ଓଡ଼ିଶାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ: ୪ ଲୋକସଭା ଆସନରେ ୩୭ ପ୍ରାର୍ଥୀ, ୧୭ ଜଣ କୋଟିପତି

Published By : Prameya-News7 Bureau | May 04, 2024 IST

ଭୁବନେଶ୍ୱର: ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ଚାରି ଲୋକସଭା ଆସନରେ ମତଦାନ ହେବ । ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ ଏବଂ କଳାହାଣ୍ଡିରେ ମେ ୧୩ରେ ଭୋଟ ଗ୍ରହଣ ହେବ । ଲୋକସଭା ସହ ବିଧାନସଭା ନିର୍ବାଚନ ହେଉଥିବାରୁ ଏହି ଚାରି ଲୋକସଭା ଆସନ ଅଧିନରେ ଥିବା ୨୮ ବିଧାନସଭା କ୍ଷେତ୍ର ପାଇଁ ମତଦାନ ହେବ । ତେବେ ଚାରି ଲୋକସଭା ଆସନ ପାଇଁ ମୋଟ ୩୭ ଜଣ ପ୍ରାର୍ଥୀ ମୈଦାନରେ ଅଛନ୍ତି । ଏଥି ମଧ୍ୟରୁ ୧୭ ଜଣଙ୍କ ସମ୍ପତ୍ତି ଏକ କୋଟି ଟଙ୍କାରୁ ଅଧିକ ରହିଛି । ବିଜେପି ଏବଂ ବିଜେଡି ଉଭୟ ପାର୍ଟି ଏଠୁ କୋଟିପତି ପ୍ରାର୍ଥୀଙ୍କୁ ଟିକଟ ଦେଇଛନ୍ତି ।

ଏହାରୁ ୪୬ ପ୍ରତିଶତ ପ୍ରାର୍ଥୀ କୋଟିପତି ଅଛନ୍ତି । ଏଥିରେ କଂଗ୍ରେସର ତିନି ଜଣଙ୍କ ନାଁ ରହିଛି । ଚାରି ନିର୍ଦଳୀୟ ପ୍ରାର୍ଥୀ, ଭାରତୀୟ ବିକାଶ ପରିଷଦ ଏବଂ ନୂଆ ଭାରତ ନିର୍ମାଣ ସେବା ପାର୍ଟିର ଜଣେ ଜଣେ ପ୍ରାର୍ଥୀ କୋଟିପତି ଅଛନ୍ତି ।

ଏଡିଆର ରିପୋର୍ଟ ଅନୁସାରେ କଳାହାଣ୍ଡି ଆସନରୁ ବିଜେପି ପ୍ରାର୍ଥୀ ମାଳବିକା ଦେବୀ ସବୁଠୁ ଧନୀ । ତାଙ୍କ ପାଖରେ ୪୧.୮୯ କୋଟି ଟଙ୍କାର ସମ୍ପତ୍ତି ରହିଛି । ସେହିପରି ବ୍ରହ୍ମପୁରରୁ ନିର୍ଦଳୀୟ ପ୍ରାର୍ଥୀ ଚନ୍ଦ୍ର ଶେଖର ଦ୍ୱିତୀୟ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୨୮.୭୦ କୋଟି ଟଙ୍କା ରହିଛି । ବ୍ରହ୍ମପୁରର ହିଁ ଭାରତୀୟ ବିକାଶ ପରିଷଦର ନେତା ରାଜେନ୍ଦ୍ର ଦଳବେହେରା ତୃତୀୟ ସ୍ଥାନରେ ଅଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୧୦.୩୦ କୋଟି ଟଙ୍କା । 

ରିପୋର୍ଟ ଅନୁସାରେ କୋରାପୁଟରୁ SUCI ପ୍ରାର୍ଥୀ ପ୍ରମିଳା ପୂଜାରୀ ସବୁଠୁ ଗରିବ । ତାଙ୍କ ପାଖରେ ୨୦,୬୨୫ ଟଙ୍କା ଅଛି । ବ୍ରହ୍ମପୁରରୁ ବିଜେପି ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ଉପରେ ସବୁଠୁ ଅଧିକ ୩.୮୨ କୋଟି ଟଙ୍କାର ଋଣ ରହିଛି । ୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ୭ ଜଣ ମହିଳା ଅଛନ୍ତି । ୧୪ ଜଣ ଏପରି ପ୍ରାର୍ଥୀ ଅଛନ୍ତି, ଯେଉଁମାନଙ୍କ ଶିକ୍ଷା ୫ମରୁ ଦ୍ୱାଦଶ ମଧ୍ୟରେ ରହିଛି । ୨୨ ପ୍ରାର୍ଥୀଙ୍କ ପାଖରେ ବ୍ୟାଚଲର ଡିଗ୍ରୀ ଅଛି । ୧୯ ପ୍ରତିଶତ ନେତା ନିଜ ନାଁରେ ଅପରାଧିକାର ମାମଲା ଥିବା ଜଣାଇଛନ୍ତି ।

  • Lok Sabha Election 2024
  • Elections 2024
  • Odisha assembly election 2024
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.