ହିନ୍ଦୋଳ ୨୧।୩: ମହୁଲ ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲେ । କିଏ ଜାଣିଥିଲା ସେଠି ଛକି ବସିଛି ମୃତ୍ୟୁ । ଜମିବାଡ଼ି ଝଗଡ଼ାରୁ ବିବାଦ ଆରମ୍ଭ, ସଂଘବଦ୍ଧ ଆକ୍ରମଣରେ ଶେଷ । ମହୁଲ ଗୋଟାଇବାକୁ ନେଇ ଯୁକ୍ତିତର୍କ । ପରେ ତୀବ୍ର ରୂପ ନେଇଥିଲା ଝଗଡ଼ା । ମେଡିକାଲ ନେଇଥିଲେ ପରିବାର ଲୋକ । ହେଲେ ବଞ୍ଚାଇ ପାରିଲେନି ଡାକ୍ତର । ଶେଷରେ ପୂର୍ବ ବିବାଦରୁ ଚାଲିଗଲା ମହିଳାଙ୍କ ଜୀବନ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କନ୍ତାମିଲା ପଞ୍ଚାୟତ ଧୋବଣୀ ନନ୍ଦର ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କନ୍ତାମିଲା ପଞ୍ଚାୟତ ଧୋବଣୀ ନନ୍ଦର ଗ୍ରାମର ମହିଳା ଉତ୍ତମ ସାହୁ ଶନିବାର ସକାଳୁ ମହୁଲ ଗୋଟାଇବାକୁ ଯାଇଥିଲେ । ସେଠାରେ ପୂର୍ବରୁ ଛକି ରହିଥିଲେ ଯୁଧିଷ୍ଠିର ସାହୁ, ତାଙ୍କ ଦୁଇ ପୁଅ ସମ୍ରାଟ ସାହୁ, ଯୁଗଳ ସାହୁ ଏବଂ ଶିବ ପରିଡ଼ା, କୁନୁ ପରିଡ଼ା, ରାଧା ପରିଡ଼ା, ସୁବଳ ପରିଡ଼ା, ଅଜିତ ପରିଡ଼ା, ଦୁର୍ଲ୍ଲଭ ପରିଡ଼ା, ପ୍ରଦୀପ ପରିଡା । ସେମାନେ ସଙ୍ଘବଦ୍ଧ ଭାବେ ମହିଳାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

Also Read:- Gas Cylinder Blast: ପ୍ରଚଣ୍ଡ ଶବ୍ଦ ଆଉ ଚାରିଆଡେ ନିଆଁ-ଧୂଆଁ, ରାସ୍ତାରେ ଯାଉଥିବା ଲୋକେ ଭୟରେ ଦୌଡ଼ିଲେ

ବହୁ ବର୍ଷ ହେବ ଉଭୟ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଝଗଡା ଲାଗି ରହିଥିଲା I ଯେଉଁ ସମୟରେ ମହିଳା ଜଣଙ୍କ ମହୁଲ ଗଛରୁ ମହୁଲ ଗୋଟାଉଥିଲେ । ସେହି ସମୟରେ ଆକ୍ରମଣକାରୀ ଏ ଗଛରୁ କାହିଁକି ମହୁଲ ଗୋଟାଉଛୁ ଏ ଗଛ ଆମର କହି ଯୁକ୍ତି ତର୍କ ଆରମ୍ଭ କରିଥିଲେ I ଯୁକ୍ତି ତର୍କ ଏତେ ମାତ୍ରାରେ ହୋଇଥିଲା ଯେ ଆକ୍ରମଣକାରୀ ମାନେ ମହିଳାଙ୍କୁ ସଙ୍ଘବଦ୍ଧ ଆକ୍ରମଣ କରିଥିଲେ I ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ସେଠାରୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଖବର ପାଇ ଘଟଣାସ୍ଥଳରେ ହିନ୍ଦୋଳ ପୋଲିସ ଓ SDPO ପହଞ୍ଚି ତଦନ୍ତ ଜାରି ରଖିଛନ୍ତି । ତେବେ ପୋଲିସର ତଦନ୍ତ ପରେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କୁହାଯାଉଛି ।