ଉତ୍ତରପ୍ରଦେଶ : ପରିସ୍ଥିତି... ଭାଗ୍ୟ ... ଭଗବାନ... ଏସବୁ ପରସ୍ପର ସହ ଜଡ଼ିତ। ତେବେ ସମୟ ସବୁଠୁ ବଳବାନ । କେମିତି, କିପରି, କେତେବେଳେ ପରିସ୍ଥିତି କଣ ହେବ ସେ କଥା କିଏ ବା କହିପାରିବ ? ଆଉ ସବୁ ତ ବିଧିର ଖେଳ। ଏସବୁ ଭିତରେ ବିଶ୍ବ ନିୟନ୍ତା ହିଁ ଏକ ମାତ୍ର ସାହା ଭରସା। ଏ ଖବର ଟି ଏକ କାହାଣୀ ଭଳି ହୋଇପାରେ । କିନ୍ତୁ ଏକ ସତ କାହାଣୀ …ଏହାକୁ ଜାଣିବା , ଶୁଣିବା ତାପରେ ନିର୍ଯ୍ୟାଶ କୁ ଯିବା...

ଉତ୍ତର ପ୍ରଦେଶର ହରଦୟାଲପୁର ଗାଁ । ପିଲିଭୀଟ -ତନାକପୁର ରାସ୍ତା ପାର୍ଶ୍ବରେ ଅବସ୍ଥିତ ଏହି ଗାଁ ଟି ଘଞ୍ଚ ଜଙ୍ଗଲ ପରିବେଷ୍ଟିତ । ଗାଁ ଶେଷ ମୁଣ୍ଡର ଏକ କୁଡ଼ିଆ ଘରେ ରୁହନ୍ତି ସାବିତ୍ରୀ ଦେବୀ ଓ ତାଙ୍କର ୧୭ ବର୍ଷୀୟ ଝିଅ କିରଣ। ଏହି ଘଟଣା ସମୟର ଚାରି ବର୍ଷ ପୂର୍ବରୁ ସ୍ବାମୀଙ୍କୁ ହରାଇଥିଲେ ସାବିତ୍ରୀ ଦେବୀ । ଆଉ ସେହି ଗାଁରେ ମା' ଏବଂ ଝିଅ ପରସ୍ପରର ସାହାର ହୋଇ ଏକାଠି ଦିନ କାଟୁଥିଲେ। ସବୁ ଠିକ୍ ଠାକ୍ଚାଲିଥିଲା , ଜମି ବାଡିରୁ ଯାହା କିଛି ମିଲୁଥିଲା ସେତିକିରେ ମା-ଝିଅ ଚଳିଯାଉଥିଲେ । କୁଡିଆ ଗରେ ବି ଶାନ୍ତିରେ ଥିଲେ । କିନ୍ତୁ ହଠାତ୍ ଆସିଲା ଅଘଟଣର ଦିନଟିଏ । ମା-ଝିଅ ରାତିରେ ଶୋଇଥିବା ବେଳେ, କିଛି ଦୁର୍ବୃତ୍ତ ସେମାନଙ୍କ ଘରେ ପଶିଲେ କଲେ ଆକ୍ରମଣ ।

ସେତେବେଳେ ସମୟ ହେବ ପାଖାପାଖି ରାତି ସାଢେ ଗୋଟାଏ । ଦୁର୍ବୃତ୍ତମାନେ ସାବିତ୍ରୀ ଦେବୀଙ୍କୁ ମାଡ ମାରି କିରଣକୁ ଉଠାଇନେଲେ ।ମାଆର ଆକୁଳ ନିବେଦନଶୁଣିଲେନି , ଝିଅଟିକୁ ଜୋରଜବରଦସ୍ତ ଜଙ୍ଗଲକୁ ଟାଣି ନେଇ ଯାଇଥିଲେ। ଦୁର୍ବୃତ୍ତଙ୍କ ମୁକାବିଲା କରିନପାରି ବିଚରା କିରଣ ଚିତ୍କାର କରୁଥିଲା ସାହାଯ୍ୟ ପାଇଁ । ଖସି ଯିବାକୁ ବି ଖୁବ୍ ଚେଷ୍ଟା କରୁଥିଲା , କିନ୍ତୁ ଖସି ପାରୁ ନଥିଲେ। ତେବେ ଦୁର୍ବୃତ୍ତମାନେ କିରଣକୁ ଅସଦାଚରମ କରିବା ପୂର୍ବରୁ ହଠାତ୍ ଦେବଦୂତ ଭଳି ସେଠାରେ ପହଞ୍ଚିଥିଲେ ଜଣେ ବ୍ୟକ୍ତି । କରିଣର ଚିତ୍କାର ଶୁଣି ସେଠାରେ ପହଞ୍ଚିଥିବା ବ୍ୟକ୍ତି ଜଣକ ଥିଲେ ଜଣେ ଟ୍ରକ ଚାଳକ । ନାମ ତାଙ୍କର ଅସଲମ୍। ଜଣେ ଟ୍ରକ୍ ଚଳାଇ ଜଙ୍ଗଲ ପାର୍ଶ୍ବ ରାସ୍ତାରେ ଯାଉଥିବା ବେଳେ ଏକ ଝିଅର ଆକୁଳ ଚିତ୍କାର ତାଙ୍କ କାନରେ ବାଜିଥିଲା । ଝିଅଟି ବିପଦରେ ପଡିଥିବା ଆଶଙ୍କା କରି ସେ ଟ୍ରକ ଅଟକାଇ ଜଙ୍ଗଲ ଭିତରକୁ ଦୌଡି ଆସିଥିଲେ ଷ ସାଙ୍ଗରେ ଥିଲେ ତାଙ୍କର ଜଣେ ବନ୍ଧୁ । ସେଠାରେ ସେ ଯାହା ଦେଖିଲେ ତାହା ପ୍ରକୃତରେ ଥିଲା ଭୟଙ୍କର ।

ଦୁଇଜଣ ଦୁର୍ବୃତ୍ତ ଝିଅଟିକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଥିଲେ। ବିଳମ୍ବ ନ କରି ଅସଲାମ୍ ଜଣେ ଦୁର୍ବୃତ୍ତକୁ ଧରି ପକାଇଥିଲେ। କିନ୍ତୁ ଏହି ସମୟରେ ଅନ୍ୟ ଜଣେ ଦୁର୍ବୃତ୍ତ ତାଙ୍କ ମୁଣ୍ଡ ପଛ ପଟେ ଆଘାତ ଦେଇଥିଲା। ଯାହା ଫଳରେ ସେ ଗୁରୁତର ଆହତ ହେଲେ। ଯନ୍ତ୍ରଣା ସତ୍ତ୍ବେ , ଅସଲମ୍ କିରଣଙ୍କୁ ବଞ୍ଚାଇବା ପାଇଁ ଲଢ଼ି ଚାଲିଲେ। ଅସଲମ୍ଙ୍କ ବନ୍ଧୁ ମଧ୍ୟ କିରଣଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ଆହତ ହୋଇଥିଲେ। ତଥାପି ସେମାନେ ସାହସର ସହିତ ଦୁର୍ବୃତ୍ତମାନଙ୍କୁ ମୁକାବିଲା କଲେ। ଶେଷରେ ଦୁଇ ଦୂର୍ବୃତ୍ତ ଘଟଣାସ୍ଥଳରୁ ଦୌଡି ପଳାଇଥିଲେ । ଅସଲମ୍ଙ୍କ ସାହସିକତା ଯୋଗୁଁ କିରଣଙ୍କ ଜୀବନ ରକ୍ଷା ପାଇଲା। ତଥାପି, ଅସଲମ୍ ଗୁରୁତର ଆହତ ହୋଇଥିଲେ ଏବଂ ତାଙ୍କୁ କିଛି ଦିନ ପାଇଁ ଡାକ୍ତରଖାନାରେ ରହିବାକୁ ପଡ଼ିଲା। ସୁସ୍ଥ ହେବା ପରେ, ସାବିତ୍ରୀ ଏବଂ କିରଣଙ୍କ ସହ ସାକ୍ଷାତ କରିଥିଲେ ଅସଲମ୍ ଓ ତାଙ୍କ ବନ୍ଧୁ । କିରଣ ସୁରକ୍ଷିତ ଥିଲେ ଆଉ ସାବିତ୍ରୀ ଦେବୀ ମଧ୍ୟ ଆଶ୍ବସ୍ତ । କାରଣ ସେଦିନ ଯଦି ଅସଲମ୍ ନଥାନ୍ତେ କଣ ହୋଇଥାନ୍ତା ସେ କଥା ନ କହିବା ଭଲ। ଆପଣ ଭାବୁ ଥିବେ ଏଇଠି ସରିଲା ଘଟଣାଟି .. ଯେଝା ବାଟରେ ଯିଏ ରହିଲେ।କିନ୍ତୁ ନା…

ସମୟ ଓ ଭାଗ୍ୟ ତ ସେଇଠି ଅଟକି ନଥିଲା । ସେହି କାଲ ରାତ୍ରୀର ପ୍ରାୟ ଚାରି ବର୍ଷ ପରେ ଘଟିଲା ଏକ ଘଟଣା । ହରଦୟାଲପୁର ଗାଁ ଏବଂ ସେହି ଜଙ୍ଗଲ ପାଖ ରାସ୍ତା ଦେଇ ଯାଉଥିଲେ ଅସଲମ୍। ହଠାତ୍ ତାଙ୍କ ଟ୍ରକ୍ ରେ ଲାଗିଗଲା ନିଆଁ। ସାବିତ୍ରୀଙ୍କ ଘରଠାରୁ ପ୍ରାୟ ଏକ କିଲୋମିଟର ଦୂରରେ ଏକ ଘାଟିରେ ପଡ଼ି ଯାଇଥିଲା ଟ୍ରକଟି । ରାତିରେ ଟ୍ରକ ଜଳିବା ଏବଂ ଚିତ୍କାର ଶୁଣି ସାବିତ୍ରୀ ଏବଂ କିରଣ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ । ସେମାନେ ସାହସର ସହ ଅସଲମକୁ ଉଦ୍ଧାର କଲେ । କିନ୍ତୁ ଅସଲାମ ଥିଲେ ଆହତ ଏବଂ ଚେତାଶୂନ୍ୟ । ତାଙ୍କୁ ଚିହ୍ନି ପାରିନଥିଲେ ସାବିତ୍ରୀ ଦେବୀ କିମ୍ବା କିରଣ । ମାନବିକତାର ଗୁଣରେ ସେମାନେ ଅସଲାମଙ୍କ ଯତ୍ନ ନେଇଥିଲେ । ତାଙ୍କ ଚିକିତ୍ସା ପାଇଁ ସେମାନେ ଜଣେ ଡାକ୍ତରଙ୍କୁ ବି ଡକାଇଲେ। ତେବେ ଏହାପରେ ହିଁ ଅଧିକ ସୁନ୍ଦର ଘଟଣା ଘଟିଲା ।

ଯେତେବେଳେ ଅସଲମଙ୍କ ଚେତା ଫେରିଲା, ସେ କିରଣକୁ ଚିହ୍ନି ପାରିଲେ । ଆଉ ପଚାରିଲେ, ତମେ କଣ ସେହି ଝିଅ ଯାହାକୁ ରକ୍ଷା କରିବାକୁ ଜଙ୍ଗଲରେ ଗୁଣ୍ଡାମାନଙ୍କ ସହ ମୁଁ ଓ ମୋ ସାଙ୍ଗ ଲଢିଥିଲୁ ? ଏହା ଶୁଣି କିରଣ ମଧ୍ୟ ତାଙ୍କୁ ଚିହ୍ନିପାରିଲେ। ଦୁହିଁଙ୍କ ଆଖି ଖୁସିରେ ଛଳ ଛଳ ହୋଇଗଲା । ଋଣ ଶୁଝିବାର ଏକ ପବିତ୍ର ସଂପର୍କ , ଭାଇ-ଭଉଣୀର ସଂପର୍କ। ଅସଲାମଙ୍କୁ ଭାଇ ଭାବେ ମାନି ନେଇ ରାକ୍ଷୀ ବାନ୍ଦିଲେ କିରଣ । ଅସଲମ ବି ଭଉଣୀ ଟିଏ ପାଇଲେ ।

 

ଏ ସଂପର୍କ ଆରମ୍ଭ ଏବଂ ରହିଛି ନିରନ୍ତର । ପ୍ରତି ରକ୍ଷା ବନ୍ଧନରେ ଅସଲମଙ୍କ ହାତରେ ରାକ୍ଷୀ ବାନ୍ଧନ୍ତି କିରଣ। ମାନବତା ଠାରୁ କିଛି ବି ଉର୍ଦ୍ଧ୍ୱରେ ନୁହେଁ । ପ୍ରତ୍ୟେକ ଧର୍ମ ଏବଂ ବିଶ୍ବାସ ମାନବତା ଓ ମାନବିକତାକୁ ହିଁ ସର୍ବୋଚ୍ଚ ମାନିଥାଏ । ଜାତି-ବର୍ଣ୍ଣ କିମ୍ବା ସଂପ୍ରଦାୟ କୁ ନେଇ ବାଛ ବିଚାର କରନ୍ତି ନାହିଁ ପ୍ରକୃତ ଧର୍ମ ବିଶ୍ବାସୀ । କାରଣ, ମାନବତା ହିଁ ସବୁ ଧର୍ମର ସାରମର୍ମ ।ଏ ସତ ଘଟଣାଠୁ ବଳି ଆଉ କ’ଣ ବଡ ଉଦାହରଣ ହୋଇପାରେ ?

Also Read- Baba Vanga : ବାବା ଭେଙ୍ଗାଙ୍କ 2026 ଭବିଷ୍ୟବାଣୀ, ଏ ଯୁଦ୍ଧ ତୃତୀୟ ବିଶ୍ବଯୁଦ୍ଧ ଭାବେ ହେବ କି ଶେଷ ? ଭାଇରାଲ୍ ଦାବି ପଛରେ ସତ୍ୟତା କ’ଣ ?