କ୍ରାଉଡ ଫଣ୍ଡିଂରେ କହ୍ନେୟା କୁମାର ଏପର୍ଯ୍ୟନ୍ତ ଜୁଟାଇଲେଣି ଏତିକି ପାଣ୍ଠି, ଜାଣନ୍ତୁ ନିର୍ବାଚନ ପ୍ରଚାର ଖର୍ଚ୍ଚ ଲାଗି ତାଙ୍କ ଟାର୍ଗେଟ୍ କେତେ?

Published By : Prameya-News7 Bureau | May 23, 2024 IST

ନୂଆଦିଲ୍ଲୀ ୨୩।୫: କଂଗ୍ରେସ ପ୍ରାର୍ଥୀ କହ୍ନେୟା କୁମାର ଉତ୍ତର-ପୂର୍ବ ଦିଲ୍ଲୀରୁ ନିର୍ବାଚନ ଲଢୁଛନ୍ତି। ସେ ତାଙ୍କର ନିର୍ବାଚନୀ ଖର୍ଚ୍ଚ ପାଇଁ କ୍ରାଉଡ ଫଣ୍ଡିଂର ସାହାରା ନେଇଛନ୍ତି। ତାଙ୍କର ଏହି ଅଭିଯାନକୁ ଅନେକ ଜଣାଶୁଣା ପ୍ରତିଷ୍ଠିତ ବ୍ୟାକ୍ତି ସମର୍ଥନ ଦେଉଛନ୍ତି। ଏଥିରେ କମେଡିଆନ କୁନାଲ କାମରା ଓ ଚଳଚିତ୍ର ନିର୍ମାତା ବିଶାଲ ଭରଦ୍ୱାଜ ମଧ୍ୟ ସାମିଲ ଅଛନ୍ତି। କହ୍ନେୟା କୁମାର ଏହି କ୍ରାଉଡ ଫଣ୍ଡିଂ ଅଭିଯାନକୁ ଗତ ବୁଧବାର ଏକ ଅନଲାଇନ ପ୍ଲାଟଫର୍ମ ‘ଫୁଏଲ ଏ ଡ୍ରିମ ଡଟ୍ କମ୍’ ରେ ଲଞ୍ଚ କରିଥିଲେ। 

କହ୍ନେୟା କୁମାର କହିଥିଲେ ଯେ ମୁଁ ଏହି ନିର୍ବାଚନ କ୍ରାଉଡ ଫଣ୍ଡିଂ ମାଧ୍ୟମରେ ଲଢୁଛି କାରଣ ମୋତେ ଲାଗୁଛି ଜନତାଙ୍କ ଏହି ଲଢେଇ ଜନତାଙ୍କ ସମର୍ଥନରେ ଲଢା ଯାଇପାରିବ। ଏହି ଅଭିଯାନରେ ମଙ୍ଗଳବାର ରାତି ସାଢେ ୯ଟା ସୁଦ୍ଧା ୪୮ଲକ୍ଷ ୯୮ ହଜାର ୪୫୧ ଟଙ୍କା ସଂଗ୍ରହ କରାଯାଇ ପାରିଛି, ଯାହା ଟାର୍ଗେଟ୍ ୯୨ଲକ୍ଷ ୫୦ ହଜାରର ୫୩ ପ୍ରତିଶତ। ଏବେବି ଏହି ଅଭିଯାନ ସମ୍ପୂର୍ଣ୍ଣ ହେବାକୁ ଆଉ ଦୁଇ ଦିନ ବାକି ଅଛି। 

କହ୍ନେୟା କୁମାରଙ୍କ ଦାତାଙ୍କ ମଧ୍ୟରେ କମେଡିଆନ କୁନାଲ କାମରା, ଫିଲ୍ମ ନିର୍ମାତା ବିଶାଲ ଭରଦ୍ୱାଜ, ତାଙ୍କ ପତ୍ନୀ ତଥା ଗାୟିକା ରେଖା ଭରଦ୍ୱାଜ, ଜେଏନୟୁର ପୂର୍ବତନ ପ୍ରଫେସର ଜୟତି ଘୋଷ, ବିଶ୍ୱ ବିଦ୍ୟାଳୟର ପୂର୍ବତନ ପ୍ରଫେସର ମୋହନ ରାଓ ଏବଂ ହରବଂସ ମୁଖିଆ, ଜନ ହପକିନସ ବିଶ୍ୱବିଦ୍ୟାଳୟ ସମେତ ବିଦେଶୀ ବିଶ୍ୱବିଦ୍ୟାଳୟ ଶିକ୍ଷକମାନେ ମଧ୍ୟ ସାମିଲ ଅଛନ୍ତି। ତେବେ ସର୍ବାଧିକ ଯୋଗଦାନ ସ୍ୱଳ୍ପ ରାଶିର ଯେପରି ୧୦୦ ଓ ୫୦୦ ଟଙ୍କାରେ ହୋଇଛି। ତେବେ ସବୁଠୁ ଯାହା ମଜାଦାର କଥା ତାହା ହେଉଛି ଅଧିକାଂଶ ଦାତା ସେମାନଙ୍କ ପରିଚୟ ଗୋପନ ରଖିଛନ୍ତି। 

ଅନଶୁଲ ତ୍ରିବେଦୀ ଯିଏ କହ୍ନେୟାଙ୍କ ଅଭିଯାନକୁ ଦେଖୁଛନ୍ତି ସେ କହିଛନ୍ତି ଯେ ସ୍ୱଳ୍ପ ରାଶିର ଯୋଗଦାନ ସବୁଠୁ ବଡ଼ ରାଶି ନିର୍ମାଣ କରୁଛି। ସେ କହିଛନ୍ତି ଯେ ଡୋନେସନ ମୁଖ୍ୟତଃ ସାଧାରଣ ଲୋକଙ୍କଠାରୁ ଆସୁଛି, ଯେଉଁମାନେ ରାଜନୀତିରେ ଅଂଶଗ୍ରହଣ କରିବାକୁ ଚାହୁଁଛନ୍ତି। ଏମାନେ ଗ୍ରାଉଣ୍ଡରେ ନାହାନ୍ତି ହେଲେ ସମର୍ଥନ କରିବାକୁ ଚାହୁଁଛନ୍ତି। କହ୍ନେୟା ସାଧାରଣ ଲୋକଙ୍କୁ ତାଙ୍କ ଆଧାର କରିଛନ୍ତି। ଯେଉଁମାନଙ୍କ ମଧ୍ୟରେ ଶ୍ରମିକ, ଚାଷୀ, ଛାତ୍ର ଓ ଯୁବ ବର୍ଗ ଅଛନ୍ତି। କହ୍ନେୟା ଏହି ଅଭିଯାନ ସେତେବେଳେ ଆରମ୍ଭ କରିଥିଲେ ଯେତେବେଳେ କଂଗ୍ରେସ ପାର୍ଟି ନିର୍ବାଚନ ଫଣ୍ଡିଂକୁ ନେଇ ସଂଘର୍ଷ କରୁଥିଲା। 

ପାର୍ଟିର ନିର୍ବାଚନ ପାଣ୍ଠି ନଥିବାରୁ କେତେକ ପ୍ରାର୍ଥୀ ଟିକେଟ୍ ନେଇ ଫେରାଇ ଦେଇଥିଲେ। ଚଳିତମାସ ପ୍ରାରମ୍ଭରେ ଓଡିଶାର ପୁରୀ ଲୋକସଭା ଆସନ ପ୍ରାର୍ଥୀ ସୁଚରିତା ମହାନ୍ତି ନିର୍ବାଚନ ନିମନ୍ତେ ପାର୍ଟି ଦ୍ୱାରା ପର୍ଯ୍ୟାପ୍ତ ସଂସାଧନ ଉପଲବ୍ଧ କରାନଯିବାରୁ ତାଙ୍କ ଟିକେଟ୍ ଫେରାଇ ଦେଇଥିଲେ। ପାର୍ଟିର ନିର୍ବାଚନ ଖର୍ଚ୍ଚର କୌଣସି ସୀମା ନାହିଁ। କିନ୍ତୁ ପ୍ରାର୍ଥୀଙ୍କୁ ବଡ଼ ନିର୍ବାଚନ କ୍ଷେତ୍ର ନିମନ୍ତେ ୯୫ଲକ୍ଷ ଓ ଛୋଟ ନିର୍ବାଚନ କ୍ଷେତ୍ର ନିମନ୍ତେ ୭୫ଲକ୍ଷ ପର୍ଯ୍ୟନ୍ତ ଯୋଗାଇ ଦେବାର ବ୍ୟବସ୍ଥା ରହିଛି। 

କ୍ରାଉଡ ଫଣ୍ଡିଂ କହ୍ନେୟାଙ୍କ ଲାଗି ନୂଆ ନୁହେଁ। ୨୦୧୯ରେ ସେ ବିହାରର ବେଗୁସରାୟରୁ ନିର୍ବାଚନ ଲଢିବା ପାଇଁ ୭୦ ଲକ୍ଷ ଟଙ୍କା ପାଣ୍ଠି ଯୋଗାଡ କରିଥିଲେ। କହ୍ନେୟା କୁମାରଙ୍କ କ୍ରାଉଡ ଫଣ୍ଡିଂ କେବଳ ତାଙ୍କ ନିର୍ବାଚନ ଖର୍ଚ୍ଚ ତୁଲାଇବାରେ ସହାୟତା କରୁନି ବରଂ ତାଙ୍କ ପ୍ରତି ଜନତାଙ୍କ ସମର୍ଥନକୁ ମଧ୍ୟ ପ୍ରମାଣିତ କରୁଛି। ଏହି ପଦକ୍ଷେପ ରାଜନୀତିରେ ପଇସାର ପ୍ରଭାବକୁ କମ କରିବା ଓ ଜନତାଙ୍କ ସହଯୋଗରେ ନିର୍ବାଚନ ଲଢିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.