ମାଲକାନଗିରି ୨୦।୧୨ : ଲାଲ ସଂଗଠନକୁ ଲାଗୁଛି ଝଟ୍କା। ହିଂସା ଛାଡ଼ି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ୪୧ ମାଓବାଦୀ । ତେଲେଙ୍ଗାନା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ମାଓବାଦୀ । ସେମାନଙ୍କ ମଧ୍ୟରୁ ୨୪ ଜଣ ହାର୍ଡକୋର ମାଓବାଦୀ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ୧ କୋଟି ୪୬ ଲକ୍ଷ ୩୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା ।

ଖବର ଅନୁଯାୟୀ, ଦିନକୁ ଦିନ ମାଓ ସଙ୍ଗଠନ ଭାଙ୍ଗିବାରେ ଲାଗିଥିବା ବେଳେ ଏହାରି ମଧ୍ୟରେ ଅନେକ ବଡ ବଡ ମାଓ ନେତା ଜୀବନ ବଞ୍ଚାଇବା ଲାଗି ସଙ୍ଗଠନ ଛାଡିବାରେ ଲାଗିଛନ୍ତି। ଟପ ମାଓନେତାଙ୍କ ମୃତ୍ୟୁ ପରେ ଲାଲ୍ ସଙ୍ଗଠନ ନେତୃତ୍ଵ ହୀନ ହୋଇ ପଡିଥିବାରୁ ଅନ୍ୟ ମାଓବାଦୀ ମାନେ ସଙ୍ଗଠନ ଉପରୁ ଆସ୍ଥା ହରାଇ ଆତ୍ମସମର୍ପଣ କରୁଛନ୍ତି । ଏହାରି ମଧ୍ୟରେ ଆଜି ତେଲେଙ୍ଗନାର ହାଇଦ୍ରାବାଦରେ ୪୧ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଏହି ମାଓବାଦୀ ମାନେ ୨୪ ଟି ଅସ୍ତ୍ରଶସ୍ତ୍ର, ବନ୍ଧୁକ, ବିଜିଏଲ ଲଞ୍ଚର ଓ ବିସ୍ଫୋରକ ପୋଲିସ ନିକଟରେ ହସ୍ତାନ୍ତର କରିଛନ୍ତି । ଏମାନେ ପୂର୍ବରୁ ଅନେକ ବଡ ବଡ ହିଂସାକାଣ୍ଡରେ ସାମିଲ ଥିବା ବେଳେ ବର୍ତ୍ତମାନ ସାଧାରଣ ଜୀବନ ଯାପନ କରିବାକୁ ନିଷ୍ପତ୍ତି ନେଇ ଆତ୍ମସମର୍ପଣ କରିଛନ୍ତି । ସରକାରୀ ନୀତି ଅନୁଯାୟୀ ସମସ୍ତ ମାଓବାଦୀଙ୍କୁ ୨୫ ହଜାର ଟଙ୍କାର ଚେକ୍ ପ୍ରଦାନ କରାଯାଇଥିବା ବେଳେ ପରେ ଅନ୍ୟାନ୍ୟ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।