ଏଜବାଷ୍ଟନ: ଟି-୨୦ ମହିଳା ବିଶ୍ଵକପରେ ଭାରତ ଆଜି ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ଭେଟିଛି। ଏଜବାଷ୍ଟନରେ ଖେଳା ଯାଉଥିବା ଏହି ମୁକାବିଲାରେ ଭାରତ ପ୍ରଥମେ ବ୍ୟାଟିଂ କରି ୬ ଓ୍ଵିକେଟ୍ ହରାଇ ୧୭୦ ରନର ଚ୍ୟାଲେଞ୍ଜିଂ ସ୍କୋର କରିଛି। ସ୍ମୃତି ମନ୍ଧାନା ୬୮ ରନର ଦମଦାର ଇନିଂସ ଖେଳିଥିବା ବେଳେ ଅଧିନାୟକ ହରମନପ୍ରୀତ କୌର ୩୬ ରନ ଓ ଋଚା ଘୋଷ ଶେଷ ଆଡ଼କୁ ୩୪ ରନର ବିସ୍ଫୋରକ ଇନିଂସ ଖେଳିଛନ୍ତି। ପାକିସ୍ତାନ ସମ୍ମୁଖରେ ରହିଛି ୧୭୧ ରନର ବିଜୟ ଲକ୍ଷ୍ୟ।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତର ଆରମ୍ଭ ଆଦୌ ଭଲ ହୋଇନଥିଲା । ମ୍ୟାଚର ପ୍ରଥମ ଓଭରରେ ହିଁ ଓପନର୍ ଶେଫାଳି ବର୍ମା ମାତ୍ର ୬ ରନ୍ କରି ସାଦିଆ ଇକବାଲ୍ଙ୍କ ଶିକାର ହୋଇ ପାଭିଲିୟନ ଫେରିଥିଲେ । ଏହାପରେ ଚତୁର୍ଥ ଓଭରରେ ଦଳୀୟ ସ୍କୋର ୧୮ ରନ୍ ଥିବା ବେଳେ ଜେମିମା ରୋଡ୍ରିଗ୍ସ (୦୧) ମଧ୍ୟ ଆଉଟ୍ ହୋଇଯାଇଥିଲେ । ତାଙ୍କୁ ତସମିୟା ରୁବାବ୍ ଆଉଟ୍ କରିଥିଲେ । ଦୁଇଟି ପ୍ରାରମ୍ଭିକ ୱିକେଟ୍ ହରାଇବା ଯୋଗୁଁ ଭାରତ ପାୱାରପ୍ଲେ ଅର୍ଥାତ ପ୍ରଥମ ୬ ଓଭରରେ ଦ୍ରୁତ ଗତିରେ ରନ୍ କରିପାରିନଥିଲା ଏବଂ ସ୍କୋର ୩୮ ରନରେ ସୀମିତ ରହିଥିଲା । ଏହାସହ ଭାରତୀ ଫୁଲମାଲୀ ମଧ୍ୟ ମାତ୍ର ୧ ରନ୍ କରି ସୁଯୋଗ ହାତଛଡ଼ା କରିଥିଲେ ।

ସ୍ମୃତି-ହରମନପ୍ରୀତଙ୍କ ସମ୍ଭାଳିଲେ ଇନିଂସ

ଏଭଳି ସଙ୍କଟ ସମୟରେ ଅଧିନାୟିକା ହରମନପ୍ରୀତ କୌର ଏବଂ ଓପନର୍ ସ୍ମୃତି ମନ୍ଧାନା ଦଳୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ । ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୯୧ ରନ୍ର ଏକ ମହତ୍ତ୍ୱପୂର୍ଣ୍ଣ ଭାଗିଦାରୀ ହୋଇଥିଲା । ସ୍ମୃତି ମନ୍ଧାନା ଆକ୍ରମଣାତ୍ମକ ଶୈଳୀ ଆପଣାଇ ରନ୍ ଗତି ବଢ଼ାଇଥିବା ବେଳେ ହରମନପ୍ରୀତ ଧୈର୍ଯ୍ୟର ସହ ଖେଳିଥିଲେ । ସ୍ମୃତି ୪୪ଟି ବଲର ସାମ୍ନା କରି ୯ଟି ଚୌକା ଓ ୨ଟି ଛକା ସହାୟତାରେ ୬୮ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ । ଅନ୍ୟପଟେ ହରମନପ୍ରୀତ ୩୫ ବଲ୍ରେ ୩୬ ରନ୍ (୪ ଚୌକା) କରି ଆଉଟ୍ ହୋଇଥିଲେ ।

ଶେଷ ଆଡ଼କୁ ୱିକେଟକିପର ବ୍ୟାଟର ଋଚା ଘୋଷ ୫ଟି ଚୌକା ଓ ୧ଟି ଛକା ମାରି ୧୭ ବଲରୁ ୩୪ ରନ୍ କରି ଦଳୀୟ ସ୍କୋରକୁ ୧୬୦ ପାର୍ କରାଇଥିଲେ । ଦୀପ୍ତି ଶର୍ମା ୯ ବଲରେ ୧୨ ରନ୍ କରି ଅପରାଜିତ ରହିଥିଲେ । ପାକିସ୍ତାନ ପକ୍ଷରୁ ସାଦିଆ ଇକବାଲ୍ ଓ ଅଧିନାୟିକା ଫାତିମା ସନା ସର୍ବାଧିକ ୨ଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ତସ୍ମିୟା ରୁବାବ୍ ଓ ରମିନ୍ ଶମିମ୍ଙ୍କୁ ଗୋଟିଏ ଲେଖାଏଁ ସଫଳତା ମିଳିଛି ।