ସମ୍ବଲପୁର: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ସମ୍ବଲପୁର ରେଳ ଡିଭିଜନର ‘ଡିଭିଜନାଲ ବୈଠକ’ରେ ମଙ୍ଗଳବାର ଓଡ଼ିଶାର ପଶ୍ଚିମାଞ୍ଚଳ ଓ ପଡ଼ୋଶୀ ଛତିଶଗଡ଼ର ଲୋକସଭା ସାଂସଦମାନଙ୍କ ଉପସ୍ଥିତିରେ ରେଳ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ କଳାହାଣ୍ଡି, ବଲାଙ୍ଗୀର, ବରଗଡ଼ ଏବଂ ଛତିଶଗଡ଼ର ସାଂସଦମାନେ ଯୋଗଦେଇ ଅଞ୍ଚଳର ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଛନ୍ତି।

ଏହି ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଓଡ଼ିଶାର ବହୁ ପ୍ରତୀକ୍ଷିତ ଖୋର୍ଦ୍ଧା ରୋଡ଼-ବଲାଙ୍ଗୀର, ତାଳଚେର-ବିମଳାଗଡ଼, ଜରପଡ଼ା-ସମ୍ବଲପୁର ଏବଂ ଶାସନ-ଝାରସୁଗୁଡ଼ା ତୃତୀୟ ଓ ଚତୁର୍ଥ ଲାଇନ କାର୍ଯ୍ୟର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ବୈଠକରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଥିଲା । ଏହି ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ କରିବାକୁ ଚର୍ଚ୍ଚା ହୋଇଛି ।

ବରଗଡ଼-ନୂଆପଡ଼ା, ଝାରସୁଗୁଡ଼ା-ବାରକୋଟ ଏବଂ ଏମସିଏଲ ରେଳ ଲାଇନ ପ୍ରକଳ୍ପ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ପ୍ରାଥମିକତା ପ୍ରଦାନ କରାଯାଇଛି । ଓଡ଼ିଶାର ପଶ୍ଚିମାଞ୍ଚଳରୁ ବିଶାଖାପାଟଣା, ରାୟପୁର, ରାଞ୍ଚି ସମେତ ଅନ୍ୟ ରାଜ୍ୟଗୁଡ଼ିକୁ ଅଧିକ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳ କରାଇବା ପାଇଁ ଦାବି ଏବଂ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଛି । ଯାତ୍ରୀସେବାରେ ଉନ୍ନତି ଆଣିବା ପାଇଁ ‘ଅମୃତ ଷ୍ଟେସନ’ ଯୋଜନା ଅନ୍ତର୍ଗତ ସମ୍ବଲପୁର ସମେତ ଅନ୍ୟାନ୍ୟ ରେଳ ଷ୍ଟେସନଗୁଡ଼ିକର ନବୀକରଣ ଓ ଆଧୁନିକୀକରଣ କାର୍ଯ୍ୟକୁ ଆଗେଇ ନେବା ଦିଗରେ ମଧ୍ୟ ଚର୍ଚ୍ଚା ହୋଇଛି ।

ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ନେତୃତ୍ୱରେ ଓଡ଼ିଶାର ରେଳ କ୍ଷେତ୍ରକୁ ବିଶେଷ ଅଗ୍ରାଧିକାର ମିଳୁଛି । କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଉତ୍ତମ ସମନ୍ୱୟ କାରଣରୁ ବହୁ ବର୍ଷରୁ ଅଟକି ରହିଥିବା ପ୍ରକଳ୍ପଗୁଡ଼ିକ ଏବେ ଗତିଶୀଳ ହେବାରେ ଲାଗିଛି । ଆଜି ବୈଠକ ଓଡ଼ିଶାର ପଶ୍ଚିମାଞ୍ଚଳର ଅର୍ଥନୈତିକ ଓ ସାମାଜିକ ବିକାଶରେ ରେଳବାଇର ଭୂମିକାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି ।