କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ (ବାଲେନ୍) ସଂସଦରେ ନିଜର ସିଗ୍ନେଚର୍ କଳା ଚଷମା ପିନ୍ଧିପାରିବେ । ନେପାଳ ସଂସଦର ବାଚସ୍ପତି ପୂର୍ବରୁ ଗୃହ ମଧ୍ୟରେ କଳା ଚଷମା ନ ପିନ୍ଧିବାକୁ ତାଙ୍କୁ ଅନୁରୋଧ କରିଥିଲେ । କିନ୍ତୁ ବାଲେନ ଶାହ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇବା ପରେ ତାଙ୍କୁ ଗୃହରେ ଚଷମା ପିନ୍ଧିବାକୁ ସ୍ୱତନ୍ତ୍ର ଅନୁମତି ମିଳିଛି। ରାପରରୁ ରାଜନେତା ପାଲଟିଥିବା ୩୬ ବର୍ଷୀୟ ବାଲେନ୍ ନିଜର ଚତୁର୍ଭୁଜାକୃତି  କଳା ଚଷମା ଏବଂ କଳା ପୋଷାକ ପାଇଁ ଜଣାଶୁଣା। ୨୦୨୨ କାଠମାଣ୍ଡୁ ମେୟର ନିର୍ବାଚନରୁ ଆରମ୍ଭ କରି ୨୦୨୫ର ଜେନ୍-ଜି (Gen Z) ଆନ୍ଦୋଳନ ଏବଂ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେବା ପର୍ଯ୍ୟନ୍ତ ସେ ସବୁବେଳେ ଏହି ଚଷମା ପିନ୍ଧି ଆସୁଛନ୍ତି।

ସଂସଦରେ କଳା ଚଷମା ପିନ୍ଧିବା ସଂସଦୀୟ ମର୍ଯ୍ୟାଦା ବିରୋଧୀ ବୋଲି ସାଧାରଣରେ ସମାଲୋଚନା ହେବା ପରେ ବାଚସ୍ପତି ଡୋଲ୍ ପ୍ରସାଦ ଆର୍ଯ୍ୟଲ୍ ତାଙ୍କୁ ଏହା ନ ପିନ୍ଧିବାକୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଚକ୍ଷୁଜନିତ ସମସ୍ୟା ଓ ଡାକ୍ତରୀ କାରଣ ଦର୍ଶାଯିବା ପରେ ସଂସଦ ମଧ୍ୟରେ ଏହି ଚଷମା ପିନ୍ଧିବା ପାଇଁ ତାଙ୍କୁ ଅନୁମତି ଦିଆଯାଇଛି । ନେପାଳର ଯୁବବର୍ଗଙ୍କ ମଧ୍ୟରେ ଏହି ‘ବାଲେନ୍ ସନ୍‌ଗ୍ଲାସ୍’ ବେଶ୍ ଲୋକପ୍ରିୟ ହୋଇଛି। ତେବେ ସରକାର ଗଠନର ୧୫୦ ଦିନ ପୂରଣ ହେବା ପରେ ତାଙ୍କର ଶାସନ ଶୈଳୀକୁ ନେଇ ରାଜନୈତିକ ସମୀକ୍ଷକମାନେ ନଜର ରଖିଛନ୍ତି।

ହ୍ରାସ ପାଉଛି ଲୋକପ୍ରିୟତା !
ମାର୍ଚ୍ଚ ୨୭, ୨୦୨୬ରେ ନେପାଳର ପ୍ରଧାନମନ୍ତ୍ରୀ ଭାବରେ ଦାୟିତ୍ୱ ଗ୍ରହଣ କରିବା ପରେ ବାଲେନ୍ଦ୍ର ‘ବାଲେନ୍’ ଶାହଙ୍କ  ପ୍ରଥମ ୧୫୦ ଦିନର ଶାସନକାଳ ମଧ୍ୟରେ ତାଙ୍କର ରାଜନୈତିକ ଲୋକପ୍ରିୟତା ହ୍ରାସ ପାଇଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି ।  ଅଣ୍ଡରଗ୍ରାଉଣ୍ଡ ରାପର୍, ଷ୍ଟ୍ରକଚରାଲ ଇଞ୍ଜିନିୟର ଏବଂ କାଠମାଣ୍ଡୁର ପୂର୍ବତନ ମେୟର ବାଲେନ୍  ୨୦୨୫ର ଜେନ୍-ଜି (Gen Z) ଆନ୍ଦୋଳନ ପରେ ଅନୁଷ୍ଠିତ ନିର୍ବାଚନରେ ଚାରିଥର  ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ପରାସ୍ତ କରି ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି (RSP) କୁ ଏକ ବଡ଼ ବିଜୟ ଦେଇଥିଲେ । 

ଗତ ୫ ମାସ ମଧ୍ୟରେ କେତେକ ବିବାଦୀୟ ନିଷ୍ପତ୍ତି ଓ ଘଟଣାବଳୀ ଯୋଗୁଁ ତାଙ୍କ ପ୍ରତି ଜନସାଧାରଣ ଏବଂ ନିଜ ଦଳ ଭିତରେ ଅସନ୍ତୋଷ ସୃଷ୍ଟି ହୋଇଛି । ଏପ୍ରିଲ ମାସରେ ଭାରତୀୟ ସୀମାବର୍ତ୍ତୀ ବଜାରରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବା ଉପରେ କଡ଼ା ଶୁଳ୍କ ଲାଗୁ କରାଯାଇଥିଲା, ଯାହା ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଆଣୁଥିବା ସାଧାରଣ ଲୋକଙ୍କୁ ପ୍ରଭାବିତ କରିଥିଲା। ଜନଆନ୍ଦୋଳନ ପରେ ସରକାର ଏହି ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ। ବିଦେଶୀ କୂଟନୀତିଜ୍ଞଙ୍କ ସହ ଏକକ ବୈଠକ ନକରିବାର ଆଭିମୁଖ୍ୟ ପରେ, ଅଗଷ୍ଟ ୧୦ରେ ସେ ଭାରତ ଓ ଚୀନ୍‌ର ଆମ୍ବାସାଡରମାନଙ୍କୁ ପୃଥକ୍ ଭାବେ ଭେଟିଥିଲେ, ଯାହାକୁ ତାଙ୍କର କୂଟନୈତିକ ବାଧ୍ୟବାଧକତା ଭାବରେ ଦେଖାଯାଇଥିଲା।  

ଜୁଲାଇରେ ସୁରକ୍ଷା ପୁଲିସର କାର୍ଯ୍ୟାନୁଷ୍ଠାନରେ ଜଣେ ରାଇଡ୍-ସେୟାର୍ ଡ୍ରାଇଭରଙ୍କ ଆତ୍ମାହୁତି ଏବଂ ବସ୍ତି ବାସିନ୍ଦାଙ୍କୁ ବିନା ପୁନର୍ବାସରେ ହଟାଇବା ଘଟଣାକୁ ନେଇ କାଠମାଣ୍ଡୁରେ ବିକ୍ଷୋଭ ହୋଇଥିଲା। ଏହାସହ ଦକ୍ଷିଣ ନେପାଳରେ ସାମ୍ପ୍ରଦାୟିକ ସଂଘର୍ଷ ଯୋଗୁଁ ୩ ଜଣଙ୍କ ମୃତ୍ୟୁ ହେବା ପରେ ତାଙ୍କୁ ସମ୍ବୋଧନ ଦେବାକୁ ପଡ଼ିଥିଲା। ସେପଟେ ବାଲେନ୍ ସଂସଦ ଗୃହ ଓ ନିଜ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକଗୁଡ଼ିକରେ କମ୍ ଉପସ୍ଥିତ ରହୁଥିବା ନେଇ ଦଳୀୟ ଏବଂ ସଂସଦୀୟସ୍ତରରେ ଚର୍ଚ୍ଚା ଚାଲିଛି ।  ଅଗଷ୍ଟ ୨୧ରେ ଅନୁଷ୍ଠିତ RSP ସେଣ୍ଟ୍ରାଲ କମିଟି ବୈଠକରେ ଯୋଗ ନଦେଇ ସେ ପୋଖରା ଓ ମୁସ୍ତାଙ୍ଗ ଗସ୍ତରେ ଯାଇଥିଲେ।   ଏହି ସମସ୍ତ ଘଟଣାବଳୀ ଯୋଗୁଁ ରାଜନୈତିକ ସମୀକ୍ଷକମାନେ ମନେକରୁଛନ୍ତି ଯେ, ୧୫୦ ଦିନର ଶାସନ ପରେ ବାଲେନ୍ ଶାହଙ୍କ ପୂର୍ବର ଆକର୍ଷଣ ଓ ଲୋକପ୍ରିୟତା କିଛି ମାତ୍ରାରେ ପ୍ରଭାବିତ ହୋଇଛି ।