ସାଲେପୁର: କଟକ ଚାନ୍ଦବାଲି ରାସ୍ତା ସାଲେପୁର ଥାନା କୁଳିଆ ବଜାରରେ ଭୟଙ୍କର ଦୁର୍ଘଟଣା । ବାଇକକୁ ଧକ୍କା ଦେଇ ଦୋକାନ ଭିତରକୁ ପଶିଗଲା ଟାଟା ଏସ ଗାଡ଼ି । ଧକ୍କାରେ ବାଇକରେ ଯାଉଥିବା ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ସେହିଭଳି ଟାଟା ଏସ ଡ୍ରାଇଭର ମଧ୍ୟ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ସୂଚନା ଅନୁସାରେ, କେନ୍ଦ୍ରାପଡ଼ା କାକଟଛକ ଅଞ୍ଚଳର ପଦ୍ମଚରଣ ବେହେରା ଏବଂ ତାଙ୍କ ପୁଅ ଚନ୍ଦନ ବେହେରା ବାଇକ୍ ଯୋଗେ କୌଣସି କାମରେ ଯାଉଥିଲେ । ଏହି ସମୟରେ କୁଳିଆ ବଜାର ନିକଟରେ ତାଙ୍କ ବାଇକକୁ ଧକ୍କା ଦେଇଥିଲା ଏକ ଟାଟା ଏସ । ଏଥିରେ ଘଟଣାସ୍ଥଳରେ ପଦ୍ମଚରଣଙ୍କର ମୃତ୍ୟୁ ହୋଇଥିଲା ବେଳେ, ଚନ୍ଦନ ଗୁରୁତର ଆହତ ହୋଇଥିଲେ । ଆହୁରି ମଧ୍ୟ ବାଇକକୁ ଧକ୍କା ଦେଇ ଗାଡ଼ିଟି ଏକ ଦୋକାନ ଭିତରକୁ ପଶିଯିବାରୁ ଏଥିରେ ଟାଟା ଏସି ଡ୍ରାଇଭର ରମେଶ ନାୟକ ଗାଡ଼ି ଭିତରେ ଚାପି ହୋଇ ଯାଇଥିଲେ।

Also Read: କୁଖ୍ୟାତ ଡକାୟତ ଘରେ ବୁଲଡୋଜର ଆକ୍ସନ, ସରକାରୀ ଜମି ଜବରଦଖଲ ଅଭିଯୋଗରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ

ତେବେ ସ୍ଥାନୀୟ ଲୋକେ ଓ ପୋଲିସ ଟାଟା ଏସ ଗାଡିକୁ କାଟି ଡ୍ରାଇଭର ରମେଶ ନାୟକକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲା। ରମେଶ ନାୟକଙ୍କ ଘର ପୁରୀ ଚନ୍ଦନପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ତେବେ ପୋଲିସ ଗୁରୁତର ଦୁଇଜଣକୁ ଉଦ୍ଧାରକରି ସାଲେପୁର ମେଡିକାଲ ଓ ପରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବାଇକ ଓ ଟାଟା ଏସ ଗାଡିକୁ ସାଲେପୁର ଆଦର୍ଶଥାନା ପୋଲିସ ଜବତ କରି ତଦନ୍ତ କରୁଥିବା ନେଇ ସୂଚନା ମିଳିଛି।