ମୋଦିଙ୍କ ରୋଡ୍ ଶୋ' ପାଇଁ କଟକଣା, ସିଲ୍ ହେଲା ମାଷ୍ଟରକ୍ୟାଣ୍ଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା

Published By : Prameya-News7 Bureau | May 10, 2024 IST

ଭୁବନେଶ୍ୱର ୧୦।୫: ରାଜଧାନୀବାସୀ ଦେଖିବେ ମୋଦିଙ୍କ ରୋଡ୍‌ ଶୋ' । ଏଥିପାଇଁ ଜନପଥରେ କମିଶନରେଟ୍‌ ପୋଲିସ ପକ୍ଷରୁ ଟ୍ରାଫିକ୍ କଟକଣା । ଅପରାହ୍ନ ୨ଟାରୁ ରୋଡ୍‌ ଶୋ' ସରିବା ଯାଏଁ ମାଷ୍ଟରକ୍ୟାଣ୍ଟିନ୍‌ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିବ । ଅପରାହ୍ନ ୪ଟାରୁ ରୋଡ୍‌ ଶୋ' ଶେଷ ହେବା ଯାଏଁ ଜନପଥର ଆରପାର୍ଶ୍ୱରେ ଅର୍ଥାତ୍‌ ବାଣୀବିହାରରୁ ମାଷ୍ଟରକ୍ୟାଣ୍ଟିନ୍‌ ରାସ୍ତାକୁ ବନ୍ଦ କରାଯିବ । ଏହାସହ ଜନପଥକୁ  ସଂଯୋଗ କରୁଥିବା ସମସ୍ତ ଗଳି ରାସ୍ତା  ସିଲ୍‌ କରାଯିବ ।

ମୋଦିଙ୍କ ରୋଡ୍‌ ଶୋ’ ପାଇଁ ମୋଟ୍ ୫୫ ପ୍ଲାଟୁନ୍‌ ପୋଲିସ ଫୋର୍ସ ମୁତୟନ କରାଯିବ । ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ ଏସିପି ଓ ୪୧ ଜଣ ଇନ୍ସପେକ୍ଟର ସୁରକ୍ଷା ଦାୟିତ୍ୱରେ ରହିବେ । ଏହାସହ ୩ଟି ଆଣ୍ଟି ଟେରର୍‌ ଗ୍ରୁପ୍‌ ମଧ୍ୟ ରୋଡ୍‌ ଶୋ'କୁ ଜଗିବ । 

ସେହିଭଳି ଶନିବାର ମୋଦିଙ୍କ ପ୍ରଚାର ରହିଛି ରାଜ୍ୟର ୩ଟି ସ୍ଥାନରେ । ୧୧ ତାରିଖ ସକାଳ ୯ଟା ୩୦ରେ କନ୍ଧମାଳ ଲୋକସଭାର ଫୁଲବାଣୀ ଷ୍ଟାଡିୟମରେ ମୋଦି ପ୍ରଚାର ସଭା କରିବେ । ଦିନ   ସାଢ଼େ ୧୧ଟା ପରେ ବଲାଙ୍ଗୀର ଓ ଅପରାହ୍ନ ସାଢ଼େ ୧ଟାରେ ବରଗଡ଼ରେ  ବିଜୟ ସଂକଳ୍ପ ସମାବେଶରେ ମୋଦି  ଯୋଗ ଦେବାର  କାର୍ଯ୍ୟକ୍ରମ ରହିଛି ।


୧୨ ମଣ୍ଡପରେ କଳା, ସଂସ୍କୃତିର ଝଲକ :


ରୋଡ୍‌ ଶୋ'ରେ ଓଡ଼ିଆ କଳା ଓ ସଂସ୍କୃତିର ଝଲକର ଦେଖିବାକୁ  ମିଳିବ । ବିଜେପି ପାର୍ଟି ଅଫିସରେ କୋଣାର୍କ ଚକ୍ର ଓ ବାଣୀବିହାର ଛକରେ ଖଣ୍ଡଗିରି ଐତିହ୍ୟ ସ୍ଥାନିତ ହେବ । ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ଭିତରେ ରାସ୍ତାକଡ଼ରେ ୧୨ଟି ଆଇକନିକ ମଣ୍ଡପ  ନିର୍ମାଣ ସରିଛି । ସେଥିରେ ସମ୍ବଲପୁରୀ, ସାନ୍ତାଳି ଭଳି ଏକାଧିକ  ଲୋକନୃତ୍ୟ ପ୍ରଦର୍ଶନ କରାଯିବ । ଝାଞ୍ଜ ମୃଦଙ୍ଗରେ ମୋଦିଙ୍କୁ  ସ୍ୱାଗତ କରାଯିବ । 


୧୧୭ ଗଳି ରାସ୍ତାରେ ଜଗିବେ ପୋଲିସ :


ବିମାନବନ୍ଦରଠାରୁ ବିଜେପି ଦଳୀୟ ଦପ୍ତର, ଜନପଥରେ  ବାଣୀବିହାର ଯାଏଁ ରୋଡ୍‌ ଶୋ’, ଜୟଦେବବିହାର, ରାଜଭବନ ଯାଏଁ ପ୍ରଧାନମନ୍ତ୍ରୀଙ୍କ କାରକେଡ୍‌ ଯିବ । ଏହି ରୁଟ୍‌ରେ ମୋଟ  ୧୧୭ଟି ଗଳି ରାସ୍ତା ଚିହ୍ନଟ କରିଛି କମିଶନରେଟ୍‌ ପୋଲିସ । ପ୍ରତି ଗଳିକୁ ପୋଲିସ ଜଗିବେ । ଟ୍ରାଫିକ୍‌ ପୋଷ୍ଟ ଓ କିଛି ବଡ଼ ଗଳିଠାରେ  ଗୋଟିଏ ଲେଖାଏଁ ସେକ୍ସନ ପୋଲିସ ଫୋର୍ସ ମୁତୟନ କରାଯିବ । କାରକେଡ୍‌ ଯିବା ବେଳେ ଗଳି ରାସ୍ତାରୁ ମୁଖ୍ୟ ରାସ୍ତା ଉପରକୁ  କାହାରିକୁ ଛଡ଼ାଯିବନି । ରୋଡ୍‌ ଶୋ’ ବେଳେ ରାମମନ୍ଦିରଠୁ ବାଣୀବିହାର ଭିତରେ ୧୫ଟି ଗଳି ଚିହ୍ନଟ କରାଯାଇଛି । ସେଠାରେ ବ୍ୟାପକ ମାତ୍ରାରେ ପୋଲିସ ଜଗିବେ । 


ପୁଷ୍ପ ବର୍ଷାରେ କଟକଣା :


ମୋଦିଙ୍କ କାର୍‌କେଡ୍‌ ଉପରକୁ ସାଧାରଣ ଜନତା ପୁଷ୍ପ ବର୍ଷା  କରିପାରିବେନି । ରସାୟନଯୁକ୍ତ ଫୁଲରେ ବିପଦ ଆଶଙ୍କା ଥିବାରୁ ଏସପିଜି ବରିଷ୍ଠ ଅଧିକାରୀ ଏଭଳି କଟକଣା କଷିଛନ୍ତି । ରୋଡ ଶୋ’ ପୂର୍ବରୁ ଏନେଇ ଯାଞ୍ଚ କରିବାକୁ କମିଶନରେଟ୍‌ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ବିଜେପିର ଦଳୀୟ ନେତାମାନେ ଫୁଲ ବର୍ଷା କରିବାକୁ ଅନୁମତି ମିଳିଛି ।

You Can Read:

ପଦ୍ମପୁରରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ଛତିଶଗଡ ନେତାଙ୍କ ପ୍ରଚାର, ସମ୍ବଲପୁରୀ ଓ ଛତିଶଗଡି ଭାଷାରେ ଗାଇଲେ ଗୀତ

  • odisha
  • OdishaNews
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.