ଅହମଦାବାଦ: ସହରର ସୋଲା ଅଞ୍ଚଳରେ ଦୂଷିତ ପାଣି ପିଇ ଲୋକେ ଅସୁସ୍ଥ ହେଉଥିବାର ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ନର୍ମଦା ପାଣିରେ ସ୍ୱିରେଜ ପାଣି ମିଶିବା ଯୋଗୁ ଲୋକେ ଡାୟରିୟା, ବାନ୍ତି ଓ ପେଟ ସମ୍ପର୍କିତ ରୋଗରେ ଆକ୍ରାନ୍ତ ହେଉଛନ୍ତି। ଏ ନେଇ ଲୋକେ ବାରମ୍ବାର ଅଭିଯୋଗ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ଜନ ଅସନ୍ତୋଷ ସୃଷ୍ଟି ହୋଇଛି। ଘଟଣା ସମ୍ପର୍କରେ ପ୍ରଚାରିତ ହେବା ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଟେଲିଫୋନରେ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ସହ କଥା ହୋଇ ସ୍ଥିତି ସମୀକ୍ଷା କରିଛନ୍ତି।

ପ୍ରାରମ୍ଭିକ ଆକଳନ ଅନୁସାରେ ସୋଲା ଅଞ୍ଚଳରେ ଥିବା ଆକାଙକ୍ଷା ଆପାର୍ଟମେଣ୍ଟରେ ରହୁଥିବା ୫୦୦ରୁ ଅଧିକ ଲୋକେ ଦୂଷିତ ଜଳ ଯୋଗୁ ଅସୁସ୍ଥ ହୋଇପଡିଛନ୍ତି। ଖାସ କରି ଗତ ୩ ଦିନରେ କିଛି ପରିବାର ସଦସ୍ୟ ଜଣକ ପରେ ଜଣେ ଅସୁସ୍ଥ ହେବାରେ ଲାଗିଛନ୍ତି, ଯାହା ଏବେ ସମଗ୍ର ଅଞ୍ଚଳ ପାଇଁ ଚିନ୍ତାର କାରଣ ପାଲଟିଛି। ଘାଟଲୋଡିୟା ବିଧାନସଭାର ଉତ୍ତର-ପଶ୍ଚିମ ଜୋନର ଗୋଟା ୱାର୍ଡରେ କିଛି ସୋସାଇଟିରେ ଡାୟେରିଆ ବ୍ୟାପୁଥିବାର ଜଣାପଡିଛି। ଏ ନେଇ ମୁଖ୍ୟମନ୍ତ୍ରୀ ଏଏମସି ମେୟରଙ୍କ ସହ କଥାବାର୍ତ୍ତା ହୋଇଛନ୍ତି।

ସହରରେ ଡାୟରିୟା ବ୍ୟାପୁଥିବାର ଜଣାପଡିବା ପରେ ସ୍ୱାସ୍ଥ୍ୟ ବିଭାଗର ୪୦ଟି ହେଲଥ୍ ଟିମ୍ ଲୋକଙ୍କ ଘରକୁ ଘର ବୁଲି ସର୍ଭେ କରିବା ସହିତ ରୋଗ ନିୟନ୍ତ୍ରଣ ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାମ ଆରମ୍ଭ କରିଛନ୍ତି। ଏଏମସି ଦ୍ୱାରା ଭୂତଳ ଜଳ ଭଣ୍ଡାର ସଫା କରାଯିବା ସହ ଟ୍ୟାଙ୍କର ମାଧ୍ୟମରେ ସୋସାଇଟିଙ୍କୁ ପିଇବା ପାଣି ଯୋଗାଇବାର ବ୍ୟବସ୍ଥା କରାଯାଇଛି। ତେବେ ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ଯେ ତାଙ୍କ ଅଞ୍ଚଳକୁ ଦୀର୍ଘ ସମୟ ହେଲା ଦୂଷିତ ପାଣି ଯୋଗାଣ ହେଉଛି। ଏ ନେଇ ଲୋକେ ଅଭିଯୋଗ କରୁଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେଉ ନଥିବାର ଲୋକେ କହୁଛନ୍ତି। ଏଣୁ ସ୍ଥାନୀୟ ଲୋକେ ଦାୟି ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି।