କୋଲକାତା: ପଶ୍ଚିମବଙ୍ଗରେ ଏପ୍ରିଲ ୨୩ (ଗୁରୁବାର) ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି । ରାଜନୈତିକ ହିଂସା ମଧ୍ୟରେ ମତଦାନ ସରିଛି । ଏହି ସମୟରେ ମତଦାନ କେନ୍ଦ୍ରରେ ଏମିତି ଏକ ଅସ୍ୱାଭାବିକ ଘଟଣା ଘଟିଛି ଯାହା କେହି କେବେ ବିଶ୍ୱାସ ବି କରି ନଥିବେ । ବୁଥ୍ ବାହାରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଦେଖିବାକୁ ମିଳିଛି ହାଇଡ୍ରାମା। ଅନେକ ଦିନର ରାଗକୁ ବୁଥ୍ ବାହାରେ ସୁଝାଇଛି ସ୍ୱାମୀ। ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବୁଥ୍‌ ବାହାରେ ଫେରାର ସ୍ତ୍ରୀକୁ ଧରି ପକାଇଛି ସ୍ବାମୀ । ୫ ଘଣ୍ଟା ଧରି ମତଦାନ କେନ୍ଦ୍ର ଆଗରେ ଅପେକ୍ଷା କରି କରି, ଶେଷରେ ପ୍ରେମିକ ସହ ଫେରାର ସ୍ତ୍ରୀକୁ ଧରିଥିଲା ସ୍ବାମୀ । ଦୀର୍ଘ ୨ ବର୍ଷ ହେଲା ପ୍ରେମିକ ସହ କୁଆଡ଼େ ଚାଲି ଯାଇଥିଲା ସ୍ତ୍ରୀ।  ମତଦାନ କେନ୍ଦ୍ର ଆଗରେ ସ୍ତ୍ରୀକୁ କାବୁ କରିଛି ସ୍ବାମୀ । ଏହି ଘଟଣାରେ ଫଟୋ-ଭିଡିଓ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ଜୋର ଧରିଛି ।

ଗୁରୁବାର ଦିନ ସିଲିଗୁଡ଼ି ଉପଖଣ୍ଡର ମାଟିଗାରା-ନକ୍ସଲବାରି ବିଧାନସଭା କ୍ଷେତ୍ର ଅନ୍ତର୍ଗତ ଫାନସିଡେୱାର ତାରାବାରିର ବୁଥ୍ ନମ୍ବର 25/238 ରେ ଏକ ଉତ୍ତେଜନାପୂର୍ଣ୍ଣ ଘରୋଇ ନାଟକ ଦେଖିବାକୁ ମିଳିଥିଲା । ଜଣେ ବ୍ୟକ୍ତି ଦୁଇ ବର୍ଷ ପୂର୍ବରୁ ଅନ୍ୟ ଜଣେ ପୁରୁଷଙ୍କ ସହିତ ପଳାଇଯାଇଥିବା ତାଙ୍କ ପତ୍ନୀଙ୍କୁ ଧରିବା ପାଇଁ ଘଣ୍ଟା ଘଣ୍ଟା ଧରି ଏକ ପୋଲିଂ ବୁଥ୍ ସାମ୍ନାରେ ଛକି ରହିଥିଲେ । ତାଙ୍କ ସ୍ତ୍ରୀ ଭୋଟ ଦେବାକୁ ଆସିବେ ବୋଲି ସେ ନିଶ୍ଚିତ ଥିଲେ ।

ତାରାବାରି ପ୍ରାଥମିକ ବିଦ୍ୟାଳୟ ସାମ୍ନାରେ ସକାଳୁ ସକାଳୁ ଜଣେ ବ୍ୟକ୍ତି ଚିନ୍ତାଗ୍ରସ୍ତ ଅବସ୍ଥାରେ ଛିଡ଼ା ହୋଇଥିବା ଲୋକେ ଦେଖିଥିଲେ । ସେ କାହା ସହିତ କଥା ହେଉନଥିଲେ କି, ଭୋଟ ଦେବାକୁ ମତଦାନ କେନ୍ଦ୍ର ଭିତରକୁ ଯାଉନଥିଲେ । ମେଘୁଆ ପାଗକୁ, ପ୍ରବଳ ଗରମ । କିନ୍ତୁ ସେ ଗୋଟିଏ ସ୍ଥାନରେ ଏଭଳି ଛିଡ଼ା ହୋଇଥିଲେ, ଯେମିତି ତାଙ୍କ ଆଖି କାହାକୁ ଖୋଜୁଛି। ଅନ୍ୟ ଭୋଟର ବୁଥକୁ ଆସୁଥିଲେ, ଭୋଟ ଦେଇ ଫେରୁଥିଲେ । ହେଲେ ବ୍ୟକ୍ତି ପ୍ରବଳ ଗରମରେ ବି ନିଜ ସ୍ଥାନରୁ ହଲୁନଥିଲେ ।

ଅପରାହ୍ଣ ୨ଟା ବେଳକୁ ଯାହା ଘଟିଲା, କେହି ବିଶ୍ବାସ କରିପାରିଲେ ନାହିଁ । ଜଣେ ମହିଳା ନିଜର ଭୋଟର ସ୍ଲିପ୍ ଏବଂ EPIC କାର୍ଡ ଧରି ବୁଥରେ ପହଞ୍ଚିଲେ। ପୁରୁଷ ଜଣଙ୍କ ତୁରନ୍ତ ଦୌଡ଼ିଗଲେ ଏବଂ ତାଙ୍କ ଉପରେ ଆକ୍ରମଣ କଲେ। ତାଙ୍କ ଭୋଟର କାର୍ଡ ଛଡ଼ାଇ ନେବାକୁ ଚେଷ୍ଟା କଲେ, ତାଙ୍କ କେଶ ଟାଣିଲେ ଏବଂ ପଛରୁ ମହିଳାଙ୍କୁ ଜାବୁଡ଼ି ଧରିଲେ । ଦୁହିଁଙ୍କ ମଧ୍ୟରେ ଏକପ୍ରକାର ସଂଘର୍ଷ ଆରମ୍ଭ ହୋଇଯାଇଥିଲା। ଏହା ଦେଖି ସେଠାରେ ମୁତୟନ ସିଏପିଏଫ ଯବାନମାନେ ଦୌଡ଼ି ଆସିଥିଲେ ଏବଂ ବ୍ୟକ୍ତି କବଳରୁ ମହିଳାଙ୍କୁ ମୁକ୍ତ କରିଥିଲେ । କିନ୍ତୁ ବ୍ୟକ୍ତିଜଣଙ୍କ ଲଗାତାର ମହିଳାଙ୍କୁ ଗାଳିଗୁଲଜ କରିଚାଲିଥିଲେ ।

Also Read: ପ୍ରଧାନମନ୍ତ୍ରୀଙ୍କ ‘ଝାଲମୁଢ଼ି’ର ଜବାବ ‘ଭେଲପୁରୀ’ରେ ଦେବେ କହିଲେ ମମତା ବାନାର୍ଜୀ, ଜାଣନ୍ତୁ ସଂକଳ୍ପ କଲେ କ’ଣ?

ଏହା ପରେ ଜଣାପଡ଼ିଲା ମହିଳା ଜଣଙ୍କ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ । ଯିଏ ୨ ବର୍ଷ ପୂର୍ବରୁ ନିଜ ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ । ତେବେ ବ୍ୟକ୍ତିଜଣଙ୍କ ଜାଣିଥିଲେ ଯେ, ଏସଆଇଆର ପ୍ରକ୍ରିୟା ପରେ ମହିଳା ନିଶ୍ଚିତଭାବରେ ସେହି ବୁଥକୁ ଭୋଟ ଦେବାକୁ ଆସିବେ । ଏସଆଇଆର ପ୍ରକ୍ରିୟା ଭୋଟର ତାଲିକାରୁ ନାଁ କଟିବାର ଭୟ ବଢ଼ିଥିଲା । ଏହି କାରଣରୁ ମହିଳାଜଣଙ୍କ ନିଜର ବୁଥକୁ ଆସିଥିଲେ । ମହିଳାଙ୍କୁ ଭୋଟ ଦେବାକୁ ଅନମୁତି ନମିଳୁ ବୋଲି ବ୍ୟକ୍ତିଜଣଙ୍କ ଦାବି କରିଥିଲେ । ଭୋଟର କାର୍ଡରେ ତାଙ୍କ ନାମ ବାଦ ଦେବା ପରେ ହିଁ, ତାଙ୍କୁ (ମହିଳା) ଭୋଟ ଦେବାକୁ ଅନୁମତି ମିଳୁ ବୋଲି ସେ କହିଥିଲେ । କିନ୍ତୁ ଏଭଳି କରିବାକୁ ମନା କରିଦେଇଥିଲେ ସୁରକ୍ଷା କର୍ମୀ ।

ପ୍ରାୟ ୨୦ ମିନିଟ ଧରି ଆଲୋଚନା ପରେ ମହିଳାଙ୍କୁ ଭୋଟ ଦେବାକୁ ଅନୁମତି ମିଳିଥିଲା । ସେ ମତଦାନ କରିସାରିବା ପରେ ସୁରକ୍ଷା ବଳୟ ଭିତରେ ତାଙ୍କୁ ବାହାରକୁ ନିଆଯାଇଥିଲା। ଏହି ଘଟଣା ପରେ, ମତଦାନ କେନ୍ଦ୍ରରେ ନିୟୋଜିତ ଜଣେ ଅଧିକାରୀ କହୁଛନ୍ତି, ଦୀର୍ଘ ୨୬ ବର୍ଷ ଧରି ଭୋଟିଂ ପ୍ରକ୍ରିୟା ସହ ଜଡ଼ିତ ଥିବା ବେଳେ ଏଭଳି ଘଟଣା କେବେ ଦେଖିନାହିଁ ।