ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ୧୮ତମ ବ୍ରିକ୍ସ (BRICS) ସମ୍ମିଳନୀ ଅବସରରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ସ୍ପଷ୍ଟ କରିଛନ୍ତି ଯେ, ମଧ୍ୟପ୍ରାଚ୍ୟ ଏବଂ ଗଲ୍ଫ ଅଞ୍ଚଳରେ ଚାଲିଥିବା ସଂଘର୍ଷ ସାଧାରଣ ଜନତାଙ୍କୁ କ୍ଷତି ପହଞ୍ଚାଇଛି। ଏହି ଯୁଦ୍ଧ ବିଶ୍ୱ ସମୁଦାୟର କୌଣସି ସାଧାରଣ ସ୍ୱାର୍ଥ ସାଧନ କରେ ନାହିଁ।

ସେ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକୁ ‘ଇତିହାସର ସଠିକ୍ ପାର୍ଶ୍ୱରେ’ ଛିଡ଼ା ହେବାକୁ ଏବଂ ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଅଗ୍ରଣୀ ଭୂମିକା ଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ଜିନପିଙ୍ଗ କହିଛନ୍ତି ଯେ, ଅନ୍ୟ ଦେଶର ସାର୍ବଭୌମତ୍ୱ (Sovereignty) ଉଲ୍ଲଂଘନ ଏବଂ ସେମାନଙ୍କର ଅନ୍ତରୀଣ ମାମଲାରେ ବେଆଇନ ହସ୍ତକ୍ଷେପକୁ ବ୍ରିକ୍ସ ଦେଶଗୁଡ଼ିକ ଦୃଢ଼ ଭାବରେ ବିରୋଧ କରିବା ଉଚିତ୍।

ମଧ୍ୟପ୍ରାଚ୍ୟ ଏବଂ ଗଲ୍ଫ ଅଞ୍ଚଳରେ ଶାନ୍ତି ଏବଂ ସ୍ଥିରତା ଫେରାଇ ଆଣିବା ପାଇଁ ଚୀନ୍ ଅନ୍ୟ ବ୍ରିକ୍ସ ସଦସ୍ୟ ଦେଶଗୁଡ଼ିକ ସହ ମିଶି କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ସେ ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ଶାନ୍ତି ସହ ବ୍ରିକ୍ସ ଦେଶଗୁଡ଼ିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (AI) ସେକ୍ଟରରେ ପରଷ୍ପର ମଧ୍ୟରେ ସହଯୋଗ ବୃଦ୍ଧି କରିବାକୁ ସି ଜିନପିଙ୍ଗ ପ୍ରସ୍ତାବ ଦେଇଛନ୍ତି।

୨୦୨୭ ମସିହାରେ ଚୀନ୍ ବ୍ରିକ୍ସର ଅଧ୍ୟକ୍ଷତା ଗ୍ରହଣ କରିବ ଏବଂ ୧୯ତମ ବ୍ରିକ୍ସ ସମ୍ମିଳନୀ ଆୟୋଜନ କରିବ ବୋଲି ସେ ଘୋଷଣା କରିଛନ୍ତି। ନୂଆଦିଲ୍ଲୀ ବ୍ରିକ୍ସ ସମ୍ମିଳନୀରେ ସି ଜିନପିଙ୍ଗ, ବିଶ୍ୱ ଶାନ୍ତି ପ୍ରତିଷ୍ଠା, ଦେଶଗୁଡ଼ିକର ସାର୍ବଭୌମତ୍ୱର ସୁରକ୍ଷା ଏବଂ ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ବନ୍ଦ କରିବା ପାଇଁ ବ୍ରିକ୍ସର ଆଭିମୁଖ୍ୟ ଉପରେ ଗୁରୁତ୍ବାରୋପ କରିଛନ୍ତି।