କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ବିଜେପି ବିପୁଳ ବିଜୟ ଆଡକୁ ମୁହାଁଇବା ପରେ ରାଜ୍ୟ ପ୍ରଶାସନିକ ତନ୍ତ୍ର ଅଚାନକ ସତର୍କ ହୋଇଉଠିଛି । ରାଜ୍ୟ ସଚିବାଳୟ ‘ନବାନ୍ନ’ ସମେତ ସବୁ ମୁଖ୍ୟ ସରକାରୀ କାର୍ଯ୍ୟାଳୟ ସୁରକ୍ଷା କଡାକଡ଼ି କରି ଦିଆଯାଇଛି। ରାଜ୍ୟର ସରକାରୀ କାର୍ଯ୍ୟାଳୟ ସବୁ ପୋଲିସ ଛାଉଣୀରେ ପରିଣତ ହୋଇଥିବା ବେଳେ ସରକାରୀ କର୍ମଚାରୀଙ୍କ ଗତିବିଦ୍ଧି ଉପରେ ସତର୍କ ନଜର ରଖାଯାଉଛି। ସୂତ୍ର ଅନୁସାରେ ରାଜ୍ୟ ସଚିବାଳୟ ନବାନ୍ନ ଭିତର ଓ ବାହାରକୁ ଅନେକ ସ୍ତରରେ ସୁରକ୍ଷିତ କରାଯାଇଛି। କେନ୍ଦ୍ରୀୟ ବଳ ଜବାନ କେବଳ ପ୍ରବେଶ ଓ ପ୍ରସ୍ଥାନ ବିନ୍ଦୁରେ ମୁତୟନ ରହିଛନ୍ତି ଓ ସଚିବାଳୟ ଭିତରୁ ବାହାରକୁ ଏବଂ ବାହାରୁ ଭିତରକୁ ପ୍ରବେଶ କରୁଥିବା ଅଧିକାରୀ, କର୍ମଚାରୀଙ୍କ ଉପରେ କଡ଼ା ନଜର ରଖିଛନ୍ତି।

ସୁରକ୍ଷା କର୍ମଚାରୀମାନେ ଖାସ କରି କୌଣସି ବ୍ୟକ୍ତି ଯେପରି ଫାଇଲ ଅଥବା ଡକ୍ୟୁମେଣ୍ଟ ବାହାରକୁ ନେଇ ଯାଇ ନ ପାରନ୍ତି ତା ଉପରେ ନଜର ରଖିଛନ୍ତି। ସଚିବାଳୟରେ ଅଚାନକ ଏପରି ସୁରକ୍ଷା ବ୍ୟବସ୍ଥାକୁ ନେଇ ଏବେ ବିଭିନ୍ନ ପ୍ରକାରର ଚର୍ଚ୍ଚା ହେଉଛି। କୁହାଯାଉଛି ନିର୍ବାଚନ ଫଳାଫଳ ଘୋଷଣା ପୂର୍ବରୁ ସମ୍ବେଦନଶୀଳ କାଗଜପତ୍ରର ସୁରକ୍ଷା ସୁନିଶ୍ଚିତ କରିବା ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ଛଡା ଅଧିକାରୀମାନଙ୍କୁ ସତର୍କ ରହିବାକୁ ତଥା କୌଣସି ଅସାଧାରଣ ଗତିବିଦ୍ଧି ଦେଖିଲେ ତୁରନ୍ତ ରିପୋର୍ଟ କରିବାକୁ ମୌଖିକ ରୂପେ ନିର୍ଦ୍ଦେଶ ଦିଆଯାଇଛି।

ନବାନ୍ନ ବ୍ୟତୀତ ରାଜ୍ୟର ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟ ସୁରକ୍ଷା ମଧ୍ୟ କଡ଼ା କଡ଼ି କରାଯାଇଛି। କେତେକ ସ୍ଥାନରେ ଅତିରିକ୍ତ ସିସିଟିଭିରୁ ନିଜର ରଖିବାକୁ ବ୍ୟବସ୍ଥା କରାଯାଇଛି। ରେକର୍ଡ ରୁମ, ଡାଟା ସେଣ୍ଟର ଭଳି ସମ୍ବେଦନଶୀଳ କ୍ଷେତ୍ରକୁ ପ୍ରବେଶ ସୀମିତ କରିଦିଆଯାଇଛି। କର୍ମଚାରୀଙ୍କ ବ୍ୟାଗ୍ ଯାଞ୍ଚ କରାଯାଉଛି ଓ ବିନା ପରିଚୟ ପତ୍ରରେ କାହାରିକୁ କାର୍ଯ୍ୟାଳୟ ଭିତରକୁ ପ୍ରବେଶ ଅନୁମତି ଦିଆଯାଉ ନାହିଁ। ରାଜନୈତିକ ବିଶ୍ଲେଷକଙ୍କ ଅନୁସାରେ ନିର୍ବାଚନ ପରିଣାମ ଘୋଷଣା ପୂର୍ବରୁ ଏଭଳି ସୁରକ୍ଷା ବ୍ୟବସ୍ଥା ଅସାଧାରଣ ନୁହେଁ। ହେଲେ ଏଥର ନିର୍ବାଚନର ଫଳାଫଳ ପ୍ରଶାସନକୁ ଅଧିକ ସତର୍କ କରିଦେଇଛି। ଖାସ କରି ସେହି ସବୁ ବିଭାଗ, ଯେଉଁ ସବୁ ବିଭାଗରେ ନୀତିଗତ ନିଷ୍ପତ୍ତି, ଆର୍ଥିକ ନେଣଦେଣ ଓ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ସମ୍ପର୍କିତ କାଗଜପତ୍ର ରହୁଛି ସେହିସବୁ ସ୍ଥାନରେ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଭଳି କଡ଼ା ସୁରକ୍ଷା ବ୍ୟବସ୍ଥା ନେଇ ଅଧିକାରୀକ ରୂପେ କୌଣସି ବୟାନ ଜାରି କରାଯାଇ ନାହିଁ। ହେଲେ ପ୍ରଶାସନିକ ସୂତ୍ର ଅନୁସାରେ ଏହା ଏକ ସତର୍କତା ପଦକ୍ଷେପ। ଏହା ଦ୍ୱାରା କୌଣସି ପ୍ରକାରର ଅନିୟମିତତା ଓ କାଗଜପତ୍ର ଦୂରୁପଯୋଗକୁ ରୋକା ଯାଇ ପାରିବ।