iran protests: ବ୍ୟାପୁଛି ଇରାନ ଆନ୍ଦୋଳନ, ଯାଉଛି ଜୀବନ; ଗଲାଣି ୨ ହଜାରରୁ ଅଧିକ ପ୍ରାଣ

NEWS7
dharmendra-pradhan-press-meet-at-sambalpur

ତେହରାନ: Iran protests, ଇରାନରେ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟା ୨୦୦୦ ଅତିକ୍ରମ କଲାଣି। ଏନେଇ ଜଣେ ଇରାନୀ ଅଧିକାରୀ ସୂଚନା ଦେଇଥିବା ଅନ୍ତର୍ଜାତୀୟ ଖବର ସରବରାହ ସଂସ୍ଥା ରୟଟର୍ସ କହିଛି। ଆନ୍ଦୋଳନକାରୀଙ୍କ ମୃତ୍ୟୁ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି ବୋଲି ମିଡିଆରେ ଖବର ପ୍ରକାଶ ପାଇଛି।

ଆସୋସିଏଟେଡ୍ ପ୍ରେସ୍ ରିପୋର୍ଟ ଅନୁଯାୟୀ, ଆନ୍ଦୋଳନର କିଛି ଦିନ ପରେ ମଙ୍ଗଳବାର ପ୍ରଥମ ଥର ପାଇଁ କିଛି ଇରାନବାସିନ୍ଦା ବିଦେଶକୁ କଲ୍ କରିବାରେ ସଫଳ ହୋଇଥିଲେ। ଫଳରେ ଇରାନରେ ଘଟୁଥିବା ଘଟଣା ବିଷୟରେ ନୂଆ ତଥ୍ୟ ସାମ୍ନାକୁ ଆସିଥିଲା। ଇରାନରେ ସବୁ ସ୍ଥାନରେ ବହୁ ସଂଖ୍ୟାରେ ସେନା ମୁତୟନ କରାଯାଇଛି। ସାଧାରଣ ସମ୍ପତ୍ତିର ବ୍ୟାପକ କ୍ଷତି ହୋଇଛି। ଆଗକୁ କ'ଣ ହେବ ସେ ସେମାନେ ଗଭୀର ଚିନ୍ତା ବ୍ୟକ୍ତ କରିଛନ୍ତି।

ଏପଟେ ଆମେରିକା ଇରାନରେ ବାରମ୍ବାର ହସ୍ତକ୍ଷେପ କରୁଛି। ଯାହା ଉତ୍ତଜେନାକୁ ଆହୁରି ବଢ଼ାଇ ଦେଉଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଇରାନରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଆମେରିକା ସମର୍ଥନ କରିବ। ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ ଇରାନ ସରକାର କାର୍ଯ୍ୟାନୁଷ୍ଠାନ ନେଲେ, ସେମାନଙ୍କୁ ହତ୍ୟା କଲେ ଆମେ ଇରାନ ବିରୁଦ୍ଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି ଟ୍ରମ୍ପ କହିଥିଲେ। ଏବଂ ସେ ଆହୁରି ମଧ୍ୟ କହିଛନ୍ତି ଯେ ଇରାନ ଏ ଦିଗରେ ଆମେରିକା ସହ ଆଲୋଚନା କରିବାକୁ ରାଜି ଅଛି।

ସେପଟେ ବଡ଼ କଥା ହେଲା ଟ୍ରମ୍ପ ଇରାନ ଉପରେ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଇରାନ ସହ ବ୍ୟବସାୟ କରୁଥିବା ଦେଶମାନଙ୍କୁ ୨୫% ଶୁଳ୍କର ସାମ୍ନା କରିବାକୁ ପଡ଼ିବ ବୋଲି ଟ୍ରମ୍ପ କହିଛନ୍ତି। ଯଦି କୌଣସି ଦେଶ ଇରାନ ସହ ଯେ କୌଣସି ବ୍ୟବସାୟରେ ଲିପ୍ତ ରହିବେ ସେମାନଙ୍କ ଉପରେ ଆମେରିକା ୨୫% ଶୁଳ୍କ ଲଗାଇବ ବୋଲି ଟ୍ରମ୍ପ କହିଛନ୍ତି।

ଡୋନାଲ୍ଡ ଟ୍ରମ୍ପଙ୍କର ଏଭଳି ମନ୍ତବ୍ୟକୁ ନେଇ ଇରାନରେ ଅସ୍ଥିରତା ଆହୁରି ବଢ଼ି ଯାଉଛି। ବର୍ତ୍ତମାନ ଦେଶର ଆନ୍ଦୋଳନ ସରକାରୀ ବିରୋଧୀ ଓ ସରକାରୀ ସମର୍ଥୀତଙ୍କ ମଧ୍ୟରେ ଜାରି ରହିଛି। ଇରାନର ଜନତା ଦୁଇ ଭାଗରେ ବାଣ୍ଟି ହୋଇଯାଇଛନ୍ତି।