ଭୁବନେଶ୍ୱର, ୧୯।୧୧ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୀତଋତୁରେ ପଶୁପକ୍ଷୀଙ୍କ ଯତ୍ନ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଏଠାରେ ୧୮୮ ପ୍ରଜାତିର ୪ ହଜାରରୁ ଅଧିକ ଜୀବଜନ୍ତୁ ଅଛନ୍ତି । ସରୀସୃପ ଉଦ୍ୟାନରେ ରହୁଥିବା ସାପ, ଇଗୁଆନା( ବଡ଼ ଏଣ୍ଡୁଅ) ସମେତ ମାଙ୍କଡ଼ ପ୍ରଜାତିର ଜୀବଜନ୍ତୁଙ୍କ ପାଇଁ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି।

ପ୍ରାଣୀ ଚିକିତ୍ସା ଅଧିକାରୀ, ବନ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଛି। ସେମାନେ ବିଭିନ୍ନ ଖୁଆଡ଼ ତାପମାତ୍ରା ଯାଞ୍ଚ କରିବା ସହ ପ୍ରାଣୀଙ୍କ ଆବଶ୍ୟକତା ଅନୁଯାୟୀ ପଦକ୍ଷେପ ନେଉଛନ୍ତି। ବିଭିନ୍ନ ଖୁଆଡ଼ର ତାପମାତ୍ରା ବଜାୟ ରଖିବା, ଥଣ୍ଡା କମାଇବା, ପରିବେଶ ପରିଷ୍କାର କରିବା ସହିତ ଖୁଆଡ଼ରେ ସୂର୍ଯ୍ୟକିରଣ ପଡ଼ିବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରତେକ ଖୁଆଡ଼ରେ ରୁମ୍ ହିଟର, ହିଟିଂ ବଲ୍ବ ଓ ଅନ୍ୟାନ୍ୟ ଉତ୍ତାପ ଯନ୍ତ୍ର ଲଗାଯାଉଛି। ମାଙ୍କଡ଼ ଖୁଆଡ଼ ଫିଡିଙ୍ଗ ଚ୍ୟାମ୍ବର ତଳେ ନଡ଼ା, ଅଖା, କମ୍ବଳ ବିଛାଇବାର ବ୍ୟବସ୍ଥା କରାଯାଇଛି।

Also Read :- ମାଡ଼ି ଆସିଲାଣି ଅକଭାନ୍ : ସକାଳୁ ସକାଳୁ ବଦଳିଗଲା ପାଗ, କିଛି ସମୟ ପରେ ପ୍ରବଳ ବର୍ଷା-ପବନ

ସିମ୍ପାଞ୍ଜି, ହୁଲୁକ ଗିବନଙ୍କ ପାଇଁ ତଳେ ଅଖା, ନଡା ପକାଯିବା ସହ ଘୋଡ଼ି ହେବା ପାଇଁ କମ୍ବଳ ବ୍ୟବସ୍ଥା କରାଯାଇଛି। ସରୀସୃପଙ୍କ ପାଇଁ ହିଟି ବଲବ, ୟୁଭି-ବି ଲାଇଟ୍, ଉଷ୍ମତା ପ୍ରଦାନକାରୀ ବିଛଣା, ସୂର୍ଯ୍ୟକିରଣରେ ଉତ୍ତାପ ଗ୍ରହଣ ପାଇଁ ସ୍ୱତନ୍ତ୍ର ପ୍ଲାଟଫର୍ମ କରାଯାଇଛି। ଶରୀରର ତାପମାତ୍ରା ନିୟନ୍ତ୍ରଣ ଓ ଶାରୀରିକ କାର୍ଯ୍ୟକଳାପ ପାଇଁ ନିୟମିତ ତାପମାତ୍ରା ଯାଞ୍ଚ କରାଯିବ। ଖୁଆଡ଼ର ମାଟି ବଦଳାଇ ନୂଆ ମାଟି ପକାଯାଉଛି। ନିୟମିତ ସଫେଇ ଓ ବିଶୋଧନ କରାଯାଉଛି।

ଖାଦ୍ୟ ଗ୍ରହଣ କକ୍ଷ ଓ ପଛପାର୍ଶ୍ଵ ଖୁଆଡ଼ଗୁଡ଼ିକରେ ଚୂନ ଲିପାଯାଇଛି। ଖୁଆଡ଼ ଭିତରକୁ ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ପ୍ରବେଶ ପାଇଁ ଖୁଆଡ଼ ପାଖ ଗଛ ଡାଳଗୁଡ଼ିକ ଆବଶ୍ୟକ ଅନୁଯାୟୀ କାଟି ଛୋଟ କରାଯାଇଛି। ଖୁଆଡ଼ ଜଳାଶୟ, କୁଣ୍ଡଗୁଡ଼ିକ ସଫେଇ କରାଯିବା ସହ ଜମି ରହିଥିବା ପାଣି ଓ ପଙ୍କ କଢ଼ାଯାଉଛି। ପାଣି ପାତ୍ରଗୁଡ଼ିକ ମରାମତି କରାଯାଉଛି। ପକ୍ଷୀ ଖୁଆଡ଼ଗୁଡ଼ିକରେ ବସା ବାନ୍ଧିବା ଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ।