ଲଣ୍ଡନ ୫।୧୨: ବ୍ରିଟେନର ପ୍ରସିଦ୍ଧ ବିଲେନିୟର ସାର ବେଞ୍ଜାମିନ ସ୍ଲେଡ ଏକ ବିଜ୍ଞାପନ ପାଇଁ ଏବେ ପୁଣି ଥରେ ଚର୍ଚ୍ଚାରେ। ୭୯ ବର୍ଷ ବୟଷ୍କ ବେଞ୍ଜାମିନ ୨୫୦ ବର୍ଷ ପ୍ରାଚୀନ ପାରିବାରିକ ଐତିହ୍ୟକୁ ବଞ୍ଚାଇବା ପାଇଁ ‘ପୁଅ’ ଆବଶ୍ୟକ କରୁଛନ୍ତି। ଏଥି ପାଇଁ ସେ ଖୋଲାଖୋଲି ‘ଯୁବତୀ ପତ୍ନୀ ଚାକିରୀ’ ବିଜ୍ଞାପନ ଦେଇଛନ୍ତି। ବେଞ୍ଜାମିନ ସ୍ପଷ୍ଟ ଭାବେ କହିଛନ୍ତି ଏଥି ପାଇଁ ସେ ୩୦ରୁ ୪୦ ବର୍ଷ ବୟସ ମଧ୍ୟରେ ସ୍ୱସ୍ଥ ମହିଳା ଚାହୁଁଛନ୍ତି, ଯିଏ ତାଙ୍କୁ ‘ପୁଅ’ ଦେଇ ପାରିବ।

ମନୋନୀତ ମହିଳାଙ୍କୁ ବାର୍ଷିକ ୫୯ ଲକ୍ଷ ଟଙ୍କା ବେତନ ସହିତ ସମରସେଟରେ ଥିବା ତାଙ୍କର ୧୩୦୦ ଏକରର ବିଳାଶମୟ ‘ମାନ୍ସଲେ ହାଉସ୍’ରେ ରହଣୀ ଓ ବିଳାଶମୟ କାର ଉପଯୋଗ କରିବାର ସୁବିଧା ମିଳିବ। ଏହି କାମ ପାଇଁ ବେଞ୍ଜାମିନ ଫ୍ରୋଜନ ସ୍ପର୍ମ ରିଜର୍ଭ ମଧ୍ୟ ପ୍ରସ୍ତୁତ ରଖିଛନ୍ତି,, ଯାହା ଦ୍ୱାରା କାମ ଆହୁରି ସହଜ ହୋଇପାରିବ। ତେବେ ବିବାହ ପାଇଁ ବେଞ୍ଜାମିନ ବିଜ୍ଞାପନ ଦେବା କଥା କିଛି ନୂଆ ନୁହେଁ।

୨୦୦୮ ମସିହାରେ ବେଞ୍ଜାମିନ ଖବର କାଗଜରେ ‘ୱାଇଫ ୱାଣ୍ଟେଡ’ ବିଜ୍ଞାପନ ଦେଇଥିଲେ। କେବଳ ଏତିକି ନୁହେଁ ଏଥି ପାଇଁ ସେ ଟିଭି ସୋରେ ମଧ୍ୟ ଭାଗ ନେଇଥିଲେ ଏବଂ ଡେଟିଂ ଆପରେ ପ୍ରୋଫାଇଲ ତିଆରି କରିଥିଲେ। ଏ ସବୁ ସତ୍ତ୍ୱେ ତାଙ୍କୁ ସଫଳତା ମିଳି ନଥିଲା। ୧୭୭୨ ମସିହାରୁ ଚଳି ଆସୁଥିବା ‘ବ୍ୟାରୋନେଟ୍’ ଉପାଧି ଓ ତାଙ୍କର ବିଶାଳ ସମ୍ପତ୍ତି ବ୍ରିଟିଶ ଆଇନ ଅନୁସାରେ କେବଳ ପରୁଷ ଉତ୍ତରାଧିକାରୀଙ୍କୁ ହିଁ ମିଳି ପାରିବ। ଏଣୁ ୨୦୨୧ ମସିହାରେ ଆଇଭିଏଫ ଦ୍ୱାରା ଜନ୍ମିତ ତାଙ୍କ ଝିଅ ଏହି ଉତ୍ତରାଧିକାର ଲାଗି ହକଦାର ନୁହେଁ।

ଏହି କାରଣରୁ ସାର ବେଞ୍ଜାମିନ ସ୍ଲେଡ ତାଙ୍କ ବୟସରୁ ଅଧା ବୟସର ମହିଳା ଆବଶ୍ୟକ କରୁଛନ୍ତି। ପ୍ରଥମ ପତ୍ନୀ ପଲିନ ମାୟବର୍ଗଙ୍କ ସହ ୧୯୯୧ ମସିହାରେ ତାଙ୍କର ବିବାହ ବିଚ୍ଛେଦ ହୋଇଥିଲା। ଏହାର କାରଣ ଥିଲେ ତାଙ୍କର ୧୭ ପୋଷା ବିଲେଇ। ଦି ନ୍ୟୁୟର୍କ ପୋଷ୍ଟ ମୁତାବକ ସେ ୨୦୨୧ ମସିହାରେ ସେ ଆମେରିକୀୟ କବି ସାହାରା ସଣ୍ଡେ ସ୍ପେନଙ୍କ ସହିତ ଆଇଭିଏଫ ଦ୍ୱାରା ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ।

ତେବେ ବ୍ରିଟିଶ ଆଇନ ଅନୁସାରେ ଝିଅମାନେ ପାରିବାରିକ ସମ୍ପତ୍ତିର ଉତ୍ତରାଧିକାରୀ ହୋଇ ପାରିବେନି। ଏହା ଛଡା ତାଙ୍କର ‘ବ୍ୟାରୋନେଟ୍’ ରାଜ ଉପାଧି ମଧ୍ୟ ଏକ ସମସ୍ୟା। ସମ୍ପତ୍ତି ସହ କିଛି ଯାଏ କି ଆସେ ନାହିଁ ବ୍ରିଟିଶ ରାଜ ପକ୍ଷରୁ ଦିଆଯାଇଥିବା ଏହି ଉପାଧି ସେମାନେ ପୁରୁଷାନୁକ୍ରମିକ ଉପଯୋଗ କରିଆସୁଛନ୍ତି। ଏଣୁ ଏହି ଉପାଧିକୁ ମଧ୍ୟ ସେ ବଞ୍ଚାଇବାକୁ ଚାହୁଁଛନ୍ତି। ଏଣୁ ସେ ଭବିଷ୍ଯତର ବ୍ୟାରୋନେଟଙ୍କ ଲାଗି ଏହି ଭ୍ୟାକାନ୍ସୀ ବାହାର କରିଛନ୍ତି।