ନୂଆଦିଲ୍ଲୀ, ୧୧/୦୧:ମୋବାଇଲ ଫୋନ ବ୍ୟବହାର କରନ୍ତିନି ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ଏପରିକି ଇଣ୍ଟରନେଟ୍ ମଧ୍ୟ ସେ ବ୍ୟବହାର କରନ୍ତିନି । ଶନିବାର ଏକ କାର୍ଯ୍ୟକ୍ରମରେ ଅଜିତ ଡୋଭାଲ ଏହା କହିଛନ୍ତି । ବିକଶିତ ଭାରତ ୟଙ୍ଗ୍ ଲିଡର୍ସ ସମ୍ମିଳନୀର ଉଦଘାଟନୀ ଉତ୍ସବରେ ଯୋଗଦେଇ ସେ ଏହା କହିଛନ୍ତି ।

ଭାରତ ମଣ୍ଡପମରେ ଆୟୋଜିତ ଏକ ପ୍ରଶ୍ନତ୍ତୋର କାର୍ଯ୍ୟକ୍ରମରେ ସେ ସାମିଲ ହୋଇଥିଲେ । ଏଠାରେ ତାଙ୍କୁ ମୋବାଇଲ ଫୋନ ବ୍ୟବହାର ନେଇ ପ୍ରଶ୍ନ ପଚରାଯାଇଥିଲା । ସେ କହିଛନ୍ତି ଯେ, ସେ ଇଣ୍ଟରେନଟ୍ ବ୍ୟବହାର କରନ୍ତିନି । ଏହାସତ । ଏପରିକି ସେ ଫୋନ୍ ମଧ୍ୟ ବ୍ୟବହାର କରୁ ନାହାଁନ୍ତି । କେବଳ ପରିବାର ଲୋକ ଏବଂ ବିଦେଶରେ କିଛି ବ୍ୟକ୍ତିଙ୍କ ସହ କଥା ହେଲା ସମୟରେ ଫୋନ୍ ବ୍ୟବହାର କରିଥାନ୍ତି । କେବଳ ଅତି ଜରୁରୀ ହେଲେ ଫୋନରେ କଥା ହୁଅନ୍ତି ।

ସେ ଆହୁରି କହିଛନ୍ତି ଯେ, କଥାବାର୍ତ୍ତା ପାଇଁ ଆହୁରି ଅନେକ ମାଧ୍ୟମ ରହିଛି । ଲୋକମାନେ ଜାଣିନଥିବା ଅନେକ ମାଧ୍ୟମ ସେ ଯୋଗାଯୋଗ ପାଇଁ ବ୍ୟବହାର କରିଥାନ୍ତି ।

ସୂଚନାଯୋଗ୍ୟ, ଅଜିତ ଡୋଭାଲ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଟନ୍ତି । ପଞ୍ଚମ ବ୍ୟକ୍ତି ଭାବେ ସେ ଏହି ପଦରେ ରହିଛନ୍ତି । କେରଳ କ୍ୟାଡରରେ ସେ ଆଇପିଏସ ଅଫିସର ଥିଲେ । ଗୁଇନ୍ଦା ବିଭାଗରେ ସେ ବର୍ଷ ବର୍ଷ ଧରି କାମ କରିଥିଲେ । ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଆତଙ୍କବାଦ ଦମନରେ ସେ ନିଜର ପାରଦର୍ଶିତା ଦେଖାଇଛନ୍ତି ।

୧୯୪୫ମସିହାରେ ଉତ୍ତରାଖଣ୍ଡରେ ଡୋଭାଲ ଜନ୍ମ ହୋଇଥିଲେ ।୧୯୬୮ରେ ସେ ଭାରତୀୟ ପୋଲିସ ସେବାରେ ଯୋଗ ଦେଇଥିଲେ । ସର୍ବକନିଷ୍ଠ ପୋଲିସ ଅଧିକାରୀ ଭାବେ ତାଙ୍କୁ କୀର୍ତ୍ତି ଚକ୍ର ମିଳିଥିଲା । ମିଜୋରାମ, ପଞ୍ଜାବ ଏବଂ ଉତ୍ତରପୂର୍ବର ଅନେକ ବଡ ବଡ ସମୟାର ସମାଧାନରେ ତାଙ୍କର ଯୋଗଦାନ ରହିଛି ।