ନବରଙ୍ଗପୁର: ସରକାରୀ ଜମି ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ କରିଥିବା ଅଭିଯୋଗରେ ପ୍ରଶାସନର ବଡ଼ କାର୍ଯ୍ୟାନୁଷ୍ଠାନ । କୁଖ୍ୟାତ ଡକାୟତ ଟୁନା ହରିଜନଙ୍କ ଘରେ ଚାଲିଲା ବୁଲଡୋଜର । କାର୍ଯ୍ୟାନୁଷ୍ଠାନ ନେଇ ନବରଙ୍ଗପୁର ତହସିଲ ଅନ୍ତର୍ଗତ ସାନକୁସୁମୀ ଗାଁରେ ଟୁନା ହରିଜନଙ୍କ ଘର ଓ ଷ୍ଟଲ୍ ଭାଙ୍ଗିଲା ପ୍ରଶାସନ । ପୂର୍ବରୁ ନୋଟିସ୍ ଜାରି କରାଯାଇଥିବା ବେଳେ ଶନିବାର ବୁଲଡୋଜର ଉଚ୍ଛେଦ କରାଯାଇଛି ।

ସୂଚନା ଅନୁସାରେ, ସାନକୁସୁମୀ ଗ୍ରାମରେ ଖାତା ନମ୍ବର ୩୦୪ ଓ ପ୍ଲଟ୍ ନମ୍ବର ୨୫ରେ ମୋଟ୍ ୪୫ ସେଣ୍ଟ ସରକାରୀ ଜମି ରହିଛି । ଏହି ଜମିରୁ ୧୦ ସେଣ୍ଟ ଜବରଦଖଲ କରି ଘର ଓ ଷ୍ଟଲ୍ ନିର୍ମାଣ କରାଯାଇଥିବା ଅଭିଯୋଗ ରହିଛି । ପ୍ରଥମେ ପ୍ରଶାସନ ପକ୍ଷରୁ ୩୦ ଦିନିଆ ନୋଟିସ୍ ଦିଆଯାଇଥିଲା । ପରେ ଗତ ସେପ୍ଟେମ୍ବର ୨୯ ତାରିଖରେ ଜାରି ହୋଇଥିଲା ୩ ଦିନିଆ ନୋଟିସ୍ । ଏହାପରେ ବୁଲଡୋଜର ଲଗାଇ ଜବରଦଖଲ ଉଚ୍ଛେଦ କରିଛି ପ୍ରଶାସନ । ଅବଶ୍ୟ ଉଚ୍ଛେଦ ବେଳେ ଟୁନାଙ୍କ ପରିବାର ଲୋକେ ବିରୋଧ କରିଥିଲେ । ତେଣୁ ଘଟଣାସ୍ଥଳରେ ମହିଳା ପୋଲିସଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

ଅନ୍ୟପଟେ ଉଚ୍ଛେଦ କାର୍ଯ୍ୟ ଜାରି ରହିଥିବାରୁ ନବରଙ୍ଗପୁର ଉପଜିଲ୍ଲାପାଳ, ତହସିଲଦାର, ରାଜସ୍ୱ ନିରୀକ୍ଷକଙ୍କ ସମେତ ପୋଲିସ ଅଧିକାରୀ ଉପସ୍ଥିତ ରହିଛନ୍ତି । ସମ୍ଭାବ୍ୟ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଗୋଟିଏ ପ୍ଲାଟୁନ୍ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Also Read: ବଡ଼ବିଲରେ ଚାଞ୍ଚଲ୍ୟ; ପତ୍ନୀଙ୍କୁ ଆକ୍ରମଣ ପରେ ପହଞ୍ଚିଲେ ଭାଇ, ଯୁକ୍ତିତର୍କରୁ ଭିଣୋଇଙ୍କ ମୃତ୍ୟୁ

ଉଲ୍ଲେଖଯୋଗ୍ୟ, ଟୁନା ହରିଜନ ବର୍ତ୍ତମାନ ଜେଲରେ । ତାଙ୍କ ନାଁରେ ଅବିଭକ୍ତ କୋରାପୁଟ, କଳାହାଣ୍ଡି ଏବଂ ଛତିଶଗଡ଼ର ଜଗଦଲପୁର ଅଞ୍ଚଳରେ ଡକାୟତି ଓ ଚୋରି ସମେତ ୪୦ରୁ ଅଧିକ ମାମଲା ଥିବା କୁହାଯାଉଛି । ନିକଟରେ କୋରାପୁଟ ଜିଲ୍ଲାର ବୋରିଗୁମ୍ମା ପୋଲିସ ପାଟ୍ରୋଲିଂ ଗାଡ଼ି ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ମଧ୍ୟ ତାଙ୍କ ନାଁରେ ରହିଛି । ଏହାପରେ ଛତିଶଗଡ଼ର ଜଗଦଲପୁରରେ ବୋରିଗୁମ୍ମା ପୋଲିସ ଟୁନା ହରିଜନ ଓ ତାଙ୍କ ୩ ଜଣ ସହଯୋଗୀଙ୍କୁ ଗିରଫ କରିବା ସହ ଟୁନା ହରିଜନ ଓ ତାଙ୍କ ଗ୍ୟାଙ୍କ ଠାରୁ ନଗଦ ୫୦ ହଜାର ଟଙ୍କା, ୨୬୦ ଗ୍ରାମ ସୁନା, କେଜି ୧୦୦ ଗ୍ରାମ ରୁପା ସହ ଗୋଟିଏ ବୋଲେରୋ ଗାଡ଼ି ଓ ଗୋଟିଏ ମାରୁତି କାର୍ ସହ ବିଭିନ୍ନ ମାରଣାସ୍ତ୍ର ଓ ଗୋଟିଏ ଦେଶୀ ବନ୍ଧୁକ, ୨୦ଟି ଜୀବନ୍ତ ଗୁଳି ଜବତ କରିଥିଲା ପୋଲିସ ।