଆଦିଲ୍ଲୀ: ସୀମା ଟପିଲା ଶାଶୁ ନଣନ୍ଦଙ୍କ ଅତ୍ୟାଚାର। ବାଧ୍ୟ ହୋଇ ନେଲେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି। ହେଲେ ଆତ୍ମହତ୍ୟା ପୂର୍ବରୁ ସୋସିଆଲ ମିଡିଆରେ କହିଥିବା କାରଣ ଏବେ ସ୍ଥାନୀୟ ଅଞ୍ଚଳରେ ଖୁବ୍ ଚର୍ଚ୍ଚାରେ। ପାରିବାରିକ କଳହକୁ ନେଇ ଜଣେ ମହିଳା ତାଙ୍କ ମାଆ ଓ ଝିଅ ସହ ଆତ୍ମହତ୍ୟା କରିବା ଘଟଣା ସାମ୍ନାକୁ ଆସିଛି ଗୁଜରାଟରୁ ।

ସୂଚନା ଅନୁସାରେ, ପାରିବାରିକ କଳହକୁ ନେଇ ଗାନ୍ଧୀନଗର ଜିଲ୍ଲାର କଲୋଲ ତାଲୁକାର ପିୟାଜ ଗାଁ ନିକଟ ନର୍ମଦା କେନାଲକୁ ଡେଇଁ ତିନି ଜଣ ଆତ୍ମହତ୍ୟା କରିଛନ୍ତି। ମୃତକଙ୍କ ମଧ୍ୟରେ ଅଛନ୍ତି ଜଣେ ବିବାହିତ ମହିଳା ନେହା ପ୍ରଜାପତି, ତାଙ୍କ ମାଆ ସଙ୍ଗୀତା ପ୍ରଜାପତି ଏବଂ ଝିଅ ପିହଲ। ଗୁରୁବାର ସକାଳେ ହାତ ଏବଂ ଗୋଡ଼ ବନ୍ଧା ହୋଇଥିବା ଅବସ୍ଥାରେ ନର୍ମଦା କେନାଲରୁ ସେମାନଙ୍କ ମୃତ ଉଦ୍ଧାର କରାଯାଇଛି। ସୂଚନା ପାଇ ପୋଲିସ ସଙ୍ଗେ ସଙ୍ଗେ ଘଟଣାସ୍ଥଳରେ ପହଞ୍ଚି ତିନିଟି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ତଦନ୍ତ ଆରମ୍ଭ କରିଥିଲା ।

ପ୍ରାଥମିକ ତଦନ୍ତ ରିପୋର୍ଟ ଅନୁସାରେ, ନେହାଙ୍କୁ ତାଙ୍କ ଶାଶୁ ଏବଂ ନଣନ୍ଦ ଅତ୍ୟାଚାର କରୁଥିଲେ। ଯେଉଁ କାରଣରୁ ସେ ଆତ୍ମହତ୍ୟା କରିଛନ୍ତି। ବଡ଼ କଥା ହେଲା ଏହି ଚରମ ନିଷ୍ପତ୍ତି ନେବା ପୂର୍ବରୁ ନେହା ସୋସିଆଲ ମିଡିଆରେ ନିଜ ଦୁଃଖ ପ୍ରକାଶ କରିଥିଲେ। ଏକ ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି, ଶାଶୁ ଏବଂ ନଣଦଙ୍କ ଅତ୍ୟାଚାର ଯୋଗୁ ସେ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛନ୍ତି। ନେହା ଆହୁରି କହିଛନ୍ତି, ମତେ ହଇରାଣ କରିବାକୁ ନଣନ୍ଦ ଶାଶୁଙ୍କୁ ଉସ୍କାଉଥିଲେ।

Also Read: ବାଇକ୍ ଶୋ' ରୁମରେ ନିଆଁ, ମାତ୍ର କିଛି ମିନିଟରେ ସବୁ କିଛି ପାଉଁଶ

ତେବେ ସେ ସୋସିଆଲ ମିଡିଆ ପୋଷ୍ଟରେ ସ୍ପଷ୍ଟ କରିଛନ୍ତି ଯେ, ତାଙ୍କ ଆତ୍ମହତ୍ୟା ପାଇଁ ସ୍ବାମୀ ଦୀପକ, କାକା ଅଜୟ ଏବଂ ଗୋର୍ଦ୍ଧନ ଭାଇ ଦାୟୀ ନୁହେଁ। ଏହା ସହ ସେ ଦୀପକଙ୍କୁ କ୍ଷମା ମଧ୍ୟ ମାଗିଥିଲେ। ବର୍ତ୍ତମାନ କଲୋଲ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ପୋଲିସ ସୋସିଆଲ ମିଡିଆ ପୋଷ୍ଟକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି।