ଫ୍ରଣ୍ଟ୍ ଫୁଟ୍‌ରେ ପାଣ୍ଡିଆନ୍; ବିରୋଧୀଙ୍କ ବଲ୍ ବାଉଣ୍ଡାରୀ ପାର୍

Published By : Prameya-News7 Bureau | May 10, 2024 IST

ଭୁବନେଶ୍ବର: ୨୦୨୪ ମହାସଂଗ୍ରାମରେ ବିଜେଡିର ପୋଷ୍ଟର ବଏ କାର୍ତ୍ତିକ ପାଣ୍ଡିଆନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରେ ବିଜୁ ଜନତା ଦଳର ଷ୍ଟାର୍ ପ୍ରଚାରକ । ମୁଖ୍ୟମନ୍ତ୍ରୀଙ୍କ ସ୍ବପ୍ନକୁ ସାକାର କରିବାକୁ ଦିନ ରାତି ଏକ କରି ଦେଇଛନ୍ତି ବିଜେଡିର ଏହି ନେତା । ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଦକ୍ଷିଣ ଓଡ଼ିଶାରେ ଡେରା ପକାଇଛନ୍ତି ଆଇଏଏସ୍ ଟର୍ଣ୍ଣଡ୍ ପଲିଟିସିଆନ୍ ପାଣ୍ଡିଆନ୍ । ଗଞ୍ଜାମରୁ ଗଜପତି, ନବରଙ୍ଗପୁରରୁ ନୂଆପଡ଼ା, ବରଗଡ଼ରୁ ବଲାଙ୍ଗୀର, କୋରାପୁଟରୁ କନ୍ଧମାଳ ପର୍ଯ୍ୟନ୍ତ କ୍ୟାମ୍ପେନ ଜାରି ରଖିଛନ୍ତି । ଦକ୍ଷିଣ ଓଡ଼ିଶା ଅଭିଯାନରେ ରହି ବିରୋଧୀଙ୍କୁ ଚେକ୍ ଦେଇ ଚାଲିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ ।  ପାଣ୍ଡିଆନଙ୍କ ସିଧା ସିଧା ଟାର୍ଗେଟ୍ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ଗ୍ୟାରେଣ୍ଟି ଏବେ ବିଜେଡିର ବଳ ବଢ଼ାଉଛି । 

ମୁଖ୍ୟମନ୍ତ୍ରୀଙ୍କ ବିଜୟ ରଥରେ ସାରଥି ସାଜିଛନ୍ତି ପାଣ୍ଡିଆନ । ୨୦୨୪ ନିର୍ବାଚନରେ ବିଜେଡି ପକ୍ଷରୁ ଫ୍ରଣ୍ଟ୍ ଫୁଟ୍‌ରେ ରହି ବ୍ୟାଟିଂ କରୁଛନ୍ତି । ବିରୋଧଙ୍କ ବାଉନ୍ସରକୁ ସାମ୍ନା କରୁଛନ୍ତି କାର୍ତ୍ତିକ୍ ପାଣ୍ଡିଆନ୍ । ଫଳରେ ବିଜେପିର ବାକ୍ୟ ବାଣ ବିସ୍ଫୋରଣ ହେବା ପୂର୍ବରୁ ଫୁ’ ହେଇଯାଉଛି । ବିରୋଧୀଙ୍କ ବିରୋଧକୁ ଜନତାଙ୍କ ସାମ୍ନାରେ ରଖି ନିଷ୍କ୍ରିୟ କରି ଜନାଦେଶ ଜିଣିବା ଟାର୍ଗେଟରେ ଏହି ହେଭିଓ୍ବେଟ୍ ନେତା ।  

“ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ନୁହେଁ ନବୀନ ଇଞ୍ଜିନ ଦରକାର” । ବ୍ରହ୍ମପୁରରେ ବିଜେପିର କେନ୍ଦ୍ରୀୟ ନେତାଙ୍କୁ କଡ଼ା ଜବାବ ଦେଇ  ଏପରି କହିଛନ୍ତି କାର୍ତ୍ତିକ ପାଣ୍ଡିଆନ୍ । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶାରେ ବିଜେପି ସରକାର ଗଠନ କରିବା ଦାବିକୁ ଖଣ୍ଡନ କରିଛନ୍ତି ବିଜେଡି ହେଭିଓ୍ବେଟ୍ ପାଣ୍ଡିଆନ୍ । ତା’ ସହ ବିଜେପିକୁ ଟାର୍ଗେଟ୍ କରିଛନ୍ତି ଏବଂ ନିର୍ବାଚନ ପୂର୍ବରୁ ଆଗୁଆ ନବୀନ ପଟ୍ଟନାୟକଙ୍କ ଶପଥ ଗ୍ରହଣର ସମୟ କହିଛନ୍ତି ।  ଜୁନ ୯ ତାରିଖ ସାଢ଼େ ୧୧ଟା ବେଳେ ରାଜଭବନରେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି ଦୃଢୋକ୍ତି ଦେଉଛନ୍ତି କାର୍ତ୍ତିକ୍ ପାଣ୍ଡିଆନ୍ । ଏହା ସହିତ ବିଜେପିର କେନ୍ଦ୍ରୀୟ ନେତାଙ୍କୁ ଶପଥ ଉତ୍ସବରେ ସାମିଲ୍ ହେବାକୁ ଆଗୁଆ ନିମନ୍ତ୍ରଣ ମଧ୍ୟ କିରଛନ୍ତି । 

ଗୋପାଳପୁରରେ ବିରୋଧୀ ଉପରେ ସାମ୍ବାଦିକ  ସହ  ଆଲୋଚନା ବେଳେ ଜୋରଦାର୍ ହମଲା କରିଛନ୍ତି କାର୍ତ୍ତିକ୍ ପାଣ୍ଡିଆନ୍ । ବିଜୁ ଜନତା ଦଳକୁ ଭାଙ୍ଗିବାକୁ ଭାରତୀୟ ଜନତା ପାର୍ଟି ଷଡ଼ଯନ୍ତ୍ର କରୁଛି ବୋଲି କହିଛନ୍ତି । ସେ ଦମ୍ଭର ସହିତ କହିଛନ୍ତି, ବିଜେପି ଓଡ଼ିଶାରେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଫର୍ମୁଲା ପ୍ରୟୋଗ କରି କୌଣସି ପରିସ୍ଥିତିରେ ଶାସନକୁ ଆସି ପାରିବ ନାହିଁ । ବିଜେପିର ଏପରି ଅପଚେଷ୍ଟା କଦାପି ସଫଳ ହେବ ନାହିଁ ବୋଲି ସେ କହିଛନ୍ତି । ଚଳିତ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ପାଖରେ କୌଣସି ପ୍ରସଂଗ ନାହିଁ । ଓଡ଼ିଶା ପ୍ରତି କେନ୍ଦ୍ରର ଅବହେଳା ଓ ପ୍ରତାରଣାକୁ ଢାଙ୍କିବାକୁ ବିଜେପି ଓଡ଼ିଆ ଅସ୍ମିତା ପ୍ରସଙ୍ଗ ଉଠାଇଛି । ଗୋଟିଏ ରାଜ୍ୟର ଭାଷା, କଳା, ସଂସ୍କୃତି, ଐତିହ୍ୟ, ଇତିହାସ ସହ ରାଜ୍ୟକୁ ପରିଚୟ ଦେଉଥିବା ବ୍ୟକ୍ତି ହିଁ ଅସ୍ମିତାର ପରିଚୟ । ଚଳିତ ବିଧାନସଭା ନିର୍ବାଚନରେ ବିଜେଡି ତିନି ଚତୁର୍ଥାଂଶ ଆସନରେ ବିଜୟୀ ହେବ ଏବଂ ନବୀନ ପଟ୍ଟନାୟକ ପୁଣି ଥରେ ଅଧିକ ଆସନ ସହିତ ପଦ ଗ୍ରହଣ କରିବେ ବୋଲି ପାଣ୍ଡିଆନ୍ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।  । 

ବରଗଡ଼ ନିର୍ବାଚନୀ ଜନସଭାରେ ବିରୋଧୀଙ୍କୁ ପ୍ରଚଣ୍ଡ ପ୍ରହାର କରିଛନ୍ତି ବିଜେଡିର ଏହି ଷ୍ଟାର ପ୍ରଚାରକ । ବିରୋଧୀ କାମ କରିବେନି କି କାମ କରାଇ ଦେବେନି । ପଦ୍ମପୁର ଜିଲ୍ଲା ହେବା ରାସ୍ତାରେ ବିରୋଧୀ କଣ୍ଟା ହୋଇ ଛିଡ଼ାହୋଇଛନ୍ତି । ବିରୋଧୀଙ୍କ ଚକ୍ରାନ୍ତ ପାଇଁ ପଦ୍ମପୁର ଜିଲ୍ଲା ମାନ୍ୟତା ପାଇପାରୁନାହିଁ । ପଦ୍ମପୁରକୁ ଜିଲ୍ଲା କରିବାକୁ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଏନେଇ ରାଜ୍ୟ ସରକାର ମଧ୍ୟ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଜିଲ୍ଲାପାଳ କାର୍ଯ୍ୟାଳୟ ପାଇଁ ଜାଗା ଚିହ୍ନଟ ହୋଇଥିଲା । କିନ୍ତୁ ଚକ୍ରାନ୍ତକାରୀ ଗୋଷ୍ଠୀ ଏହି କାମରେ ବାଧା ଦେଉଛନ୍ତି । କୋର୍ଟରେ କେସ୍ କରି ପଦ୍ମପୁରବାସୀଙ୍କ ହକ୍‌କୁ ଛଡ଼ାଇ ନେବାକୁ ଚେଷ୍ଟା କରୁଛନ୍ତି । ହେଲେ ଏଥିରେ ସେମାନେ ସଫଳ ହେବେ ନାହିଁ । ବିଜେଡି ଲଢ଼ିବ ଏବଂ ପଦ୍ମପୁରକୁ ଜିଲ୍ଲାର ମାନ୍ୟତା ଦେବ ବୋଲି କାର୍ତ୍ତିକ୍ ପାଣ୍ଡିଆନ୍ ଦୃଢ଼ତାର ସହ କହିଛନ୍ତି ।    

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.