ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର କଳା, ସାହିତ୍ୟ, ଚିକିତ୍ସା, ବିଜ୍ଞାନ ଓ ଖେଳ ସମେତ ବିଭିନ୍ନ କ୍ଷେତ୍ରରେ ଲବ୍ଧ ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ଦେଶର ଶୀର୍ଷ ନାଗରିକ ସମ୍ମାନରେ ସମ୍ବର୍ଦ୍ଧିତ କରିଛନ୍ତି। ଚଳିତବର୍ଷ ୧୩୧ ଜଣ ବ୍ୟକ୍ତିତ୍ୱଙ୍କୁ ପଦ୍ମ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ୫ ଜଣଙ୍କୁ ପଦ୍ମ ବିଭୂଷଣ, ୧୩ ଜଣଙ୍କୁ ପଦ୍ମ ଭୂଷଣ ଓ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାରରେ ସମ୍ବର୍ଦ୍ଧିତ କରାଯାଇଛି। ତେବେ ସୋମବାର ପ୍ରଥମ ପର୍ଯ୍ୟାୟରେ ୬୬ ଜଣ ପଦ୍ମ ପୁରସ୍କାରରେ ସମ୍ବର୍ଦ୍ଧିତ ହୋଇଛନ୍ତି। ବାକି ୬୫ ଜଣଙ୍କୁ ପରବର୍ତ୍ତି ପର୍ଯ୍ୟାୟରେ ପୁରସ୍କୃତ କରାଯିବ। ଏହା ପୂର୍ବରୁ ରାଷ୍ଟ୍ରପତି ଜାନୁୟାରୀ ମାସରେ ୨୦୨୬ ପଦ୍ମ ପୁରସ୍କାର ଘୋଷଣା କରିଥିଲେ। 

ପରଲୋକଗତ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ରଙ୍କୁ (ମରଣୋପରାନ୍ତ), ସୁପ୍ରିମକୋର୍ଟର ପୂର୍ବତନ ଜଜ୍ କେ.ଟି.ଥୋମାସ, କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଭି.ଏସ୍.ଅଚ୍ୟୁତାନନ୍ଦନ (ମରଣୋପରାନ୍ତ) ସମେତ ୫ ଜଣଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି।

ସେହିପରି ଗାୟିକା ଅଲଗା ୟାଜ୍ଞିକ୍, ଅଭିନେତା ମମୁଟି, ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ, ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଭଗତ ସିଂହ କୋଶ୍ୟାରୀ, ଉଦୟ କୋଟକ ଓ ପିୟୁଷ ପାଣ୍ଡେୟଙ୍କ ସମେତ ୧୩ ଜଣ ବ୍ୟକ୍ତିଙ୍କୁ ପଦ୍ମ ଭୂଷଣ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଏହାଛଡା ଅଭିନେତା ଆର.ମାଧବନ, କ୍ରିକେଟର ରୋହିତ ଶର୍ମା, ମହିଳା କ୍ରିକେଟ ଟିମ୍ ଅଧିନାୟକ ହରମନପ୍ରୀତ କୌର, ପାରା ଆଥଲେଟ୍ ପ୍ରବୀଣ କୁମାରଙ୍କ ସମେତ ୧୧୩ ଜଣଙ୍କୁ ପଦ୍ମ ଶ୍ରୀ ପୁରସ୍କାରରେ ସମ୍ମାନୀତ କରାଯାଇଛି।

ପ୍ରଥମ ପର୍ଯ୍ୟାୟରେ ସମ୍ମାନୀତ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ 

  • ପିୟୁଷ ପାଣ୍ଡେୟ (ପଦ୍ମ ଭୂଷଣ) 
  • ଜଗଦୀଶ କୁମାର (ପଦ୍ମଶ୍ରୀ)
  • ଅରବିନ୍ଦ ବୈଦ୍ୟ (ପଦ୍ମଶ୍ରୀ)
  • ଅଭିନେତା ପ୍ରୋସେନଜିତ ଚାଟାର୍ଜୀ (ପଦ୍ମଶ୍ରୀ)
  • ତବଲାବାଦକ କୁମାର ବୋଷ (ପଦ୍ମଶ୍ରୀ)
  • ଲୋକଗାୟକ ଭରତ ସିଂହ ଭାରତୀ (ପଦ୍ମଶ୍ରୀ) 
  • ଭାୟୋଲିନ ବାଦକ ଏନ.ରାଜ (ପଦ୍ମ ବିଭୂଷଣ)
  • ତେଚୀ ଗୁବନ (ପଦ୍ମଶ୍ରୀ)
  • କୈଳାଶ ଚନ୍ଦ୍ର ପନ୍ଥ (ପଦ୍ମଶ୍ରୀ)
  • ସତ୍ୟନାରାୟଣ ନୂୱାଲ (ପଦ୍ମଶ୍ରୀ) 
  • କେ.ପଜନୀଭେଲ (ପଦ୍ମଶ୍ରୀ) ପୁରସ୍କାରରେ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ ହୋଇଛନ୍ତି।