ନୂଆଦିଲ୍ଲୀ ୧୩।୧୨; ଆସାମର ଲୋକପ୍ରିୟ ଗାୟକ ଜୁବିନ୍ ଗର୍ଗଙ୍କ ମୃତ୍ୟୁ ଘଟଣାରେ ବଡ଼ ଅପଡେଟ୍ ଆସିଛି । ଜୁବିନଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା ଷଡ଼ଯନ୍ତ୍ର ପ୍ରଶ୍ନ ଘେରରେ ରହିଥିବା ବେଳେ ମାମଲାରେ ଟାର୍ଜସିଟ୍ ଦାଖଲ ହୋଇଛି । ମୃତ୍ୟୁର ୩ ମାସ ପରେ ଚାର୍ଜସିଟ ଦାଖଲ କରିଛି ଆସାମ ପୁଲିସ୍ର ଏସଟିଏଫ୍ । ଗୌହାଟୀ ସିଜେଏମ କୋର୍ଟରେ ଏସଟିଏଫ ପକ୍ଷରୁ ଚାର୍ଜସିଟ୍ ଦାଖଲ ହୋଇଛି। ୩୦୦ ଜଣ ସାକ୍ଷୀଙ୍କ ବୟାନକୁ ଆଧାରକରି ୨୫୦୦ ପୃଷ୍ଠାର ଚାର୍ଜସିଟ୍ ହୋଇଛି । ଚାର୍ଜସିଟ୍ରେ ଜୁବୀନଙ୍କ ସମ୍ପର୍କୀୟ ଭାଇ, ନିଲମ୍ବିତ ପୋଲିସ ଅଧିକାରୀ ସନ୍ଦିପନ ଗର୍ଗଙ୍କ ବିରୁଦ୍ଧରେ ହତ୍ୟା ନୁହେଁ, ଦୋଷମୁକ୍ତ ହତ୍ୟା ଅଭିଯୋଗ ମଧ୍ୟ ରହିଛି।

ଗାୟକ ଜୁବିନଙ୍କ ମୃତ୍ୟୁ ମାମଲାରେ ଚାର୍ଜସିଟ କଡ଼ା ସୁରକ୍ଷା ଭିତରେ ଜୁଡିସିଆର ମାଜିଷ୍ଟ୍ରେଟ୍ କୋର୍ଟରେ ଦାଖଲ କରାଯାଇଛି । ଆସାମ ସରକାର ପ୍ରଥମେ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏକ ଏସଆଇଟି ଗଠନ କରିଥିଲେ । ଏକାଧିକ ଅଭିଯୋଗ ପରେ ମାମଲା ଦାୟର ହୋଇଥିଲା । ଯେଉଁଥିରେ ଅପରାଧିକ ଷଡ଼ଯନ୍ତ୍ର, ହତ୍ୟା ଏବଂ ଅବେହେଳା ଯୋଗୁଁ ମୃତ୍ୟୁ ଘଟିଥିବା ପରି ଅନେକ ଅଭିଯୋଗ ରହିଥିଲା। ପରେ ଜୁବିନଙ୍କୁ ହତ୍ୟା କରାଯାଇଥିବା ନେଇ କହିଥିଲେ ଆସାମ ମୁଖ୍ୟମନ୍ତ୍ରୀ । ମାମଲାରେ ଏସଆଇଟି ୭ ଜଣଙ୍କୁ ଗିରଫ କରିଥିଲା । NEIF ସଂଗଠକ ଶ୍ୟାମକାନୁ ମହନ୍ତ, ଜୁବିନଙ୍କ ମ୍ୟାନେଜର ସିଦ୍ଧାର୍ଥ ଶର୍ମା, ସମ୍ପର୍କୀୟ ଭାଇ ଡିଏସପି ସନ୍ଦୀପ ଗର୍ଗ, ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ନନ୍ଦେଶ୍ୱର ବୋରା ଏବଂ ପ୍ରବୀଣ ବୈଶୟା, ବ୍ୟାଣ୍ଡମେଟ ଶେଖର ଜ୍ୟୋତି ଗୋସ୍ୱାମୀ ଏବଂ ଗାୟକ ଅମୃତପ୍ରଭନ୍ତ ମହନ୍ତ ।

କହି ରଖୁଛୁ କି, ସେପ୍ଟେମ୍ବର ୧୯ ତାରିଖରେ ସିଙ୍ଗାପୁରରେ ପାଣିରେ ବୁଡିଯିବାରୁ ୫୨ ବର୍ଷୀୟ ଜୁବିନ୍ଙ୍କର ଦେହାନ୍ତ ହୋଇଥିଲା । ଯାହା ସମଗ୍ର ଆସାମକୁ ବଲିଉଡ଼କୁ ସ୍ତବ୍ଧ କରି ଦେଇଥିଲା । ସିଙ୍ଗାପୁରରେ ନର୍ଥ ଇଷ୍ଟ ଇଣ୍ଡିଆ ଫେଷ୍ଟିଭାଲରେ ଯୋଗ ଦେବାକୁ ଯାଇଥିଲେ ଜୁବିନ୍ ଗର୍ଗ । ଆସାମ ବିଧାନସଭା ଶୀତ ଅଧିବେଶନରେ ଜୁବିନଙ୍କୁ ହତ୍ୟା କରାଯାଇଥିବା କହି ସାରିଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ହତ୍ୟା କରିଥିଲେ ଅନ୍ୟମାନେ ତାଙ୍କୁ ସାହାର୍ଯ୍ୟ କରିଥିବା କହିଥିଲେ ମୁଖ୍ୟମନ୍ତ୍ରୀ । ଏତେ ବଡ଼ ଗାୟକଙ୍କ ମୃତ୍ୟୁ ପରେ ଲୋକ ତାଙ୍କୁ ନ୍ୟାୟ ଦେବାକୁ ଦାବି କରିଥିଲେ ।