ନୂଆଦିଲ୍ଲୀ: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦ୍ୱାରା ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଶୁଭାରମ୍ଭ ହୋଇଥିବା ପୁନଃମୂଲ୍ୟାଙ୍କନ ଓ ଯାଞ୍ଚ ପୋର୍ଟାଲ ଗୁରୁତର ସାଇବର ଆକ୍ରମଣର ଶିକାର ହୋଇଛି। ବୋର୍ଡ ପକ୍ଷରୁ ସୂଚନା ମିଳିଛି ଯେ, ପୋର୍ଟାଲଟି ସକ୍ରିୟ ହେବାର ଅଳ୍ପ ସମୟ ମଧ୍ୟରେ ଏହା ଉପରେ ଏକ ବଡ଼ ଧରଣର ସାଇବର ଆକ୍ରମଣ ହୋଇଛି। କେବଳ ୨ ମିନିଟ୍ ମଧ୍ୟରେ ପୋର୍ଟାଲରେ ପ୍ରାୟ ୧୫ ଲକ୍ଷ (୧.୫ ମିଲିଅନ) 'ହିଟ୍ସ' ରେକର୍ଡ କରାଯାଇଛି, ଯାହା ଏକ ଡିନାଇଆଲ ଅଫ୍ ସର୍ଭିସ୍ (DoS) ଆକ୍ରମଣ ବୋଲି ସନ୍ଦେହ କରାଯାଉଛି।

ସିବିଏସ୍‌ଇ ଏକ୍ସରେ ପୋଷ୍ଟ କରି ଏନେଇ ସୂଚନା ଦେଇଛି। ବୋର୍ଡର ସୂଚନା ଅନୁଯାୟୀ ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା CBSE ପୁନଃମୂଲ୍ୟାୟନ ପୋର୍ଟାଲ୍ ମାଧ୍ୟମରେ ୧୬ ହଜାରୁ ଅଧିକ ଛାତ୍ରଛାତ୍ରୀ ଆବେଦନ ଦାଖଲ କରିଥିଲେ। ଏହି ସମୟରେ ପ୍ଲାଟଫର୍ମକୁ ଲକ୍ଷାଧିକ ଥର ସାଇବର ଆକ୍ରମଣ ପ୍ରୟାସର କରାଯାଇଛି।

Also Read - ଦଳ ଛଡ଼ାଇ ନେବାକୁ ମେଳି ବାନ୍ଧିଛନ୍ତି ୫୦ ବିଦ୍ରୋହୀ ବିଧାୟକ ! ମମତା କହିଲେ, ସାରା ଜୀବନ ମୋ ସପୋର୍ଟ ପାଇଲ, ଆଉ ଏବେ...

ଏହା ବ୍ୟତୀତ, ଫାଇଲଗୁଡ଼ିକୁ ଅନଧିକୃତ ଭାବେ ହାସଲ କରିବା ପାଇଁ ୧ ଲକ୍ଷରୁ ଅଧିକ ପ୍ରୟାସ କରାଯାଇଥିବା ବୋର୍ଡ ଚିହ୍ନଟ କରିଛି। ବୋର୍ଡ ସ୍ପଷ୍ଟ କରିଛି ଯେ, ଏହି ସାଇବର ଆକ୍ରମଣ ସତ୍ତ୍ୱେ ପୋର୍ଟାଲଟି କାର୍ଯ୍ୟକ୍ଷମ ରହିଛି। ମଙ୍ଗଳବାର ଅପରାହ୍ନ ୩ଟା ସୁଦ୍ଧା ୧୬,୦୦୦ରୁ ଅଧିକ ଛାତ୍ରଛାତ୍ରୀ ସଫଳତାର ସହ ସେମାନଙ୍କ ଆବେଦନ ଦାଖଲ କରିସାରିଛନ୍ତି। ବର୍ତ୍ତମାନ ପୋର୍ଟାଲଟି ଏକସଙ୍ଗେ ୮,୦୦୦ରୁ ଅଧିକ ଉପଭୋକ୍ତାଙ୍କୁ ସେବା ଯୋଗାଇବାକୁ ସକ୍ଷମ ଅଛି।

ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ବୋର୍ଡ ପୋର୍ଟାଲରେ କିଛି ପରିବର୍ତ୍ତନ ମଧ୍ୟ କରିଛି, ଯେଉଁଥିରେ ସେସନ ସମୟ ସୀମା (session time limit) ବୃଦ୍ଧି କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ବୈଷୟିକ ତ୍ରୁଟି ହେତୁ ପୋର୍ଟାଲର ଶୁଭାରମ୍ଭରେ ବିଳମ୍ବ ହୋଇଥିଲା। ସରକାରୀ ଏଜେନ୍ସି ଓ ଆଇଆଇଟି (IIT) ର ସାଇବର ସୁରକ୍ଷା ବିଶେଷଜ୍ଞମାନେ ବର୍ତ୍ତମାନ ପୋର୍ଟାଲର ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବା ପାଇଁ କାର୍ଯ୍ୟ କରୁଛନ୍ତି। ଆବେଦନ ପ୍ରକ୍ରିୟା ଜୁନ୍ ୬ ପର୍ଯ୍ୟନ୍ତ ଜାରି ରହିବ।