ବାଲେଶ୍ୱର: ଭୁଶୁଡ଼ି ପଡ଼ିଛି ପ୍ରାୟ ୩୦୦ ବର୍ଷ ପୁରୁଣା ଐତିହାସିକ ଦୁଇ ମହଲା କୋଠା । ବାଲେଶ୍ୱର ସହରର ଦାମୋଦରପୁର ଅଞ୍ଚଳର ଏହି କୋଠା ସହିତ ଯୋଡ଼ି ହୋଇ ରହିଥିଲା ଓଡ଼ିଆ ସାହିତ୍ୟର ଅନନ୍ୟ ଇତିହାସ । ଏହି ଗୃହରେ ରହି ଦିନେ ପାଠ ପଢ଼ୁଥିଲେ ବ୍ୟାସକବି ଫକୀର ମୋହନ ସେନାପତି ।

​​​​​​​

ମିଳିଥିବା ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ଲାଗି ରହିଥିବା ପ୍ରବଳ ବର୍ଷା ଯୋଗୁଁ ଏହି ପ୍ରାଚୀନ କୋଠାର କାନ୍ଥ ଓ ମୂଳଦୁଆ ଦୁର୍ବଳ ହୋଇପଡ଼ିଥିଲା । ରବିବାର ହଠାତ୍ କୋଠାର ଏକ ବଡ଼ ଅଂଶ ଭୁଶୁଡ଼ି ତଳେ ପଡ଼ିଥିଲା । ବର୍ତ୍ତମାନ ଏହି ଘରେ ବାଚୁ କେଶବ ରାଓଙ୍କ ପରିବାର ପିଢ଼ି ପରେ ପିଢ଼ି ଧରି ବସବାସ କରି ଆସୁଛନ୍ତି । ଘଟଣା ସମୟରେ ପରିବାରର ଲୋକେ କୋଠାର ଅନ୍ୟ ଏକ ପାର୍ଶ୍ୱରେ ଉପସ୍ଥିତ ଥିବାରୁ ଏକ ବଡ଼ ଧରଣର ଅଘଟଣରୁ ସମସ୍ତେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ଅଘଟଣରେ କେହି ମୃତାହତ ହୋଇନଥିବା ସ୍ପଷ୍ଟ ହୋଇଛି, କିନ୍ତୁ କୋଠାର ଅଧା ଭାଗ ସମ୍ପୂର୍ଣ୍ଣ ଭାବେ ଧୂଳିସାତ୍ ହୋଇଯାଇଛି ।