ନୂଆଦିଲ୍ଲୀ, ୦୪/୦୫: ତାମିଲନାଡୁରେ ସରକାର ପରିବର୍ତ୍ତନ । ହାରିଯିବ ଡିଏମକେ । ଗଣତିରେ ବହୁ ଆସନରେ ପଛୁଆ ରହିଛି ଦଳ । ଏଆଇଏଡିଏମକକେ ବି ଆଖି ଦୃଶିଆ ସଫଳତା ପାଇନି । ଦଳର ସିଟ୍ ବଢିଥିଲେ ବି ଛୁଇଁ ପାରିବନି ମ୍ୟାଜିକ୍ ନମ୍ବର । କିନ୍ତୁ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଆକ୍ଟର୍ ଟର୍ଣ୍ଣଡ୍ ପଲିଟିସିଆନ ବିଜୟଙ୍କ ଦ୍ୱାରା ନୂଆ କରି ଗଢି ଯାଇଥିବା ଟିଭିକେ । ଦଳ ସମସ୍ତଙ୍କୁ ଚକିତ କରି ୧୦୦ରୁ ଅଧିକ ଆସନରେ ଆଗୁଆ ରହିଛି ।

ବିଜୟଙ୍କ ମ୍ୟାଜିକ୍ ଦେଖିବାକୁ ମିଳିଛି ତାମିଲନାଡୁରେ । ସରକାର ଗଠନ ପାଇଁ ଟିଭିକେର ସହଯୋଗ ନିହାତି ଦରକାର । ସେ ମୁଖ୍ୟମନ୍ତ୍ରୀ ହେବା ମଧ୍ୟ ଏକପ୍ରକାର ସୁନିଶ୍ଚିତ । ଏସବୁ ଭିତରେ ସାମ୍ନାକୁ ଆସିଛନ୍ତି ଜ୍ୟୋତିଷ ରାଧାନ୍ ପଣ୍ଡିତ । ସର୍ବଦା ବିବାଦୀୟ ଗଣନା କରୁଥିବା ତଥା ମତ ଦେଉଥିବା ରାଧାନ୍ ଗଣତି ଦିନ ବିଜୟଙ୍କ ଘରକୁ ଯାଇଛନ୍ତି ।

ପୂର୍ବରୁ ରାଧାନ୍ ଗଣନା କରି କହିଥିଲେ ଯେ, ନିର୍ବାଚନରେ ବିଜୟଙ୍କ ପାର୍ଟିର ବିପୁଳ ବିଜୟ ହେବ । ଦଳ ରାଜ୍ୟରେ ସୁନାମି କରିବ । ଯାହା ବାସ୍ତବତାର ରୂପ ନେଇଛି । ପ୍ରମୁଖ ଚେହେରା ଭାବେ ବିଜୟ ଉଭା ହୋଇଛନ୍ତି । ନିଜ ବିରୋଧୀଙ୍କଠୁ ଅଧିକ ଆଗରେ ରହିଛନ୍ତି ।

ଯେତେବେଳେ ଏଗଜିଟ୍ ପୋଲ୍ ଆସିଥିଲା ସେତେବେଳେ ରାଧାନ୍ ନିଜ ମତ ଦେଇଥିଲେ । ରାଧାନ୍ କହିଥିଲେ ଯେ, ଟିଭିକେ ୧୭୦ କିମ୍ବା ୧୪୦ରୁ ଅଧିକ ସିଟ୍ ଜିତିପାରେ । ସେମାନେ ନିଜେ ସର୍ଭେ କରିଥିଲେ । ଏହାସହ ଗଣନା ମଧ୍ୟ କରିଥିଲେ । ଦଳକୁ ରାଜ୍ୟରେ ୪୫ ପ୍ରତିଶତ ଭୋଟ୍ ମିଳିବ ବୋଲି ସେ ଅନୁମାନ ଲଗାଇଥିଲେ । ବିଜୟ ଏବେ ସିଏମ୍ ହେବାକୁ ଯାଉଛନ୍ତି ।

କେବଳ ବିଜୟଙ୍କୁ ନେଇ ନୁହେଁ ସେ ଆହୁରି ଅନେକ ଗଣନା କରିଛନ୍ତି । ତାଙ୍କ ଗଣନା ଅନୁସାରେ ଏମକେ ଷ୍ଟାଲିନଙ୍କ ସମୟ ଭଲ ନାହିଁ । ଅନ୍ୟ ଦିଗରେ ଏଆଇଏଡିଏମକେ ନେତା କେ ପଲ୍ଲାନୀସ୍ୱାମୀଙ୍କ ସମୟ ଭଲ ଅଛି । ଏହାପୂର୍ବରୁ ସେ ଜେ ଜୟଲଳିତାଙ୍କୁ ନେଇ ମଧ୍ୟ ଅନେକ ଅନୁମାନ କରିଥିଲେ ।

କେବଳ ରାଧାନ୍ ନୁହେଁ ସେଲଭି କେ ଦାମୋଦରନ୍ ନାମକ ଜଣେ ଜ୍ୟୋତିଷ ମଧ୍ୟ ତାମିଲନାଡୁ ନିର୍ବାଚନରେ ବିଜୟଙ୍କ ଦମଦାର ଏଣ୍ଟ୍ରି ହେବ ବୋଲି କହିଥିଲେ । ଏହାସହ ସେ ରାଜ୍ୟରେ ସରକାର ଗଠନରେ ବଡ ଭୂମିକା ନେବେ ବୋଲି ସେଲଭି ଗଣନା କରିଥିଲେ ।