ନୂଆଦିଲ୍ଲୀ ୨୩।୦୫: ବଲିଉଡ ଅଭିନେତା ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଆୟାଜୁଦ୍ଦିନଙ୍କ ବିଷୟରେ ବଡ ଖବର ସାମ୍ନାକୁ ଆସିଛି। ଏହି ଖବର ବିଷୟରେ ଜାଣି ସଭିଏଁ ଆଶ୍ଚର୍ଯ୍ୟ ହୋଇଯିବେ । ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ଆୟାଜୁଦ୍ଦିନଙ୍କୁ ଗିରଫ କରାଯାଇଛି। ଜାଲିଆତି ଅଭିଯୋଗରେ ନୱାଜଙ୍କ ବଡ ଭାଇଙ୍କୁ ୨୨ ମେ ବୁଧବାର ଦିନ ଉତ୍ତରପ୍ରଦେଶର ମୁଜାଫରନଗରରେ ପୋଲିସ ଗିରଫ କରିଥିଲା।
ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇଙ୍କୁ କାହିଁକି ଗିରଫ କରାଗଲା?
ନିଜର ଦୃଢ ଅଭିନୟ ସହିତ ଲୋକଙ୍କ ହୃଦୟରେ ସ୍ଥାନ ସୃଷ୍ଟି କରିଥିବା ନୱାଜୁଦ୍ଦିନ ସିଦ୍ଦିକିଙ୍କ ଭାଇଙ୍କ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ନୱାଜୁଦ୍ଦିନଙ୍କ ଭାଇ ବେଆଇନ ଭାବେ ଜିଲ୍ଲା ମାଜିଷ୍ଟ୍ରେଟ କୋର୍ଟଙ୍କ ତରଫରୁ ଏକତ୍ରୀକରଣ ବିଭାଗକୁ ଏକ ନିର୍ଦ୍ଦେଶ ପତ୍ର ଦେଇଛନ୍ତି। ଜାଭେଦ ଇକବାଲ ନାମକ ଜଣେ ବ୍ୟକ୍ତିଙ୍କ ସହ ଚାଲିଥିବା କୃଷି ଜମି ବିବାଦ ସମ୍ପର୍କରେ ଏହା କରାଯାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହା ପ୍ରକାଶ ପାଇଲା ଯେ ଜାରି କରାଯାଇଥିବା ଆଦେଶ ନକଲି ଅଟେ।
ଏହା ପରେ ଜିଲ୍ଲା ମାଜିଷ୍ଟ୍ରେଟ ଏକ ଅଭିଯୋଗ ଦାଖଲ କରିଥିଲେ ଏବଂ ଭାରତୀୟ ଦଣ୍ଡବିଧି ଆଇନର ଧାରା ୪୨୦, ୪୬୭, ୪୬୮ ଏବଂ ୪୭୧ ଅନୁଯାୟୀ ଆୟାଜୁଦ୍ଦିନଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା। ଏହା ପ୍ରଥମ ଘଟଣା ନୁହେଁ ଯେ ନୱାଜୁଦ୍ଦିନଙ୍କ ଭାଇ ଅସୁବିଧାରେ ଅଛନ୍ତି। ୨୦୧୮ରେ ଆୟାଜୁଦ୍ଦିନ ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ଫଟୋ ସେୟାର କରି ଧାର୍ମିକ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଥିଲା। ନୱାଜୁଦ୍ଦିନ ସିଦ୍ଦିକିଙ୍କ ବଡ ଭାଇ ବର୍ତ୍ତମାନ ପୋଲିସ ହେପାଜତରେ ଅଛନ୍ତି।