ନୂଆଦିଲ୍ଲୀ: ଚଳିତ ମାସରେ ବର୍ଷର ଦ୍ୱିତୀୟ ତଥା ଶେଷ ଚନ୍ଦ୍ରଗ୍ରହଣ ହେବାକୁ ଯାଉଛି। ଏହା ଏକ ଆଂଶିକ ଚନ୍ଦ୍ର ଗ୍ରହଣ ହେବ, ଅର୍ଥାତ ଚନ୍ଦ୍ରଙ୍କ ଏକ ବଡ଼ ଭାଗ ପୃଥିବୀ ଛାୟାରେ ଘୋଡାଇ ହୋଇଯିବ। ହେଲେ ଏବେକା ସମୟର ସବୁଠୁ ବଡ଼ ପ୍ରଶ୍ନ ହେଉଛି ଏହି ଚନ୍ଦ୍ରଗ୍ରହଣ ଭାରତରେ ଦେଖାଯିବା କି ନା? ଯଦି ଦେଖା ନଯିବ ତେବେ ଗ୍ରହଣର ସୂତକକାଳ ଲାଗୁ ହେବ କି? ତେବେ ଆସନ୍ତୁ ଜାଣିବା ଗ୍ରହଣର ସଠିକ ସମୟ, ଭାରତରେ ଏହାର ସ୍ଥିତି ଓ ସୂତକ ନିୟମ।

ବର୍ଷର ଏହି ଶେଷ ଚନ୍ଦ୍ରଗ୍ରହଣ ୨୮ ଅଗଷ୍ଟ ୨୦୨୬ରେ ହେବ। ଭାରତୀୟ ସମୟ ଅନୁସାରେ ଏହି ଚନ୍ଦ୍ରଗ୍ରହଣ ସକାଳ ୮ଟା ବାଜି ୦୪ ମିନିଟ୍ ରେ ଆରମ୍ଭ ହେବ। ଏହାର ପରମ ଗ୍ରାସ ଅର୍ଥାତ ଗଭୀର ସମୟ ସକାଳ ୯ଟା ୪୩ ମିନିଟ୍ ରେ ରହିବ। ଏହି ଗ୍ରହଣ ପୂର୍ବାହ୍ନ ୧୧ଟା ୨୧ ମିନିଟ୍ ସର୍ବମୋକ୍ଷ ହେବ। ଏହି ଭଳି ଭାବେ ଏହି ସମ୍ପୂର୍ଣ୍ଣ ଖଗୋଳିୟ ଘଟଣା ମୋଟ ୩ଘଣ୍ଟା ୧୮ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ଏହା ଆଂଶିକ ଗ୍ରହଣ ହେବ ଏଣୁ ଚନ୍ଦ୍ର ସମ୍ପୂର୍ଣ୍ଣ ପୃଥିବୀ ଛାୟାକୁ ଆସିବ ନାହିଁ।

ତେବେ ଏହି ଚନ୍ଦ୍ରଗ୍ରହଣ ଭାରତରେ ଦେଖା ଯିବନି। ଏହାର କାରଣ ହେଉଛି ଏହି ସମୟରେ ଚନ୍ଦ୍ର ଭାରତରେ ଅସ୍ତ ଥିବେ। ଏଣୁ ଗ୍ରହଣ ଆରମ୍ଭ ହେଲେ ଭାରତରେ ଚନ୍ଦ୍ର ଦେଖା ଯିବ ନାହିଁ। ଗ୍ରହଣକୁ ନେଇ ଭାରତରେ ସେପରି କିଛି ପାଳନ କରିବାକୁ ପଡିବ ନାହିଁ। ଏହି ଗ୍ରହଣ ୟୁରୋପ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ଆଫ୍ରିକା, ଆଟଲାଣ୍ଚିକ ମହାସାଗର ଓ ପଶ୍ଚିମ ଏସିୟାର କିଛି ଅଂଶକୁ ଦେଖାଯିବ। ଧାର୍ମିକ ମାନ୍ୟତା ଅନୁସାରେ ସୂତକ କାଳ ସେହିଠାରେ ଦେଖାଯାଏ ଯେଉଁଠି ଗ୍ରହଣ ଦେଖାଯାଏ। ଯେହେତୁ ଅଗଷ୍ଟ ୨୮ରେ ଚନ୍ଦ୍ର ଦିନବେଳା ଭାରତରେ ଦେଖାଯିବେ ନାହିଁ, ତେଣୁ ଏଠାରେ ସୂତକ କାଳ ମାନ୍ୟ ହେବ ନାହିଁ।

ସାଧାରଣତଃ ଚନ୍ଦ୍ରଗ୍ରହଣର ୯ ଘଣ୍ଟା ପୂର୍ବରୁ ସୂତକ ପାଳନ କରାଯାଏ। ହେଲେ ଏଥର ଏହି ନିୟମ ଭାରତରେ ଲାଗୁ ହେବ ନାହିଁ। ଏହି ଦିନ ମନ୍ଦିରଙ୍କ କବାଟ ଖୋଲା ରହିବ ଓ ଦେବନୀତି ଯଥାବିଧି ହେବ। ଖାଇବା ପିଇବା ଓ ଦୈନନ୍ଦିନ କାମ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ। ଏଥର ଚନ୍ଦ୍ର ଗ୍ରହଣ ୨୮ ଅଗଷ୍ଟ ରକ୍ଷାବନ୍ଧନ ଦିନ ପଡୁଛି। ହେଲେ ଗ୍ରହଣ ଭାରତରେ ଦେଖା ଯାଉ ନଥିବାରୁ ରକ୍ଷା ବନ୍ଧନ ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ। ରାକ୍ଷୀ ବାନ୍ଧିବାର ଶୁବ ମୁହୂର୍ତ୍ତରେ ମଧ୍ୟ କୌଣସି ପରିବର୍ତ୍ତନ ହେବ ନାହିଁ।