ମୁମ୍ଵାଇ ୦୪।୧୦; ପଞ୍ଜାବର ଅମୃତସରରୁ ଆସିଛି ଏକ ଚାଞ୍ଚଲ୍ୟକର ଖବର। ଲୋକପ୍ରିୟ ସୋସିଆଲ ମିଡିଆ ଇନଫୁଏନ୍ସର, ମେକଅପ୍ ଆର୍ଟିଷ୍ଟ ଏବଂ ଷ୍ଟାଇଲିଷ୍ଟ ମ୍ୟାଡ୍ ସାନ୍ଧୁଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏହି ଘଟଣା ପରେ ପଞ୍ଜାବୀ ଡିଜିଟାଲ ଇଣ୍ଡଷ୍ଟ୍ରି ସହ ତାଙ୍କର ହଜାର ହଜାର ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ମ୍ୟାଡ୍ ସାନ୍ଧୁ କେବଳ ଜଣେ ମେକଅପ୍ ଆର୍ଟିଷ୍ଟ ନଥିଲେ। ଫ୍ୟାଶନ୍ ଠାରୁ ଆରମ୍ଭ କରି ଷ୍ଟାଇଲିଂ, ଲାଇଫ୍ଷ୍ଟାଇଲ୍ ଏବଂ ସୋସିଆଲ ମିଡିଆ କଣ୍ଟେଣ୍ଟ ବିଭିନ୍ନ କ୍ଷେତ୍ରରେ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିଥିଲେ। ପଞ୍ଜାବୀ ଇଣ୍ଡଷ୍ଟ୍ରିଠାରୁ ଆରମ୍ଭ କରି ମୁମ୍ବାଇର ପ୍ରଡକ୍ସନ୍ ପର୍ଯ୍ୟନ୍ତ ମଧ୍ୟ ସେ କାମ କରିଥିଲେ।

ମେକଅପ୍ ଓ ଫ୍ୟାଶନ୍ ପରେ ଅଭିନୟ ଦୁନିଆରେ ମଧ୍ୟ ପାଦ ରଖିଥିଲେ ମ୍ୟାଡ୍ ସାନ୍ଧୁ।ଓୟେ ଭୋଲେ ଓୟେଏବଂଓୟେ ଭୋଲେ ଓୟେ୨ଭଳି ପଞ୍ଜାବୀ ଫିଲ୍ମରେ ତାଙ୍କ ଅଭିନୟ ମଧ୍ୟ ଦର୍ଶକଙ୍କ ନଜରକୁ ଆସିଥିଲା। ଅମୃତସରରେ ନିଜର ସାଲୁନ୍ ମଧ୍ୟ ଚଳାଉଥିଲେ ସେ।

ସୋସିଆଲ ମିଡିଆରେ ମଧ୍ୟ ଥିଲା ତାଙ୍କର ବେଶ୍ ଭଲ ଲୋକପ୍ରିୟତା। ଇନ୍ଷ୍ଟାଗ୍ରାମରେ ପ୍ରାୟ ୨.୨୬ ଲକ୍ଷ ଫଲୋଅର୍ସ ତାଙ୍କ ରିଲ୍, ଫ୍ୟାଶନ୍ ଟିପ୍ସ, ମିମ୍ସ ଏବଂ ପପ୍ କଲଚର୍ ସମ୍ପର୍କିତ ଭିଡିଓକୁ ପସନ୍ଦ କରୁଥିଲେ।

ତେବେ ମ୍ୟାଡ୍ ସାନ୍ଧୁଙ୍କ ପରିଚୟ କେବଳ ତାଙ୍କ କଳାକୃତିରେ ସୀମିତ ନଥିଲା। ସେ ଥିଲେ ଖୁବ୍ ସ୍ପଷ୍ଟବାଦୀ। ବିଭିନ୍ନ ପଡକାଷ୍ଟରେ ଯୋଗଦେଇ ମେକଅପ୍ ଇଣ୍ଡଷ୍ଟ୍ରି, ଫିଲ୍ମ ବ୍ୟବସାୟ ଏବଂ ଲିଙ୍ଗ ସମ୍ପର୍କିତ ପ୍ରସଙ୍ଗରେ ଖୋଲାଖୋଲି ନିଜ ମତ ରଖୁଥିଲେ।

ନିଜର ଭିନ୍ନ ଷ୍ଟାଇଲ୍ ଓ ପରିଚୟ ପାଇଁ ସେ ଅନେକ ସମୟରେ ସୋସିଆଲ ମିଡିଆ ଟ୍ରୋଲିଂର ମଧ୍ୟ ଶିକାର ହୋଇଥିଲେ। କିନ୍ତୁ ଏସବୁକୁ ଖାତିର ନକରି ନିଜ ପରିଚୟକୁ ସବୁବେଳେ ଗର୍ବର ସହ ସ୍ୱୀକାର କରିଥିଲେ। ତାଙ୍କର କହିବା କଥା ଥିଲା-“ମୁଁ ଯେପରି ଅଛି, ଭଗବାନ ମୋତେ ସେହିପରି ସୃଷ୍ଟି କରିଛନ୍ତି।”

ଏବେ ତାଙ୍କର ଏଭଳି ଅକାଳ ବିୟୋଗ ଅନେକଙ୍କୁ ସ୍ତବ୍ଧ କରିଦେଇଛି। ଘଟଣା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ବେଳେ, ଆକ୍ରମଣକାରୀଙ୍କୁ ଶୀଘ୍ର ଧରିବା ପାଇଁ ପ୍ରୟାସ ଜାରି ରହିଛି। ଜଣେ ମେକଅପ୍ ଆର୍ଟିଷ୍ଟରୁ ଇନ୍ଫ୍ଲୁଏନ୍ସର ଏବଂ ଅଭିନେତା ନିଜର ଭିନ୍ନ ପରିଚୟ ତିଆରି କରିଥିବା ମ୍ୟାଡ୍ ସାନ୍ଧୁଙ୍କ ଏଭଳି ଅକାଳ ମୃତ୍ୟୁ ଏବେ ଅନେକ ପ୍ରଶ୍ନ ଛାଡ଼ିଯାଇଛି।