ନୂଆଦିଲ୍ଲୀ: ଦେଶରେ ଗ୍ରୀଷ୍ମ ପ୍ରକୋପ ଯୋଗୁ ଅଂଶୁଘାତ ମାମଲା ତୀବ୍ର ବୃଦ୍ଧି ହେବାରେ ଲାଗିଛି। ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶରେ ମାର୍ଚ୍ଚରୁ ମେ ମଧ୍ୟରେ ୩୦୦ରୁ ଅଧିକ ସନ୍ଦିଗ୍ଧ ଅଂଶୁଘାତ ମାମଲା ସାମ୍ନାକୁ ଆସିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ୧ ମାର୍ଚ୍ଚରୁ ମେ ୧୯ ପର୍ଯ୍ୟନ୍ତ ମୋଟ ୩୨୫ଟି ସନ୍ଦିଗ୍ଧ ମାମଲା ରୁଜୁ ହୋଇଛି। ଏଥିରୁ ଏକ ତୃତୀୟାଂଶ ମାମଲା ମେ ପ୍ରଥମ ସପ୍ତାହରୁ ଆସିବା ଆରମ୍ଭ ହୋଇଛି। ଅଂଶୁଘାତ ଶରୀର ଆବଶ୍ୟକତା ଠାରୁ ଅଧିକ ଗରମ ହେଲେ ଉପୁଜୁଥିବା ଗୁରୁତର ପରିସ୍ଥିତି।

ଏଥିରେ ମୁଣ୍ଡ ବୁଲାଇବା, ବାନ୍ତି ହେବା, ଭ୍ରମ,ବେହୋସ ହେବା, ବାତ ମାରିବା ଓ ଶରୀର ବିଭିନ୍ନ ଅଙ୍ଗ ଅଚଳ ହେବା ଭଳି ପରିସ୍ଥିତି ଉପୁଜେ। ଯଦି ଉଚିତ ସମୟରେ ଚିକିତ୍ସା ନ ମିଳେ ତେବେ ଏହା ମରଣାନ୍ତକ ହୋଇପାରେ। ଏଣୁ ଆନ୍ଧ୍ରପ୍ରଦେଶ ପ୍ରଶାସନ ଲୋକଙ୍କୁ ପୂର୍ବାହ୍ନ ୧୧ଟା ପରେ ଓ ଅପରାହ୍ନ ୪ ପର୍ଯ୍ୟନ୍ତ ଘରୁ ପଦାକୁ ନ ବାହାରିବା ଲାଗି ପରାମର୍ଶ ଜାରି କରିଛି। କାରଣ ଏହି ସମୟରେ ହିଟ୍ ୱେଭ ଓ ଉଚ୍ଚତାପମାତ୍ରା ଚରମରେ ଥାଏ। ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମଡି) ୨୨ରୁ ୨୭ ମେ ମଧ୍ୟରେ ଦିଲ୍ଲୀ ସମେତ ଉତ୍ତର ଭାରତର ଅନେକ ଅଞ୍ଚଳରେ ହିଟୱେଭରୁ ଆରମ୍ଭ କରି ଗୁରୁତର ହିଟୱେଭ ଭଳି ପରିସ୍ଥିତି ଉପୁଜିପାରେ ବୋଲି ସତର୍କ କରିଛନ୍ତି।

ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଦିଲ୍ଲୀର ଏକ ସରକାରୀ ହସ୍ପିଟାଲରେ ଅଂଶୁଘାତରେ ଆକ୍ରାନ୍ତ ୨ ଜଣ ଲୋକଙ୍କୁ ଭର୍ତ୍ତି କରାଯାଇଛି। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ଗୁରୁତର ବୋଲି କୁହାଯାଉଛି। ଦେଶର ଅନେକ ଭାଗରେ ଗ୍ରୀଷ୍ମ ପ୍ରବାହ ଯୋଗୁ ଡାୟରିୟା ଓ ଡିହାଇଡ୍ରେସନ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ସେହିପରି ଗୁଜରାଟ ଭଳି ରାଜ୍ୟରେ ପେୟ ଜଳ ସମସ୍ୟା ସାମ୍ନାକୁ ଆସିଛି। ଆଇଏମଡି ଅନୁସାରେ ସମତଳ ଅଞ୍ଚଳରେ ତାପମାତ୍ରା ୪୦ ଡିଗ୍ରି ସେଲସିୟସ୍ ରୁ ଅଧିକ ରହିବା ଓ ସ୍ୱଭାବିକରୁ ୪.୫ରୁ ୬.୪ ଡିଗ୍ରି ଅଧିକ ରହିଲେ ହିଟ୍ ୱେଭ୍ ଘୋଷଣା କରାଯାଏ।

ଏଥିରେ ଯଦି ତାପମାତ୍ରା ୪୫ ଡିଗ୍ରି ସେଲସିୟସକୁ ପହଞ୍ଚି ଯାଏ ତେବେ ପରିସ୍ଥିତିକୁ ଆହୁରି ଜଟିଳ ମନେ କରାଯାଏ। ଗଣମାଧ୍ୟମ ରିପୋର୍ଟ ଅନୁସାରେ ଉତ୍ତରଭାରତରେ ଏ ପର୍ଯ୍ୟନ୍ତ ବାନ୍ଦାରେ ସବୁଠୁ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଏଠାରେ ପାରା ୪୮ ଡିଗ୍ରି ସେଲସିୟସ୍ କୁ ପହଞ୍ଚି ଯାଇଛି। ଗତବର୍ଷ ମାର୍ଚ୍ଚରୁ ଜୁନ ମଧ୍ୟରେ ଦେଶରେ ମୋଟ ୭ହଜାରରୁ ଅଧିକ ସନ୍ଦିଗ୍ଧ ଅଂଶୁଘାତ ଓ ୧୪ଟି ମୃତ୍ୟୁ ମାମଲା ସାମ୍ନାକୁ ଆସିଥିଲା। ସେହିପରି ୨୦୨୪ ଏହି ସମୟରେ ୪୦ ହଜାର ସନ୍ଧିଗ୍ଧ ମାମଲା ରେକର୍ଡ ହୋଇଥିବା ବେଳେ ୧୧୦ରୁ ଅଧିକ ମୃତ୍ୟୁ ହୋଇଥିଲା।