କଲମ୍ବୋ: କଲମ୍ବୋ ଟେଷ୍ଟରେ ବିଶାଳ ସ୍କୋର ଏବଂ ବିପକ୍ଷ ଦଳକୁ ଫଲୋଅନ୍ ଦେବା ପରେ ବି ବିଜୟରୁ ବଞ୍ଚିତ ହୋଇଛି ଭାରତ। ପ୍ରଥମ ଇନିଂସରେ ୫୦୩/୯ ରନ୍ କରି ଇନିଂସ ଘୋଷଣା କରିବା ପରେ ଟିମ୍ ଇଣ୍ଡିଆର ବିଜୟ ପ୍ରାୟ ସୁନିଶ୍ଚିତ ମନେ ହେଉଥିଲା। ହେଲେ ଶେଷରେ ମ୍ୟାଚଟି ଡ୍ର’ରେ ଶେଷ ହୋଇଛି। ଏହି ନିରାଶାଜନକ ପ୍ରଦର୍ଶନ ଯୋଗୁଁ ୱାର୍ଲ୍ଡ ଟେଷ୍ଟ ଚାମ୍ପିଅନସିପ୍ (WTC) ତାଲିକାର ୫ମ ସ୍ଥାନରେ ହିଁ ଅଟକି ରହିଛି ଭାରତ। ତେବେ ଜିତିବା ମ୍ୟାଚକୁ ଭାରତ ହାତରୁ ଖସାଇବା ପଛରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀରଙ୍କ ନିଷ୍ପତ୍ତି ଓ ଅଧିନାୟକ ଶୁଭମନ ଗିଲଙ୍କ ରଣନୀତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ଭାରତର ଏହି ପରାଜୟ ସଦୃଶ ଡ୍ର’ ପଛରେ ରହିଛି ୩ଟି ମୁଖ୍ୟ କାରଣ

୧. କୁଲଦୀପ ୱାଦବଙ୍କୁ ବାଦ୍ ଦେବା ମହଙ୍ଗା ପଡ଼ିଲା

ଗାଲେ ଟେଷ୍ଟ ପରେ ଦ୍ୱିତୀୟ ଟେଷ୍ଟରୁ ମୁଖ୍ୟ ସ୍ପିନର କୁଲଦୀପ ଯାଦବଙ୍କୁ ବାଦ୍ ଦେଇ ଅଲରାଉଣ୍ଡର ସାରାଂଶ ଜୈନଙ୍କୁ ଦଳରେ ସାମିଲ କରାଯାଇଥିଲା। ଯଦିଓ କୁଲଦୀପ ଅସୁସ୍ଥ ଥିବା କୁହାଗଲା, ହେଲେ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ରେ ଜଣେ ମୁଖ୍ୟ ୱିକେଟ୍-ଟେକର ସ୍ପିନରଙ୍କୁ ନଖେଳାଇବା ଗମ୍ଭୀରଙ୍କ ଏକ ବଡ଼ ଭୁଲ୍ ନିଷ୍ପତ୍ତି ସାବ୍ୟସ୍ତ ହେଲା। କୁଲଦୀପଙ୍କ ସ୍ଥାନରେ ଆସିଥିବା ସାରାଂଶ ଜୈନ ଶ୍ରୀଲଙ୍କା ବ୍ୟାଟରଙ୍କ ଉପରେ କୌଣସି ବିଶେଷ ପ୍ରଭାବ ପକାଇପାରି ନଥିଲେ।

୨. ଶୁଭମନ ଗିଲଙ୍କ ରକ୍ଷଣାତ୍ମକ ଅଧିନାୟକତ୍ଵ

ଚତୁର୍ଥ ଦିନରେ ଯେତେବେଳେ ପାସିନ୍ଦୁ ସୂର୍ଯ୍ୟବନ୍ଦାରା ଓ କାମିନ୍ଦୁ ମେଣ୍ଡିସ୍ ଶତକୀୟ ଭାଗୀଦାରୀ ଗଢ଼ୁଥିଲେ, ସେତେବେଳେ ଅଧିନାୟକ ଗିଲ୍ ଆକ୍ରମଣାତ୍ମକ ଫିଲ୍ଡିଂ ସେଟିଂ କରିବା ପରିବର୍ତ୍ତେ ରକ୍ଷଣାତ୍ମକ ମୁଦ୍ରା ଆପଣାଇଥିଲେ। ପୂର୍ବତନ ଭାରତୀୟ ବ୍ୟାଟର ଚେତେଶ୍ୱର ପୂଜାରା ମଧ୍ୟ ଗିଲ୍ଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି। ଶ୍ରୀଲଙ୍କା ବ୍ୟାଟରମାନେ କାଉଣ୍ଟର-ଅଟାକ୍ କରିବା ମାତ୍ରେ ଭାରତୀୟ ଦଳ ଚାପରେ ଆସିଯାଇଥିଲା। ଏହି ସମୟରେ ବୋଲରଙ୍କୁ ୱିକେଟ୍ ନେବା ପାଇଁ ଉତ୍ସାହିତ କରିବା ପରିବର୍ତ୍ତେ ଗିଲ୍ ରନ୍ ରୋକିବା ଉପରେ ଧ୍ୟାନ ଦେଇଥିଲେ।

୩. ତଳକ୍ରମ ବ୍ୟାଟରଙ୍କୁ ଆଉଟ୍ କରିବାରେ ବୋଲର ଫ୍ଲପ୍

ପଞ୍ଚମ ଦିନର ଖେଳ ଆରମ୍ଭ ବେଳକୁ ଶ୍ରୀଲଙ୍କାର ୬ଟି ୱିକେଟ୍ ଖସିସାରିଥିଲା ଏବଂ ସେମାନଙ୍କ ପାଖରେ ମାତ୍ର ୧୬ ରନ୍ର ଅଗ୍ରଣୀ ଥିଲା। ଲାଗୁଥିଲା ଭାରତୀୟ ବୋଲର ଶ୍ରୀଲଙ୍କାର ନିମ୍ନକ୍ରମକୁ ଖୁବ୍ଶୀଘ୍ର ଅଉଟ୍ କରିଦେବେ। ହେଲେ କେଶରା ନୁୱାନ୍ଥା ଓ ସୋନାଲ ଦିନୁଷାଙ୍କ ଯୋଡ଼ିକୁ ଭାଙ୍ଗିବାରେ ବୋଲରମାନେ ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ।

ନୁୱାନ୍ଥା ଆଉଟ୍ ହେବା ପରେ ମଧ୍ୟ ଟେଲଏଣ୍ଡର ବୋଲର ପ୍ରଭାତ ଜୟସୂର୍ଯ୍ୟ (୨୮ ବଲ୍) ଓ ଲାହିରୁ କୁମାରା (୯୦ ବଲ୍) କ୍ରିଜରେ ଜମି ରହିଥିଲେ। ଲାହିରୁ ଓ ଦିନୁଷା ମିଶି ପ୍ରାୟ ୨୮ ଓଭର ବ୍ୟାଟିଂ କରି ଭାରତର ବିଜୟ ଆଶାକୁ ଧୂଳିସାତ୍ କରିଦେଇଥିଲେ। ଶେଷ ଦିନରେ ନିମ୍ନକ୍ରମର ୩ଟି ୱିକେଟ୍ ନେବା ପାଇଁ ୯୦ ଓଭରରୁ ଉଦ୍ଧ୍ୱର୍ ବୋଲିଂ କରିବାକୁ ପଡ଼ିବା ଭାରତୀୟ ବୋଲିଂ ରଣନୀତିର ପୋଲ୍ ଖୋଲିଦେଇଛି।