ମୋରବୀ : ଗୁଜରାଟର ମୋରବୀରେ ଘଟିଛି ଏକ ଅଜବ ଏବଂ ରହସ୍ୟମୟ ଘଟଣା, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ସେଠାରେ ଥିବା ଏକ ୧୮ ଫୁଟ ଗଭୀର କୂଅର ପାଣି ହଠାତ୍ ସମୁଦ୍ର ଭଳି ଲହରୀ ଭାଙ୍ଗୁଥିବା ଦେଖିବାକୁ ମିଳିଛି । ପାଣି ଭିତରେ ଦେଖାଯାଇଛି ଅସାଧାରଣ ଢେଉ , କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ସେହି ସମୟରେ କୌଣସି ଭୂକମ୍ପ ଝଟକା ଅନୁଭୂତ ହୋଇନଥିଲା। ମୋରବୀର ଏହି ଘଟଣା ଏବେ ଲୋକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି। କୂଅର ଶାନ୍ତ ପାଣି ହଠାତ୍ ଜୋର ଜୋରରେ ହଲିବାକୁ ଲାଗିଥିଲା। ଦେଖିବାକୁ ଲାଗୁଥିଲା ଯେପରି ଏକ ଛୋଟ କୂଅ ଭିତରେ ସମୁଦ୍ରର ଲହରୀ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇପଡ଼ିଥିଲେ। କେହି ଏହାକୁ ପ୍ରାକୃତିକ ଘଟଣା ବୋଲି କହୁଥିବା ବେଳେ, ଆଉ କେହି ଏହା ପଛରେ କୌଣସି ଅଜଣା କାରଣ ଥିବା ନେଇ ଆଶଙ୍କା କରୁଛନ୍ତି।

ବିଶେଷଜ୍ଞଙ୍କ ମତରେ , ଏଭଳି ପାଣିରେ ଅସାଧାରଣ ଢେଉ ଉଠିବା ଭୂଗର୍ଭ ଜଳସ୍ତରର ପରିବର୍ତ୍ତନ, ଭୂମି ତଳର ଚାପ, ନିକଟସ୍ଥ ଭୂଗର୍ଭ କାର୍ଯ୍ୟକଳାପ କିମ୍ବା ଅନ୍ୟ କୌଣସି ପ୍ରାକୃତିକ କାରଣରୁ ହୋଇପାରେ। କିନ୍ତୁ ପ୍ରଶ୍ନ ଉଠୁଛି ଯେତେବେଳେ ଭୂକମ୍ପ ହୋଇନଥିଲା, ତେବେ ୧୮ ଫୁଟ ଗଭୀର କୂଅର ପାଣି କାହିଁକି ସମୁଦ୍ର ଭଳି ଲହରୀ ମାରିଲା? ତେବେ ଜିଲ୍ଲା ଭୂତତ୍ତ୍ୱବିଦ୍ ଜେ.ଏସ୍. ବଢେର ସ୍ପଷ୍ଟ କରିଛନ୍ତି ଯେ ପ୍ରାଥମିକ ଭାବେ ଏହି ଘଟଣା କୌଣସି ପ୍ରକାର ଭୂମିକମ୍ପର କାର୍ଯ୍ୟକଳାପ ସହ ଜଡ଼ିତ ଥିବା ପରି ଲାଗୁନାହିଁ। ସେ କହିଛନ୍ତି ଯେ, ନିକଟରେ ଉପର ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ପରେ ଭୂଗର୍ଭ ଜଳର ପୁନଃଭରଣ ଦ୍ରୁତ ଗତିରେ ହୋଇଛି। ଏହି ପ୍ରକ୍ରିୟା ସମୟରେ ଶିଳାର ସୂକ୍ଷ୍ମ ଛିଦ୍ର ଓ ଫାଟରେ ଅଟକି ରହିଥିବା ବାୟୁ ବାହାରକୁ ଆସୁଛି, ଯାହା ଫଳରେ କୂଅର ପାଣିରେ ଲଗାତାର ହଲଚଲ ଓ ତରଙ୍ଗ ସୃଷ୍ଟି ହେଉଛି। ଯାହା ଭୂମିକମ୍ପର ଭ୍ରମ ସୃଷ୍ଟି କରୁଛି | ବର୍ତ୍ତମାନ ମୋରବିର ଏହି ରହସ୍ୟମୟ ଘଟଣାର ସତ୍ୟ କାରଣ ଖୋଜିବା ପାଇଁ ଏବେ ତଦନ୍ତ ଆରମ୍ଭ ହୋଇଛି।

 

ଜେ. ଏସ୍. ବଢେର କହିଛନ୍ତି ଯେ, ଏହି ଘଟଣା ସମ୍ପର୍କରେ ଗାନ୍ଧୀନଗରସ୍ଥିତ Institute of Seismological Research ସହ ମଧ୍ୟ ପରାମର୍ଶ ନିଆଯାଇଛି। ସଂସ୍ଥା ପକ୍ଷରୁ ନିଶ୍ଚିତ କରାଯାଇଛି ଯେ, ଯେଉଁ ଅଞ୍ଚଳରେ ଏହି କୂଅ ଅବସ୍ଥିତ, ସେଠାରେ କୌଣସି ସକ୍ରିୟ ଫଲ୍ଟ ଲାଇନ୍ ନାହିଁ। ମୋରବୀ ଜିଲ୍ଲାପାଳ କହିଛନ୍ତି ଯେ, ଏହି ରହସ୍ୟମୟ ଘଟଣା ବିଷୟରେ ଗୁଜରାଟ ସରକାରଙ୍କୁ ସୂଚନା ଦିଆଯାଇଛି। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗାନ୍ଧୀନଗରରୁ ବିଶେଷଜ୍ଞମାନଙ୍କ ଏକ ଦଳ ଘଟଣାସ୍ଥଳ ପରିଦର୍ଶନ କରିବେ ଏବଂ ବୈଜ୍ଞାନିକ ପଦ୍ଧତିରେ ସମଗ୍ର ଘଟଣାର ତଦନ୍ତ କରିବେ, ଯାହାଦ୍ୱାରା ଏହାର ପ୍ରକୃତ କାରଣ ଜଣାପଡ଼ିପାରିବ।