Inspiring Story : ପ୍ରକୃତ ଖୁସି କେଉଁଠି ... ବଡ଼ ବଡ଼ ସେଲିବ୍ରେସନ, ବଡ଼ କିଛି ପାଇବାରେ, ବଡ଼ କିଛି ଜିତିବାରେ, ପରୀକ୍ଷାରେ ପାସ୍ କିମ୍ବା ଖେଳରେ ଜିତ୍। କିମ୍ବା ଅବିଶ୍ୱସନୀୟ ପ୍ରାପ୍ତି, ଟଙ୍କା , ସମ୍ପତ୍ତିର ଖୁସି... ଏମିତି ଇତ୍ୟାଦି ଇତ୍ୟାଦି ଯାହା... ଠିକ୍ କହିଲି ନା । ନା ପୂରା ଭୁଲ୍ । ପ୍ରକୃତ ଖୁସି ଏସବୁରୁ ମିଳେନି। ଇଏ ତ ସେହି ଛୋଟ ଛୋଟ ମୁହୂର୍ତ୍ତରେ ଲୁଚି ରହିଥାଏ। ଯେଉଁଠି ସମ୍ପର୍କରେ ଶ୍ରଦ୍ଧା, ସରଳତା ଏବଂ ସମ୍ମାନ ରହିଛି। ସେମିତି କିଛି ମୁହୂର୍ତ୍ତ ପ୍ରକୃତରେ ଜୀବନକୁ ସ୍ୱତନ୍ତ୍ର କରିଥାଏ ଆଉ ସେହି ଅନୁଭୂତି ସବୁବେଳେ ରହିଥାଏ ଖାସ୍। ଏତେ କଥା ଏଠି କହିବାର ଅର୍ଥ ହେଉଛି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓ। ଯେଉଁଠି ଜଣେ ବାପା- ଝିଅର ସଂପର୍କର ସୁନ୍ଦରତାକୁ ଅତି ସରଳ ଓ ସୁନ୍ଦର ଭାବରେ ଦର୍ଶାଯାଇଛି।

ଇଣ୍ଟରନେଟରେ ଅନେକ ସମୟରେ ନାନା ପ୍ରକାରର ଭିଡିଓ ଭାଇରାଲ୍ ହୋଇଥାଏ। ସେଥିମଧ୍ୟରୁ କିଛି ଭିଡିଓ କିନ୍ତୁ ଆମ ମନକୁ ଛୁଇଁଯାଏ। ଇନଷ୍ଟାଗ୍ରାମରେ ସେମିତି ଜଣେ ବାପା-ଝିଅଙ୍କ ଭିଡିଓ ଭାଇରାଲ୍ ହୋଇଛି। ଯାହା ଇଣ୍ଟନେଟ୍ ୟୁଜରଙ୍କୁ ଛୁଇଁଛି। ଭିଡିଓରେ ଜଣେ ବାପା ତାଙ୍କ ଝିଅକୁ ସ୍କୁଲରୁ ଘରକୁ ନେଇ ଯାଉଛନ୍ତି। ଆଉ ସେମାନଙ୍କ ପରିବହନର ମାଧ୍ୟମ କେଉଁ ବିଳାସପୂର୍ଣ୍ଣ କାର ନୁହେଁ। ବାଇକ୍ ବି ନୁହେଁ। ତାହା ଏକ ପୁରୁଣା ସାଇକେଲ୍। ତଥାପି, ଏଥିରେ ବସିଥିବା ଛୋଟ ଝିଅଟିର ଥାଟ୍ କେଉଁ ପରୀଠୁ ନଥିଲା କମ୍ । ବିଜୟିନୀ ପରି ତାର ଠାଣି।

ଭିଡିଓରେ ନଜର ଆସୁଥିବା ଏ ଦୃଶ୍ୟ ସାଧାରଣ ଲାଗିପରେ । କିନ୍ତୁ ବୁଝିବା ଲୋକଙ୍କ ପାଇଁ ଏହାକୁ ମୂଲ୍ୟାୟନ କରାଯାଇପାରେ। ଜଣେ ବାପା ତାଙ୍କ ଝିଅକୁ ସାଇକେଲରେ ବସାଇ ସ୍କୁଲରୁ ଘରକୁ ଆଣୁଛନ୍ତି। ଝିଅଟି ପିନ୍ଧିଛି ତା ସ୍କୁଲ ୟୁନିଫର୍ମ , ମୁଣ୍ଡରେ ପିନ୍ଧିଛି 'ସ୍ନାତକୋତ୍ତର ଟୋପି'। କ୍ୟାମେରା ତାଉପରେ ପଡ଼ିବା ମାତ୍ରେ, ସେ ଗର୍ବର ସହିତ ନିଜ ବେକରେ ପକାଇ ଥିବା ପଦକକୁ ଦେଖାଉଛି। ଆଉ କହୁଛି , "ମୁଁ ପଦକ ବି ଜିତିଛି "। ତା ଆଖିର ଚମକ ଏବଂ ମୁହଁର ଉଜ୍ଜ୍ୱଳତା। ଯାହା ପ୍ରକାଶ କରୁଛି ଯେ, ଏହି ଛୋଟ ବିଜୟ ସମଗ୍ର ବ୍ରହ୍ମାଣ୍ଡକୁ ଜୟ କରିବା ସହିତ ସମାନ। ଆଉ ଏହି ସମୟରେ ବାପାଙ୍କ ମୁହଁର ସେହି ହସ ବୟାନ କରୁଛି, ଝିଅ ପାଇଁ ତାଙ୍କର ଖୁସି ଆଉ ଗର୍ବ। ଝିଅର ସେହି ଛୋଟିଆ ଖୁସି ବାପା ପାଇଁ ଏକ ବଡ଼ ଗର୍ବର ମୁହୂର୍ତ୍ତ। ଯଦିଓ ବାପାଙ୍କ ପାଖରେ ସେତିକି ଅର୍ଥ ନାହିଁ କି ସେ ବିଳାସପୂର୍ଣ୍ଣ ଜୀବନ ବଞ୍ଚୁ ନାହାନ୍ତି । କିନ୍ତୁ ତାଙ୍କର ସେହି ହସ ଓ ଖୁସି ବୟାନ କରୁଛି, ତାଙ୍କ ଝିଅର ଖୁସି ହିଁ ତାଙ୍କର ପ୍ରକୃତ ସମ୍ପତ୍ତି। ଏଥିରେ ଦେଖାଇବା ପାଇଁ କେଉଁ ଦାମୀ ଜିନିଷ ନାହିଁ । କେବଳ ଏକ ପୁରୁଣା ସାଇକେଲ୍ , ଟିକିଏ ପରିଶ୍ରମ, ଅନେକ ବିଶ୍ୱାସ, ବହୁତ ଅଧିକ ଶ୍ରଦ୍ଧା ଓ ପ୍ରେମ।

ଏବେ ତ ଦେଖା ଶିଖା ଦୁନିଆ। ଯେଉଁଠାରେ ଲୋକମାନେ ପ୍ରତ୍ୟେକ ଛୋଟ ଛୋଟ ସଫଳତାକୁ ବି ସେଲିବ୍ରେଟ୍ କରିବାକୁ ଭୁଲୁ ନାହାନ୍ତି। କିନ୍ତୁ ଏଠି ଜଣେ ବାପାଙ୍କ ନମ୍ର ଆଚରଣରେ ରହିଛି ବଡ଼ ଖୁସିର ଝଲକ୍। କୌଣସି ଫିଲ୍ଟର ନାହିଁ, କୌଣସି ବାହାନା ନାହିଁ କି ଦେଖେଇ ହେବାର ନାହିଁ । କେବଳ ଜଣେ ବାପାଙ୍କୁ ଝିଅର ସଫଳତା କରିଛି ଗର୍ବିତ। ଏହି ଛୋଟ ମୁହୂର୍ତ୍ତଟି ଏବେ ଇଣ୍ଟରନେଟରେ ଭାଇରାଲ୍। ଜିଣୁଛି ଲକ୍ଷ ଲକ୍ଷ ଲୋକଙ୍କ ହୃଦୟ । ଭିଡିଓକୁ ଇନଷ୍ଟାଗ୍ରାମରେ ସେଆର୍ କରାଯାଇଛି। ଯାହାକୁ ଦେଖିବା ସହ ଲାଇକ୍ ସେଆର ବି କରାଯାଉଛି। ସୋସିଆଲ୍ ମିଡିଆ ୟୁଜର ଏହାକୁ ଦେଖି ଖୁସିରେ ଭାବ ବିହ୍ୱଳ ହେବା ସହ ନାନା କମେଣ୍ଟ ବି କରୁଛନ୍ତି। ଜଣେ ଲେଖିଛନ୍ତି "ପ୍ରକୃତ ଖୁସି ବଜାରରେ ମିଳେ ନାହିଁ, ବରଂ ଏହି ଛୋଟ, ସରଳ ମୁହୂର୍ତ୍ତରେ ମିଳେ।" ଆଉ ଜଣେ ଲେଖିଛନ୍ତି ଏହି ଭିଡିଓ ସେମାନଙ୍କୁ ପିଲାଦିନର ସ୍ମୃତିକୁ ମନେ ପକାଇ ଦେଇଛି।

Also Read- Inspiring Story : ସେହି କାଳ ରାତି, ମନେ ପଡ଼ିଲେ ଛାତି ଥରି ଉଠେ... କିନ୍ତୁ ଅଘଟଣ ଓ ଦୁର୍ଘଟଣାରୁ ଜନ୍ମ ନେଇଥିଲା ନୂଆ ଓ ପବିତ୍ର ସଂପର୍କ

ଏହି ଦୃଶ୍ୟ କେବଳ ଏକ ଭିଡିଓ କ୍ଲିପ୍ ନୁହେଁ। ଏହା ସେମାନଙ୍କ ପାଇଁ ବି ଶିକ୍ଷା ଯିଏ ଧନ ସମ୍ପତ୍ତିକୁ ଖୁସିର ମାପଦଣ୍ଡ କରନ୍ତି। ସୁନ୍ଦର ହସ ଏବଂ ସାଇକେଲ ଚଲାଇବା ସମୟରେ ବାପାଙ୍କ ଯତ୍ନ ଓ ସୁରକ୍ଷାର ଆଙ୍କିଛି ଏକ ସୁନ୍ଦର ଚିତ୍ର । ଏହି ଭିଡିଓ ଆମକୁ ଦର୍ଶାଇଛି ଯେ ପିଲାମାନଙ୍କୁ ପ୍ରକୃତରେ ମହଙ୍ଗା ଖେଳଣା, ନୁହେଁ, ବରଂ ବାପାମାଆଙ୍କ ସମୟ, ସ୍ନେହ, ପ୍ରେରଣା ଏବଂ ଉତ୍ସାହ ଦରକାର। ଏହି ଭାଇରାଲ ଭିଡିଓଟି ପ୍ରମାଣ କରୁଛି ଯେ ଯଦି ଆପଣ ପ୍ରକୃତ ଖୁସି ଚାହାନ୍ତି ତାହେଲେ ଏକ ଭଙ୍ଗା ସାଇକେଲ ମଧ୍ୟ ଆପଣଙ୍କୁ ସେହି ଖୁସି ପାଇ ପାରିବ। ଆଉ ଝିଅର ସଫଳତା ବାପା ପାଇଁ କେଉଁ ବଡ଼ ଉପହାରଠୁ କମ୍ ନୁହେଁ।