ବିଜେପି ପ୍ରାର୍ଥୀ ନବନୀତ ରାଣାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ, ମୋକଦ୍ଦମା ରୁଜୁ

Published By : Prameya-News7 Bureau | May 10, 2024 IST

ହାଇଦ୍ରାବାଦ ୧୦।୫: ମହାରାଷ୍ଟ୍ର ଅମରାବତୀ ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନବନୀତ ରାଣାଙ୍କ ବିରୋଧରେ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ମୋକଦ୍ଦମା ରୁଜୁ ହୋଇଛି। ଏହି ମାମଲା ରାଣାଙ୍କ ସେହି ବୟାନ ବିରୋଧରେ ରୁଜୁ ହୋଇଛି, ଯେଉଁଥିରେ ସେ କଂଗ୍ରେସ ସପକ୍ଷରେ ଦିଆଯାଉଥିବା ପ୍ରତ୍ୟେକ ଭୋଟ ପାକିସ୍ତାନ ଲାଗି ହେବ ବୋଲି କହିଥିଲେ। ଉଲ୍ଲେଖଯୋଗ୍ୟ ଯେ ନବନୀତ ରାଣା ଏହି ବୟାନ ହାଇଦ୍ରାବାଦରେ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ପ୍ରଚାର କାଳରେ ଦେଇଥିଲେ। 


ମୋକଦ୍ଦମା ରୁଜୁ ହେବା ପରେ ପୋଲିସ ଏକ ବୟାନରେ ଏହି ସୂଚନା ଦେଇଛି। ପୋଲିସ କହିଛି ଯେ ନିର୍ବାଚନ କମିଶନ (ଇସି)ଙ୍କ ଅଭିଯୋଗ ଆଧାରରେ ଏହି ମକଦ୍ଦମା ରୁଜୁ ହୋଇଛି। ଏହି ମାମଲାରେ ପୋଲିସ କୌଣସି ସଂଜ୍ଞାନ ନେଇ ନାହିଁ। ପୋଲିସ ଅଧିକାରୀ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଫ୍ଲାଇଙ୍ଗସ୍କ୍ୱାର୍ଡ ଇନଚାର୍ଜ କୃଷ୍ଣ ମୋହନ ଏହି ଅଭିଯୋଗ ରୁଜୁ କରିଛନ୍ତି। ଶାଦନଗର ଥାନା ଓଆଇସି ନବନୀତ ରାଣାଙ୍କ ବିରୋଧରେ ଆଇପିସିର ଧାରା ୧୮୮ରେ ମୋକଦ୍ଦମା ରୁଜୁ ହୋଇଥିବା କହିଛନ୍ତି। 

ନବନୀତ ଗୁରୁବାର ହାଇଦ୍ରାବାଦରେ ବିଜେପି ପ୍ରାର୍ଥୀ ମାଧବୀ ଲତାଙ୍କ ପାଇଁ ନିର୍ବାଚନ ପ୍ରଚାର କରିଥିଲେ। ଏହି ଅବସରରେ ସେ ଏକ ରାଲିକୁ ସମ୍ବୋଧିତ କରି କହିଥିଲେଯେ ଯଦି ଲୋକେ ଏଆଇଏମଆଇଏମ ଓ କଂଗ୍ରେସକୁ ଭୋଟ ଦିଅନ୍ତି ଏହାର ଅର୍ଥ ସେମାନେ ପାକିସ୍ତାନକୁ ଭୋଟ ଦେଇଛନ୍ତି। ସେମାନଙ୍କ ଭୋଟ ସିଧା ପାକିସ୍ତାନକୁ ଯିବ। ରାଣା ଏତିକିରେ ଅଟକି ନଥିଲେ ସେ ଆହୁରି କହିଥିଲେ ଯେ ଏଆଇଏମଆଇଏମ ଓ ରାହୁଲ ଗାନ୍ଧିଙ୍କ ଲାଗି ପାକିସ୍ତାନ ଯେପରି ପ୍ରେମ ଦେଖାଉଛି ସେଥିରୁ ମୋଦିଙ୍କୁ ହରାଇ ସେ ରାହୁଲଙ୍କୁ ଜିତାଇବାକୁ ଚାହୁଁଥିବା ସ୍ପଷ୍ଚ ହୋଇଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.