ଚଣ୍ଡିଗଡ଼: ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ପୁଣି ଥରେ କଂଗ୍ରେସକୁ ଫେରିବା ଅଟକଳ ମଧ୍ୟରେ ପଞ୍ଜାବ କଂଗ୍ରେସ ପ୍ରଭାରୀ ସଚ୍ଚିନ ପାଇଲଟ କହିଛନ୍ତି ଯେ ‘ରାଜନୀତିରେ କିଛି ବି ସମ୍ଭବ’। ଏକ ଗଣମାଧ୍ୟମ ସହ ବିଶେଷ ସାକ୍ଷାତକାରରେ ପାଇଲଟ ଅମରିନ୍ଦର ସିଂହଙ୍କ ଉଚ୍ଚ ପ୍ରଶଂସା କରିଛନ୍ତି ଓ କହିଛନ୍ତି ତାଙ୍କୁ ଲୋକେ କ୍ୟାପ୍ଟେନ ରୂପେ ଜାଣନ୍ତି, ପଞ୍ଜାବର ସେ ‘ଖୁବ୍ ସେବା’ କରିଛନ୍ତି ଏବଂ ସେ ଜଣେ ଉଚ୍ଚ ମାନର ବ୍ୟକ୍ତିତ୍ୱ। ତେବେ କ୍ୟାପ୍ଟେନ ଅମରିନ୍ଦର ସିଂହଙ୍କ ସହ ସେ କେଉଁ ପାର୍ଟିରେ ସାମିଲ ହେବେ ଅଥବା ତାଙ୍କ ଭବିଷ୍ୟତର ଯୋଜନା ସମ୍ପର୍କରେ ବ୍ୟକ୍ତିଗତ ରୂପେ ସେ କୌଣସି କଥା ହୋଇ ନଥିବା କହିଛନ୍ତି।

ତେବେ ପାଇଲଟଙ୍କ ଏହି ଟିପ୍ପଣୀ ଅମରିନ୍ଦର ସିଂହ ନିକଟରେ ତାଙ୍କ ପାର୍ଟି ବିଜେପି ସମ୍ପର୍କରେ କରିଥିବା ସମାଲୋଚନା ମୂଳକ ଟିପ୍ପଣୀ ଓ ସଙ୍ଗଠନପ୍ରତି ତାଙ୍କ ସ୍ପଷ୍ଟ ଅସନ୍ତୋଷ ପୃଷ୍ଠଭୂମିରେ ଆସିଛି। ସେ ବିଜେପି ସମ୍ପର୍କରେ ଦେଇଥିବା ଆପତ୍ତିଜନକ ମନ୍ତବ୍ୟ ଓ କଂଗ୍ରେସକୁ ତାଙ୍କର ପ୍ରତ୍ୟାବର୍ତ୍ତନର ଆକଳନ ସମ୍ପର୍କରେ ପଚରା ଯିବାରେ ପାଇଲଟ କହିଛନ୍ତି ଯେ ଯେଉଁ ପର୍ଯ୍ୟନ୍ତ ‘କ୍ୟାପ୍ଟେନ ସାହେବ’ଙ୍କ କଥା ଉଠୁଛି ମୁଁ ତାଙ୍କୁ ପିଲାଟି ଦିନରୁ ଜାଣେ। ମୁଁ ତାଙ୍କ ସହ ମିଶି କାମ କରିଛି। ଏହି ବିଶେଷ ପ୍ରସଙ୍ଗରେ ତାଙ୍କ ମୋର ବ୍ୟକ୍ତଗତ ଭାବେ କୌଣସି କଥାବାର୍ତ୍ତା ହୋଇ ନାହିଁ, ହେଲେ ଯେପରି କୁହାଯାଏ ‘ରାଜନୀତିରେ କିଛି ବି ହୋଇପାରେ’, ଅର୍ଥାତ ମୋର କହିବା କଥା ହେଉଛି କିଏ ଜାଣେ ହୁଏତ ସେ ଫେରି ଆସି ପାରନ୍ତି ବୋଲି କହିଛନ୍ତି।

ପାଇଲଟ କହିଛନ୍ତି ଯେ ମୁଁ କେବଳ ଏତିକିକହି ପାରେ ଯେ କ୍ୟାପ୍ଟେନ ଅମରିନ୍ଦର ସିଂହ ପଞ୍ଜାବର ବେଶ୍ ସେବା କରିଛନ୍ତି ଓ ସେ ନିଶ୍ଚିତ ରୂପେ ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ୱ। ତେବେ ବିଜେପି ତାଙ୍କୁ କେଉଁ ଭାବେ ଗ୍ରହଣ କରିଛି ମୋତେ ଏହା ଆଦୌ ଜଣା ନାହିଁ। ପାଇଲଟ କହିଛନ୍ତି ଯେ ଆପଣ ଯେଉଁ ଟିପ୍ପଣୀ କଥା କହୁଛନ୍ତି ତାହା ମୁଁ ବି ଦେଖିଛି। ହେଲେ ତାଙ୍କ ସହ ବ୍ୟକ୍ତିଗତ ରୂପେ କୌଣସି ପାର୍ଟିରେ ସାମିଲ ହେବା, ଛାଡିବା ଅଥବା ତାଙ୍କ ଭବିଷ୍ୟତର ଯୋଜନା ସମ୍ପର୍କରେ କୌଣସି କଥା ହୋଇ ନାହିଁ। ତେବେ ଆଗକୁ କଣ ହେବ ତାହା ସମୟ କହିବ, ଏ ବାବଦେ ମୁଁ କିଛି କହି ପାରିବିନି।

ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ ଅମରିନ୍ଦର ସିଂହ ଗତ ମାସରେ ପଞ୍ଜାବ ପ୍ରସଙ୍ଗରେ ବିଜେପି ତାଙ୍କ ସହ ପରାମର୍ଶ କରୁନଥିବାରୁ ଅସନ୍ତୋଷ ପ୍ରକାଶ କରିଥିଲେ। ଅମରିନ୍ଦର ସିଂହ କହିଥିଲେ ଯେ ପଞ୍ଜାବ ସମ୍ପର୍କରେ ସେ ଯାହା ଅନୁଭବ କରୁଛନ୍ତି ତାହା ନିଜ ପାର୍ଟି (ବିଜେପି)କୁ ଜଣାଇବା ତାଙ୍କର କର୍ତ୍ତବ୍ୟ, ଏହାର ଅର୍ଥ ନୁହେଁ ସେ ପାର୍ଟି ଛାଡୁଛନ୍ତି। ସିଂହ ଏହା ବି କହିଥିଲେ ଯେ ସେ ‘କଠିନ ସମୟ’ ଦେଇ ଗତି କରୁଛନ୍ତି, ହେଲେ ଏ ନେଇ ସେ ବିସ୍ତୃତ କିଛି କହିନଥିଲେ।

ତେବେ କଂଗ୍ରେସକୁ ଅମରିନ୍ଦରଙ୍କ ସମ୍ଭାବିତ ପ୍ରତ୍ୟାବର୍ତ୍ତନର ଅଟକଳ ଗତ ଅଗଷ୍ଟ ମାସରୁ ଆରମ୍ଭ ହୋଇଥିଲା। ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ଅମରିନ୍ଦର ସିଂହଙ୍କୁ ତାଙ୍କ ପସନ୍ଦର ନେତା ବୋଲି କହିଥିଲେ। ତେବେ ସେତେବେଳେ ଗାନ୍ଧିଙ୍କ ଟିପ୍ପଣୀ ଉପରେ ପ୍ରତିକ୍ରିୟା ଦେଇ ସିଂହ କହିଥିଲେ ଯେ ଗାନ୍ଧି ପରିବାର ସହିତ ତାଙ୍କର ବ୍ୟକ୍ତିଗତ ସମ୍ପର୍କ ସର୍ବଦା ରହିବ, ହେଲେ ତାଙ୍କର ରାଜନୈତିକ ଅନୁଗତ୍ୟତା ବିଜେପି ପ୍ରତି ଥିବା କହିଥିଲେ। ଅମରିନ୍ଦର ସିଂହ ଯେତେବେଳେ କଂଗ୍ରେସରେ ଥିଲେ ସତେବେଳେ ସେ ଜଣେ ମଜଭୁତ ଆଞ୍ଚଳିକ ନେତା ଥିଲେ। ୨୦୧୭ ମସିହାରେ ୧୧୭ ସଦସୀୟ ବିଧାନସଭାରେ କଂଗ୍ରେସକୁ ବହୁମତରେ ଜିତାଇ ଦ୍ୱିତୀୟବାର ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ତେବେ ପାର୍ଟି ରାଜ୍ୟ ୟୁନିଟରେ ଅନ୍ତରୀଣ ବିବାଦ ଯୋଗୁ ସେ ୨୦୨୧ ମସିହାରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବା ସହ କଂଗ୍ରେସ ଛାଡି ଦେଇଥିଲେ ଓ ଏକ ନୂଆ ରାଜନୈତିକ ପାର୍ଟି ପଞ୍ଜାବ ଲୋକ କଂଗ୍ରେସ (ପିଏଲସି) ଗଠନ କରିଥିଲେ। ପରେ ସେ ତାଙ୍କ ପାର୍ଟିକୁ ବିଜେପିରେ ବିଲୟ କରିଦେଇଛନ୍ତି। କାରଣ ୨୦୨୨ ବିଧାନସଭା ନିର୍ବାଚନରେ ପିଏଲସିକୁ ଗୋଟେ ବି ଆସନ ମିଳି ନଥିଲା। ତେବେ କେବଳ ଅମରିନ୍ଦର ନୁହନ୍ତି ତାଙ୍କ ପତ୍ନୀ ତଥା ପୂର୍ବତନ ସାଂସଦ ପ୍ରିତମ କୌର, ପୁଅ ରିନିନ୍ଦର ସିଂହ ଓ ଜୟ ଇନ୍ଦର କୌର ମଧ୍ୟ ବିଜେପିରେ ଯୋଗ ଦେଇଛନ୍ତି।