ବିଜେଡିର ‘ବିଜୁଳି’ ମାଷ୍ଟରଷ୍ଟ୍ରୋକ୍ ବିରୋଧୀଙ୍କୁ ନିରସ୍ତ୍ର କରିବ

Published By : Prameya-News7 Bureau | May 10, 2024 IST

ଭୁବନେଶ୍ବର ୧୦/୦୫: ବିଜେଡି ଇସ୍ତାହାରରେ ‘ବିଜୁଳି’ ମାଷ୍ଟରଷ୍ଟ୍ରୋକ୍ । ୨୦୨୪ ମହାସଂଗ୍ରାମରେ ମାଗଣା ବିଜୁଳି ହେବ ଗେମ୍‌ଚେଞ୍ଜର । ବିଏସକେଓ୍ବାଇ ଭଳି ସଞ୍ଜୀବନୀ ହେବ ଫ୍ରି’ ବିଜୁଳି । ଗତ ନିର୍ବାଚନ ଗୁଡ଼ିକରେ ବିରୋଧୀ ଯେପରି ଚେକ୍ ଖାଇଛନ୍ତି, ଚଳିତ ନିର୍ବାଚନରେ ବି ସେମିତି ମାତ୍ ଖାଇବେ । ପୁଣି ବିଜୟୀ ହୋଇ ଇତିହାସ ରଚିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କାରଣ ଇସ୍ତାହାରର ମାଗଣା ବିଜୁଳି ପ୍ରତିଶ୍ରୁତି ବିଜୁ ଜନତା ଦଳକୁ ନିର୍ବାଚନୀ ପ୍ରତିଦ୍ବନ୍ଦ୍ବୀଙ୍କ ଠାରୁ ଢେର ଆଗକୁ ନେଇଯାଉଛି । ‘ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ’ ଭଳି ଶହେ ୟୁନିଟ୍ ଫ୍ରି’ ବିଜୁଳି ପ୍ରତିଶ୍ରୁତି ବିଜେଡିର ମାଷ୍ଟରଷ୍ଟ୍ରୋକ୍ ବୋଲି ରାଜନୀତି ବିଷାରଦଙ୍କ ମତ । 

ଗୁରୁବାର ବିଜୁ ଜନତା ଦଳ ନିର୍ବାଚନୀ ଇସ୍ତାହାର ଘୋଷଣା କରିଛି । ଏହି ମେନୁଫେଷ୍ଟୋରେ ରାଜ୍ୟର ସମସ୍ତ ବର୍ଗଙ୍କୁ ପ୍ରାଥମିକତା ଦିଆଯାଇଛି । ଶିକ୍ଷା, ସ୍ବାସ୍ଥ୍ୟ, ଗରିବ, ମଧ୍ୟବିତ, ମହିଳା ଆଦି ସମସ୍ତ ବର୍ଗଙ୍କୁ ଅଗ୍ରାଧିକାର ଦିଆଯାଇଛି । ଅର୍ଥନୈତିକ ଅଭିବୃଦ୍ଧି ପାଇଁ ଇକୋସିଷ୍ଟମକୁ ଶକ୍ତିଶାଳୀ କରାଯିବ । ଓଡ଼ିଶାକୁ ଦେଶର ଶ୍ରେଷ୍ଠ ତିନୋଟି ଅର୍ଥନୈତିକ ବିକଶିତ ରାଜ୍ୟରେ ପରିଣତ କରାଯିବ ବୋଲି କୁହାଯାଇଛି । ଖଣିଜ ଭିତ୍ତିକ ଶିଳ୍ପ ବ୍ୟତୀତ ସେମିକଣ୍ଡକ୍ଟର, ଆଇଟି ଶିଳ୍ପ, କୃତ୍ରିମ ବୁଦ୍ଧିମତା ଇତ୍ୟାଦି ସହିତ ନୂତନ ଯୁଗ, ବୈଷୟିକ ଏବଂ ନୂତନ ଅର୍ଥନୀତି ଉପରେ ଧ୍ୟାନ ଦିଆଯିବ। ଓଡ଼ିଶା ପୂର୍ବ ଭାରତର ଆଇଟି ରାଜଧାନୀ ହେବ ବୋଲି ଇସ୍ତାହାରରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ। ଅନ୍ୟପଟେ ରାଜ୍ୟର ସମସ୍ତ ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଶହେ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ମାଗଣା ଦିଆଯିବ ବୋଲି ଇସ୍ତାହାରରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ସବୁଠୁ ପ୍ରଭାବୀ ହେବା ଆଶା । ଯାହାକୁ ବିଏସକେଓ୍ବାଇ ସହିତ ତୁଳନା କରିଛନ୍ତି ରାଜନୈତିକ ବିଶେଷଜ୍ଞ । ପୂର୍ବ ନିର୍ବାଚନରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ଯୋଜନା ଯେଉଁଭଳି ଭାବେ ବିଜେଡିକୁ ବିଜୟୀ କରିବାରେ ସହାୟକ ହୋଇଥିଲା ଠିକ୍ ସେହିପରି ‘ମାଗଣା ବିଜୁଳି’ ୨୦୨୪ ମହା ଲଢ଼େଇ  ଶଙ୍ଖଦଳର ପ୍ରଭାବଶାଳୀ ମହାଅସ୍ତ୍ର ହେବ । 

ବିଜେଡି ଇସ୍ତାହାର ଅନୁଯାୟୀ, ରାଜ୍ୟରେ ୧୦୦ ୟୁନିଟରୁ କମ୍ ବିଜୁଳି ବ୍ୟବହାର କଲେ କୌଣସି ବିଲ୍ ଦେବାକୁ ପଡ଼ିବ ନାହିଁ । ସେହିପରି ୧୦୦ରୁ ୧୫୦ ୟୁନିଟ୍ ବ୍ୟବାହର କରୁଥିଲେ ୫୦ ୟୁନିଟ୍ ରିହାତି ମିଳିବ । ଗ୍ରାମାଞ୍ଚଳର ସମସ୍ତ ବିଜୁଳି ଉପଭୋକ୍ତା ଏଥିରେ ଉପକୃତ ହେବେ । ସହରାଞ୍ଚଳର ମଧ୍ୟବିତ୍ତ ଓ ନିମ୍ନ ମଧ୍ୟବିତ୍ତ ପରିବାର ବି ଏହାର ଲାଭ ଉଠାଇ ପାରିବେ ବୋଲି ନବୀନ  ନିଜ ଘୋଷଣାପତ୍ରରେ କହିଛନ୍ତି ।

ଓଡିଶାର ୭୫ ପ୍ରତିଶତ ପରିବାରର ୧୦୦ ୟୁନିଟ୍ ରୁ କମ୍ ବିଜୁଳି ବ୍ୟବହାର କରୁଛନ୍ତି । ସେହିପରି ୧୦ ପ୍ରତିଶତ ଉପଭୋକ୍ତା ୧୦୦ରୁ ୧୫୦ ୟୁନିଟ୍ ବ୍ୟବହାର କରୁଛନ୍ତି । ଶକ୍ତି ସୁରକ୍ଷା ସହିତ ଏହି ୮୫ -୯୦% ଜନସଂଖ୍ୟାକୁ ଆଚ୍ଛାଦନ କରିବା ପାଇଁ, ଶହେ ୟୁନିଟ୍ ପର୍ୟ୍ୟନ୍ତ ଗ୍ରାହକମାନେ ଶୂନ ବିଲ୍ ପାଇବେ ଏବଂ ୧୦୦ରୁ ୧୫୦ ୟୁନିଟ୍ ଆସୁଥିବା ଗ୍ରାହକ ୫୦ ୟୁନିଟ୍ ରିହାତି ପାଇବେ । ଏହା କେବଳ ରାଜ୍ୟରେ ଶକ୍ତି ସୁରକ୍ଷା ବୃଦ୍ଧି କରିବ ନାହିଁ ବରଂ ବିଦ୍ୟୁତର ଦାୟିତ୍ବପୂର୍ଣ୍ଣ ବ୍ୟବହାରକୁ ମଧ୍ୟ ଉତ୍ସାହିତ କରିବ ବୋଲି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

 

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.