ନିମାପଡ଼ା: ବିଗତ କିଛି ଦିନ ହେବ ରାଜ୍ୟରେ ଆପରାଧିକ ମାମଲା ବଢ଼ିଛି। କେଉଁଠି ବିଚ୍ ରାସ୍ତାରେ ଯୁବକଙ୍କୁ ପିଟାଯାଉଛି ତ’ କେଉଁଠି ଗୁଳିମାଡ଼। ଅବଶ୍ୟ ପୋଲିସ ବି ବେଶ୍‌ ଆକ୍ଟିଭ ହୋଇଛି। ତଥାପି ଦୁର୍ବୁତ୍ତଙ୍କ ଦୌରାତ୍ମ୍ୟ କମୁନାହିଁ। ଆଉ ଏହାରି ମଧ୍ୟ​‌ରେ ପୁରୀ ଜିଲ୍ଲା ନିମାପଡ଼ା ଶ୍ୟାମସୁନ୍ଦରପୁର ଅଞ୍ଚଳରୁ ଆସିଛି ଯୁବକଙ୍କୁ ଛୁରାମାଡ଼ ଘଟଣା। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ ହୋଇଥିବା ଜଣାପଡ଼ିଛି। ଛୁରାମାଡ଼ରେ ଆହତ ହୋଇଛନ୍ତି ଶ୍ୟାସୁନ୍ଦରପୁର ଅଞ୍ଚଳର କାର୍ତ୍ତିକ ସେଠୀ।

ସୂଚନା ଅନୁସାରେ, କାର୍ତ୍ତିକ ସେଠୀଙ୍କ ସହିତ ସେହି ଅଞ୍ଚଳର ସୋମନାଥ ସେଠୀଙ୍କ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିଲା। ହେଲେ ସୋମବାର ଏହି ବିବାଦ ଉଗ୍ର ରୂପ ନେଇଥିଲା। ଏମିତିରେ କାର୍ତ୍ତିକ ସନ୍ଧ୍ୟାରେ କାମ ସାରି ଘରକୁ ଫେରୁଥିବା ସମୟରେ ସୋମନାଥ ଏବଂ ତାଙ୍କ ଦୁଇ ସହଯୋଗୀ ଟୁକୁ ସେଠୀ ଏବଂ ବୁଦ୍ଧିଆ ସେଠୀ ଯୋଜନାବଦ୍ଧ ଭାବେ କାର୍ତ୍ତିକଙ୍କୁ ଛୁରାମାଡ଼ କରିଥିଲେ। ଏଥିରେ କାର୍ତ୍ତିକ ସେଠୀଙ୍କ ମୁଣ୍ଡ ଏବଂ କାନରେ ଗଭୀର ଆଘାତ ଲାଗିଥିଲା। ଏହାରି ମଧ୍ୟରେ କାର୍ତ୍ତିକଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଧାଇଁ ଆସିବାରୁ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ମାରିଥିଲେ ।

ତେବେ କାର୍ତ୍ତିକଙ୍କୁ ଗୁରୁତର ଆହତ ଅବସ୍ଥାରେ ନିମାପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଜଣାପଡ଼ିଛି ଆଗରୁ ମଧ୍ୟ ଅଭିଯୁକ୍ତ ମାନେ କାର୍ତ୍ତିକଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ।  ଯାହାର ସିସିଟିଭି ଫୁଟେଜ ମଧ୍ୟ ମିଳିଛି। ଏନେଇ କାର୍ତ୍ତିକଙ୍କ ବଡ଼ ଭାଇ ତୋଫାନ ସେଠୀ ନିମାପଡ଼ା ଥାନାରେ ଅଭିଯୋଗ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି।