ମୁମ୍ବାଇ, ୦୧/୦୯: ସେ ହେଉଛି ମାଆ । ନିଜର ସନ୍ତାନ ପାଇଁ ସବୁ କିଛି କରିପାରେ । ଶିଶୁଙ୍କ ଭବିଷ୍ୟତ ଗଢିବାକୁ ସବୁ ପ୍ରକାର ଝଡ଼ଝଞ୍ଜାର ସାମ୍ନା କରିବାକୁ ପ୍ରସ୍ତୁତ । ଯେତେ କଷ୍ଟ ହେଉ ନା କାହିଁକି ସେ କେବେ ପଛକୁ ହଟେନି । ଦୁନିଆ ସହ ଲଢେଇ କରେ ଏବଂ ଜିତେ ମଧ୍ୟ । କିଛି ଏପରି ଘଟଣା ଘଟିଛି ମହାରାଷ୍ଟ୍ରରେ । ଏଠାରେ ଜଣେ ମହିଳା ନିଜ ଝିଅର ଭବିଷ୍ୟତ ପାଇଁ ଜିତିଛନ୍ତି ମାରାଥନ ।

ମହାରାଷ୍ଟ୍ରର ବୀଡ଼ ଜିଲ୍ଲାର ଅମ୍ବାଜୋଗାଈରେ ଜଣେ ମା'ଙ୍କ ସାହସ ଓ ଝିଅଙ୍କ ଉଜ୍ଜ୍ଵଳ ଭବିଷ୍ୟତ ପାଇଁ ସଂଘର୍ଷ ଚର୍ଚ୍ଚାର ବିଷୟ ହୋଇଛି। ୪୭ ବର୍ଷୀୟ ରମାବାଈ ରଣବୀର ଝିଅଙ୍କ ପାଠପଢ଼ା ଲାଗି ମାରାଥନ୍ ଦୌଡ଼ିଛନ୍ତି। କିନ୍ତୁ ତାଙ୍କ ଦୌଡ଼ ଅନ୍ୟମାନଙ୍କଠୁ ପୂରାପୂରି ଅଲଗା। ଦେହରେ ମାରାଥନ୍ ଧାବକଙ୍କ ଭଳି ପୋଷାକ ନ ଥିଲା । ପାଦରେ ଜୋତା କି ଚପଲ ନ ଥିଲା । ମନରେ ଝିଅଙ୍କ ଉଜ୍ଜ୍ଵଳ ଭବିଷ୍ୟତର ଚିନ୍ତା ଥିଲା।

Also Read :- ଥାଇଲାଣ୍ଡରୁ ମାଡ଼ି ଆସୁଛି ଘୂର୍ଣ୍ଣିବଳୟ ! ଓଡ଼ିଶାରେ ପ୍ରବଳ ବର୍ଷିବ, ୧୦ ତାରିଖରୁ ନିସ୍ତାର ନାହିଁ

ମାରାଥନ୍ ଆରମ୍ଭ ହେବା ପରେ କିଛି ଦୂର ସେ ଚପଲ ଦୌଡ଼ିଲେ। କିନ୍ତୁ ଚପଲ ଖସିବାରୁ ହାତରେ ଧରିଲେ ଏବଂ ଖାଲି ପାଦରେ ଦୌଡ଼ିବା ଆରମ୍ଭ କଲେ। ଯୁବ ଧାବକଙ୍କ ମଧ୍ୟରେ ଦୌଡ଼ୁଥିବା ରମାବାଈ ସମସ୍ତ ମସ୍ତଙ୍କୁ ପଛରେ ପକାଇ ସର୍ବପ୍ରଥମେ ଫିନିଶିଙ୍ଗ ଲାଇନ୍ରେ ପହଞ୍ଚି ପ୍ରଥମ ସ୍ଥାନ ହାସଲ କଲେ। ଏହି ବିଜୟ ସହିତ ତାଙ୍କୁ ୩ ହଜାର ଟଙ୍କାର ପ୍ରଥମ ପୁରସ୍କାର ରାଶି ମିଳିଲା । କିନ୍ତୁ ରମାବାଈଙ୍କ ପାଇଁ ଏହା କେବଳ ଏକ ମାରାଥନ୍ ନ ଥିଲା।

ହିଙ୍ଗୋଲୀ ବାସିନ୍ଦା ରମାବାଈ ଅମ୍ବାଜୋଗାଈ ସହରର ଏକ ଏକାଡେମୀରେ ରୋଷେଇ କାମ କରୁଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ଦୁଇ ଝିଅଙ୍କ ପ୍ରତିପାଳନ ଓ ଅଧ୍ୟୟନ ଦାୟିତ୍ବ ରମାବାଈଙ୍କ କାନ୍ଧରେ। ଆର୍ଥିକ ସ୍ଥିତି ଖରାପ ଥିଲେ ବି ଝିଅଙ୍କୁ ଉତ୍ତମ ଶିକ୍ଷା ଦେବାର ସଂକଳ୍ପ ପାଇଁ ସେ ରୋଷେଇ କାମ ଆରମ୍ଭକଲେ। ନିକଟରେ ସ୍ଥାନୀୟ ଏକ ସଂସ୍ଥାର ଅମୃତ ମହୋତ୍ସବ ଅବସରରେ ମାରାଥନ୍ ଆୟୋଜିତ ହୋଇଥିଲା । ଏଥିରେ ପୁରସ୍କାର ରାଶି ୩ ହଜାର ଥିଲା। ରମାବାଈ ଏଥିରେ ଭାଗ ନେବାକୁ ନିଷ୍ପତ୍ତି ନେଲେ । ତାଙ୍କ ବିଜୟ ଦେଖି ଉପସ୍ଥିତ ଲୋକେ ତାଳିରେ ତାଙ୍କ ସାହସ ବଢ଼ାଇଥିଲେ।