ଦିଲ୍ଲୀ : ଦୀର୍ଘ ୭ ବର୍ଷର ବ୍ୟବଧାନ ପରେ ଭାରତ ମାଟିରେ ପାଦ ରଖୁଛନ୍ତି ଚୀନ୍ ରାଷ୍ଟ୍ରପତି ସି.ଜିନପିଙ୍ଗ୍ । ନୂଆଦିଲ୍ଲୀରେ ଆୟୋଜିତ ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସେ ଭାରତ ଆସୁଛନ୍ତି। ୨୦୧୯ ପରେ ଏହା ଜିନପିଙ୍ଗଙ୍କ ପ୍ରଥମ ଭାରତ ଗସ୍ତ। ଏହି ଗସ୍ତକୁ କେବଳ ବ୍ରିକ୍ସ ସମ୍ମିଳନୀ ଭାବେ ନୁହେଁ, ବରଂ ଭାରତ-ଚୀନ୍ ସମ୍ପର୍କରେ ନୂଆ ଅଧ୍ୟାୟର ସଙ୍କେତ ଭାବେ ଦେଖାଯାଉଛି।

ଗତ କିଛି ବର୍ଷ ଧରି ସୀମା ବିବାଦ ଓ ଗଲୱାନ୍ ଘଟଣାକୁ ନେଇ ଦୁଇ ଦେଶର ସମ୍ପର୍କରେ ତିକ୍ତତା ରହିଥିଲା। ୨୦୨୦ର ଗଲୱାନ୍ ସଂଘର୍ଷ ପରେ ଦୁଇ ଦେଶ ମଧ୍ୟରେ ସାମରିକ ଓ କୂଟନୈତିକ ଦୂରତା ବଢ଼ିଥିଲା। କିନ୍ତୁ ୨୦୨୪ ପରେ ସମ୍ପର୍କରେ ଧୀରେ ଧୀରେ ସୁଧାର ଆସିବା ଆରମ୍ଭ ହୋଇଛି। ସୀମାରେ ପାଟ୍ରୋଲିଂ ନେଇ ବୁଝାମଣା, ସିଧାସଳଖ ବିମାନ ସେବା ପୁନଃ ଆରମ୍ଭ ଏବଂ ବାଣିଜ୍ୟିକ ସମ୍ପର୍କ ସୁଧାରିବା ଦିଗରେ ପଦକ୍ଷେପ ନିଆଯାଇଛି।

ତେବେ ଏହି ସମ୍ମିଳନୀରେ ସମସ୍ତଙ୍କ ନଜର ମୋଦୀ-ଜିନପିଙ୍ଗ୍ ଦ୍ୱିପାକ୍ଷିକ ବୈଠକ ଉପରେ। ସୀମା ସମସ୍ୟା ସହିତ ବାଣିଜ୍ୟ , ବଜାର ପ୍ରବେଶ, ଭିସା, ନିବେଶ ଏବଂ ଦୁଇ ଦେଶ ମଧ୍ୟରେ ଆର୍ଥିକ ସହଯୋଗ ଭଳି ପ୍ରସଙ୍ଗ ଆଲୋଚନାକୁ ଆସିପାରେ। ତେବେ ଭାରତ-ଚୀନ୍ ସମ୍ପର୍କରେ ଏହାକୁ ତୁରନ୍ତ ସମ୍ପୂର୍ଣ୍ଣ ‘ରିସେଟ୍’ ବୋଲି କହିବା ଠିକ୍ ହେବ ନାହିଁ। ସୀମା ବିବାଦ, ସୁରକ୍ଷା ଚିନ୍ତା ଏବଂ ରଣନୈତିକ ପ୍ରତିଯୋଗିତା ଭଳି ପ୍ରସଙ୍ଗ ଏବେ ବି ରହିଛି। ତେଣୁ ଜିନପିଙ୍ଗଙ୍କ ଏହି ଭାରତ ଗସ୍ତ ସମ୍ପର୍କ ସୁଧାର ପାଇଁ ବଡ଼ ପଦକ୍ଷେପ ନା ରଣନୈତିକ କୂଟନୀତିର ନୂଆ ଚାଲ୍, ତାହା ଉପରେ ଏବେ ସାରା ବିଶ୍ୱର ନଜର।