କାର୍ଡିଫ୍: ମହିଳା ଟି-୨୦ ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ମହିଳା କ୍ରିକେଟ୍ ଦଳ ଜବରଦସ୍ତ ଫର୍ମ ପ୍ରଦର୍ଶନ କରିଛି। ୱାର୍ମଅପ୍ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ୱେଷ୍ଟଇଣ୍ଡିଜ୍କୁ ୨୬ ରନ୍ରେ ପରାସ୍ତ କରି କ୍ରିକେଟ୍ ପ୍ରେମୀଙ୍କୁ ବଡ଼ ଉପହାର ଦେଇଛି। କାର୍ଡିଫର ସୋଫିଆ ଗାର୍ଡେନ୍ସ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତୀୟ ମହିଳା ଟିମ୍ ଉଭୟ ବ୍ୟାଟିଂ ଓ ବୋଲିଂରେ ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଛନ୍ତି।

ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ୍ ହରାଇ ୧୭୯ ରନ୍ର ଏକ ବଡ଼ ସ୍କୋର ଛିଡ଼ା କରିଥିଲା। ଦଳ ପକ୍ଷରୁ ଭାରତୀ ଫୁଲମାଲି ସର୍ବାଧିକ ୪୦ଟି ବଲରୁ ୬ଟି ଚୌକା ଓ ୧ଟି ଛକା ସହ ୫୬ ରନର ଅପରାଜିତ ଇନିଂସ ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ମୃତି ମନ୍ଧାନା ୩୯ ରନ୍, ୟାସ୍ତିକା ଭାଟିଆ ୩୬ ରନ୍ ଏବଂ ଶେଫାଳୀ ବର୍ମା ୨୯ ରନ୍ର ସହଯୋଗ କରିଥିଲେ। ତେବେ ୱିକେଟକିପର ବ୍ୟାଟର ରିଚା ଘୋଷ ଖାତା ଖୋଲିବା ପୂର୍ବରୁ ଆଉଟ୍ ହୋଇଯାଇଥିଲେ।

ରନ୍ ଚେଜରେ ଫେଲ୍ ମାରିଲା ୱେଷ୍ଟଇଣ୍ଡିଜ୍, ଶ୍ରେୟଙ୍କାଙ୍କୁ ୪ ୱିକେଟ୍

୧୮୦ ରନର ବିଜୟ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ୱେଷ୍ଟଇଣ୍ଡିଜ୍ ଦଳର ଆରମ୍ଭ ବେଶ୍ ଭଲ ଥିଲା। ଓପନର ଡିଏଣ୍ଡ୍ରା ଡଟିନ୍ ଏବଂ ଶେମେନ୍ କ୍ୟାମ୍ପବେଲ୍ ପ୍ରଥମ ୱିକେଟ୍ ପାଇଁ ୬୩ ରନ୍ ଯୋଡ଼ିଥିଲେ। କିନ୍ତୁ ଏହି ଯୋଡ଼ି ଭାଙ୍ଗିବା ପରେ ୱେଷ୍ଟଇଣ୍ଡିଜ୍ର ବ୍ୟାଟିଂ ବିପର୍ଯ୍ୟୟ ଘଟିଥିଲା। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୨୦ ଓଭରରେ ୮ ୱିକେଟ୍ ହରାଇ ମାତ୍ର ୧୫୩ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଆରସିବି ତାରକା ଶ୍ରେୟଙ୍କା ପାଟିଲ୍ ମାପଚୁପ ବୋଲିଂ କରି ସର୍ବାଧିକ ୪ଟି ୱିକେଟ୍ ନିଜ ନାମରେ କରିଛନ୍ତି।

୧୪ରେ ପାକିସ୍ତାନ ସହ ମୁକାବିଲା

ମହିଳା ଟି-୨୦ ବିଶ୍ଵକପ୍ ଜୁନ୍ ୧୨ ତାରିଖରୁ ଆରମ୍ଭ ହେବ। ଭାରତୀୟ ଦଳ ଜୁନ୍ ୧୪ ତାରିଖରେ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ବିପକ୍ଷରେ ବର୍ମିଂହାମର ଏଜବାଷ୍ଟନଠାରେ ନିଜର ପ୍ରଥମ ମ୍ୟାଚ୍ ଖେଳିବ। ଏହାପରେ ଜୁନ୍ ୧୭ରେ ନେଦରଲ୍ୟାଣ୍ଡସ, ଜୁନ୍ ୨୧ରେ ଦକ୍ଷିଣ ଆଫ୍ରିକା, ଜୁନ୍ ୨୫ରେ ବାଂଲାଦେଶ ଏବଂ ଜୁନ୍ ୨୮ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଲିଗ୍ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ।