ନୂଆଦିଲ୍ଲୀ, ୩୦/୦୮: ଆର୍ଜେଣ୍ଟିନା ମହିଳା ଦଳ ଚଳିତ ବର୍ଷ ଏଫଆଇଏଚ୍ ହକି ବିଶ୍ୱକପ୍ ଚାମ୍ପିଅନ୍ ହେବାର ଗୌରବ ଅର୍ଜନ କରିଛି। ଶନିବାର ଅନୁଷ୍ଠିତ ଫାଇନାଲରେ ଦଳ ସୁଟ୍ ଆଉଟରେ ଡିଫେଣ୍ଡିଂ ଚାମ୍ପିଅନ୍ ନେଦରଲାଣ୍ଡସକୁ ୧-୧ (୩-୧) ଗୋଲରେ ପରାସ୍ତ କରିଛି।

ପୂର୍ବରୁ ଆର୍ଜେଣ୍ଟିନା ୨୦୦୨, ୨୦୧୦ରେ ବିଜୟ ଲାଭ କରିଥିଲା। ଆର୍ଜେଣ୍ଟିନା ତୃତୀୟ ଥର ବିଶ୍ୱ ଚାମ୍ପିଅନ ହେବାର ସୌଭାଗ୍ୟ ଲାଭ କରିଛି । ଏହି ପରାଜୟ ସହ ନେଦରଲାଣ୍ଡର ଆଧିପତ୍ୟ ଶେଷ ହୋଇଛି। ଦଳ ଶେଷ ୩ଟି ସଂସ୍କରଣରେ ଚାମ୍ପିଅନ୍ ହୋଇଥିଲା।

ଆର୍ଜେଣ୍ଟିନା-ନେଦରଲାଣ୍ଡସ ମ୍ୟାଚ୍ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା। ନିର୍ଦ୍ଧାରିତ ସମୟ ୧-୧ ଗୋଲରେ ଅମୀମାଂସିତ ରହିଥିଲା। ଆର୍ଜେଣ୍ଟିନା ପକ୍ଷରୁ ୟିବି ଜାନସେନ (୩୦ମିନିଟ୍ ଓ ନେଦରଲାଣ୍ଡସ ପକ୍ଷରୁ ମାରିଆ ଜୋସ ଗ୍ରାନାଟୋ (୫୪ମିନିଟ୍) ଗୋଲ୍ ଦେଇଥିଲେ । ଏହାପରେ ସୁଟ୍ ଆଉଟ୍ ହୋଇଥିଲା । ଆର୍ଜେଣ୍ଟିନା ୩-୧ ଗୋଲରେ ବାଜି ମାରି ନେଇଥିଲା ।

ତୃତୀୟ/ ଚତୁର୍ଥ ସ୍ଥାନ ପାଇଁ ଚାଲିଥିବା ମ୍ୟାଚରେ ବେଲଜିୟମ ୧-୦ ଗୋଲରେ ଅଷ୍ଟ୍ରେଲିଆକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ବିଜୟୀ ଦଳ ପକ୍ଷରୁ ଏଞ୍ଜେଲବର୍ଟ (୨୦) ଗୋଟିଏ ଗୋଲ୍ ସ୍କୋର କରିଥିଲେ।