କୋଲକାତା: ଆସନ୍ତା ୬ ମାସ ଭିତରେ ପଶ୍ଚିମବଙ୍ଗର ୟୁସିସି ଲାଗୁ କରାଯିବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରବିବାର କହିଛନ୍ତି ଯେ ଉତ୍ତରାଖଣ୍ଡ ଏବଂ ଗୁଜରାଟ ପରେ ପଶ୍ଚମବଙ୍ଗରେ ଛଅ ମାସ ଭିତରେ ସମାନ ନାଗରିକ ସଂହିତା ଲାଗୁ କରାଯିବ । ସେ ଏହା ସ୍ପଷ୍ଟ କରିଛନ୍ତି ଯେ ପଶ୍ଚିମବଙ୍ଗରେ ଜବରଦସ୍ତ ଧର୍ମ ପରିବର୍ତ୍ତନ ବିରୋଧରେ ଆଇନକୁ କଠୋର କରାଯିବ ।

ନଭେମ୍ବର ୧୭ରେ କୋଲକାତାରେ ହନୁମାନ ଚାଳିଶା ପାଠ କରାଯିବ । ଏହା ପରେ ଡିସେମ୍ବର ୨୯ରେ କୋଲକାତାର ଐତିହାସିକ ବ୍ରିଗେଡ୍ ପରେ୍ଡ ଗ୍ରାଉଣ୍ଡରେ ଗୀତା ପାଠ କରାଯିବ । ନନ୍ଦିଗ୍ରାମ ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନରେ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ପୂର୍ବତନ ଟିଏମସି ସରକାର ବିଜେପି ନେତାମାନଙ୍କୁ ଫସାଇବା ପାଇଁ ସିଆଇଡିର ଅପବ୍ୟବହାର କରୁଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ ୨୦୨୧ ବିଧାନସଭା ନିର୍ବାଚନ ସମୟରେ ମମତା ବାନାର୍ଜୀ ଗୋଡରେ ଆଘାତ ଲାଗିଥିବା ମିଛ ଦାବି କରିଥିଲେ । ଏହି ଆଧାରରେ ବିଜେପି ନେତାମାନଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଥିଲା ।

ରବିବାର ଶୁଭେନ୍ଦୁ ଅଧିକାରୀ ବିଜେପି ପ୍ରାର୍ଥୀ ହସିରାଣୀ ରଥଙ୍କ ପାଇଁ ପ୍ରଚାର କରି ନନ୍ଦିଗ୍ରାମରେ ଏକ ପଦଯାତ୍ରାର ନେତୃତ୍ୱ ନେଇଥିଲେ । ହସିରାଣୀ ରଥ ହେଉଛନ୍ତି ଶୁଭେନ୍ଦୁ ଅଧିକାରୀଙ୍କ ନିହତ ଘନିଷ୍ଠ ସହଯୋଗୀ ଚନ୍ଦ୍ରନାଥ ରଥଙ୍କ ମାଆ । ଏହି ଅବସରରେ ପୁଣି ଥରେ ମମତା ବାନାର୍ଜୀଙ୍କ ଗୋଡ଼ରେ ଆଘାତ ବିଷୟରେ ପ୍ରଶ୍ନ ଉଠାଇଥିଲେ । ଦିନକ ପୂର୍ବରୁ, ଏକ ସାମ୍ବାଦିକ ସମ୍ମିଳନୀରେ, ମୁଖମନ୍ତ୍ରୀ ଦାବି କରିଥିଲେ ଯେ ମମତା ବାନାର୍ଜୀ ନନ୍ଦୀଗ୍ରାମରେ ୨୦୨୧ ନିର୍ବାଚନ ପ୍ରଚାର ସମୟରେ ଗୋଡ଼ ମାଡ଼ ହେବାର ନାଟକ କରିଥିଲେ । ସେ ଦସ୍ତାବିଜ ରଖି ଦାବି କରିଥିଲେ ଯେ ଏହା ମମତା ବାନାର୍ଜୀଙ୍କ ଡାକ୍ତରୀ ରିପୋର୍ଟ ଏବଂ ଏଥିରେ କୌଣସି ଫ୍ରାକ୍ଚରର ପ୍ରମାଣ ନାହିଁ ।

ଶେଷ ଦିନର ପ୍ରଚାର ସମୟରେ, ସେ କହିଥିଲେ ଯେ ପୂର୍ବ ଟିଏମସି ସରକାର ସମୟରେ ସିଆଇଡି ମିଛ ମାମଲା ଆଧାରରେ ବିଜେପି ନେତାମାନଙ୍କୁ ହଇରାଣ କରିଥିଲା । ସେ ଦାବି କରିଥିଲେ ଯେ ସରକାରୀ କାଗଜପତ୍ରରେ କୌଣସି ଫ୍ୟାକ୍ଚର ନ ଥିଲେ ମଧ୍ୟ ତାଙ୍କ ବିରୁଦ୍ଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଥିଲା । ସେ ସ୍ପଷ୍ଟ କରିଛନ୍ତି ଯେ ଆଦର୍ଶ ଆଚରଣ ସଂହିତା ଉଠାଯିବା ପରେ, ସେ ଆବଶ୍ୟକୀୟ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ । ଯଦି ସତରେ କାହାକୁ ହଇରାଣର କରାଯାଇଛି, ତେବେ ସେମାନଙ୍କୁ ଆଇନଗତ ସୁରକ୍ଷା ମିଳିବ, କିନ୍ତୁ ମିଛ ଅଭିଯୋଗ ଭାରତୀୟ ଦଣ୍ଡ ସଂହିତା ଅନୁଯାୟୀ ଦଣ୍ଡନୀୟ । ସେ ପୀଡିତ ବିଜେପି କର୍ମୀମାନଙ୍କୁ ପୂର୍ଣ୍ଣ ଆଇନଗତ ସହାୟତା ଯୋଗାଇବାକୁ ପ୍ରତିଶ୍ରୁତି ଦେଇଛନ୍ତି ।