ନ୍ୟୁୟର୍କ,୦୨|୦୭ଏବେ ସମସ୍ତେ ବଢାଉଛନ୍ତି ମହାକାଶରେ ଶକ୍ତି । ବିଭିନ୍ନ ଦେଶ ପୃଥିବୀର ଅକ୍ଷକୁ ସାଟେଲାଇଟ୍ ପଠାଉଛନ୍ତି । ପ୍ରାୟ ୧୪ ହଜାରରୁ ଅଧିକ ସାଟେଲାଇଟ୍ ପୃଥିବୀର ପରିକ୍ରମା କରୁଛି । ଆଗକୁ ଅଧିକରୁ ଅଧିକ କୃତ୍ରିମ ଉପଗ୍ରହ ମହାକାଶକୁ ଯିବ ବୋଲି ଜଣା ପଡିଛି । କିଛି ବର୍ଷ ମଧ୍ୟରେ ପୃଥିବୀର ଲୋୟର ଆର୍ଥ ଅର୍ବିଟରେ ୧୭ ଲକ୍ଷ ସାଟେଲାଇଟ୍ ଘୁରିବୁଲିବ । ୟୁରୋପୀୟନ ସଦର୍ଣ୍ଣ ଅବଜରଭେଟୋରି ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟରେ ଆଗାମୀ ଦିନରେ କିପରି ରାତିର ଆକାଶ ଦେଖାଯିବ ତାହା ମଧ୍ୟ ଅନୁମାନ କରାଯାଇଛି ।

ମାଳମାଳ ଉପଗ୍ରହ

ଏଲନ୍ ମସ୍କଙ୍କ କମ୍ପାନୀ ସ୍ପେସ୍ ଏକ୍ସର ମହାକାଶରେ ହଜାରେରୁ ଅଧିକ ଆକ୍ଟିଭ୍ ସାଟେଲାଇଟ୍ ରହିଛି । ଏହାକୁ ଇଣ୍ଟରନେଟ୍ ସେବା ପ୍ରଦାନରେ ବ୍ୟବହାର କରାଯାଏ । ଆଗାମୀ ଦିନରେ କମ୍ପାନୀ ଅତିରିକ୍ତ ୧୦ ଲକ୍ଷ ସାଟେଲାଇଟ୍ ପଠାଇବ । ସେହିପରି ଇ-ସ୍ପେସ୍ ମଧ୍ୟ ହଜାରରୁ ଅଧିକ ଉପଗ୍ରହ ପଠାଇବାକୁ ଲକ୍ଷ୍ୟ ରଖିଛି । ସେହିପରି ଚାଇନାର ସିଟିସି-୧ ଏବଂ ସିଟିସି-୨ ୧୦ ହଜାର ଉପଗ୍ରହ ପଠାଇପାରେ । ଆଗାମୀ ଦିନରେ ୫୦ ହଜାରରୁ ଅଧିକ ଦର୍ପଣ ଭଳି କାମ କରୁଥିବା ସାଟେଲାଇଟ୍ ମହାକାଶରେ ଆକ୍ଟିଭ୍ ରହିବ । ଯାହା ସୂର୍ଯ୍ୟାଲୋକକୁ ପ୍ରତିଫଳିତ କରିବ । ଫଳରେ ଆକାଶ ଅଧିକରୁ ଅଧିକ ଉଜ୍ଜ୍ୱଳ ଦେଖାଯିବ ।

କେତେବେଳେ ବଢିବ ବିପଦ

ଇଏସଓର ବୈଜ୍ଞାନିକ ଅଲିଭର୍ ହେନଟଙ୍କ ରିପୋର୍ଟ ଅନୁସାରେ, ପୃଥିବୀର ଲୋୟର ଅର୍ବିଟିରେ ଏକ ଲକ୍ଷରୁ ଅଧିକ ସାଟେଲାଇଟ୍ ରହିବା ଠିକ୍ ନୁହେଁ । ଲକ୍ଷେ ଭିତରେ ସାଟେଲାଇଟ୍ ସଂଖ୍ୟା ରହିଲେ ବେଶି କିଛି ବିପଦ ନାହିଁ । କିନ୍ତୁ ୧୭ ଲକ୍ଷ ସାଟେଲାଇଟ୍ ନିଷ୍ଚୟ ଅନେକ ବିପଦକୁ ଟାଣି ଆଣିବ । ଯାହା ସାଧାରଣ ସଂଖ୍ୟାଠୁ ୧୭ ଗୁଣା ବେଶି । ଯାହା ଅନେକ ଟେଲିସ୍କୋପର ଦକ୍ଷତାକୁ କମାଇଦେବ । ମହାଜାଗତିକ ବସ୍ତୁର ଫଟୋ ସଠିକ୍ ଭାବେ ଉତ୍ତୋଳନ ହୋଇପାରିବ ନାହିଁ ।

ଅଧିକ ବିପଜ୍ଜନକ ମିରର୍ ସାଟେଲାଇଟ୍

ଆକାଶରେ ବିଭିନ୍ନ ମହାକାଶ ଗବେଷଣା ସଂସ୍ଥା ୫୦ ହଜାର ଦର୍ପଣ ଭଳି ସାଟେଲାଇଟ୍ ପଠାଇବାକୁ ଯୋଜନା କରୁଛନ୍ତି । ଯାହା ସୂର୍ଯ୍ୟାଲୋକକୁ ପ୍ରତିଫଳନ କରିବ । ଏହାଦ୍ୱାରା ଆକାଶର ଉଜ୍ଜ୍ୱଳତା ବଢିବ । ଯାହା ଦ୍ୱାରା ଦୂରରେ ଥିବା ଗ୍ୟାଲେକ୍ସି କିମ୍ବା ଅନ୍ୟ ଗ୍ରହକୁ ଟେଲିସ୍କୋପରେ ସଠିକ ଭାବେ ଦେଖିହେବ ନାହିଁ । ଯାହା ମହାକାଶ ଗବେଷଣାରେ ବାଧକ ହେବ ।

ବୈଜ୍ଞାନିକଙ୍କ ଚେତାବନୀ

ହେନଟ୍ କହିଛନ୍ତି ଯେ, ଅକ୍ଷପଥରେ ୧୭ ଲକ୍ଷ ସାଟେଲାଇଟ୍ ଲାଗିବା ଛୋଟ କଥା ନୁହେଁ । ଯାହା ଦ୍ୱାରା ଆଗାମୀ ୧୦ ବର୍ଷ ମଧ୍ୟରେ ଭୃପୃଷ୍ଠରୁ ମହାକାଶ ଉପରେ ନଜର ରଖିବା ସହଜ ହେବନି । ଏପରିକି ପ୍ରାକୃତିକ ଭାବେ ରାତିରେ ଅନ୍ୟ କୌଣସି ତାରା ଦେଖିବାକୁ ମିଳିବନି । ଉଜ୍ଜ୍ୱଳତା କାରଣରୁ ରାତିରେ ଆକାଶ ଭିନ୍ନ ଲାଗିବ ।