କୋଲକାତା: ପଶ୍ଚିମବଙ୍ଗରେ ବେଆଇନ ଅନୁପ୍ରବେଶକାରୀଙ୍କୁ ନେଇ ସରକାର ଆଭିମୁଖ୍ୟ ଅତ୍ୟନ୍ତ କଠୋର କରିଛନ୍ତି। ମୁଖ୍ୟମନ୍ତ୍ରୀ ସୁଭେନ୍ଦୁ ଅଧିକାରୀ ବୁଧବାର ଏକ ବଡ଼ ବୟାନ ଦେଇ କହିଛନ୍ତି ଯେ, ଯେଉଁମାନଙ୍କ ନାମ ନାଗରିକତ୍ୱ ସଂଶୋଧନ ଆଇନ (CAA) ର ପରିସରଭୁକ୍ତ ନୁହେଁ, ସେମାନଙ୍କୁ ରାଜ୍ୟ ପୋଲିସ ତୁରନ୍ତ ଗିରଫ କରିବ ଏବଂ ଦେଶରୁ ବାହାରକୁ ପଠାଇବା ପ୍ରକ୍ରିୟା ଆରମ୍ଭ କରିବ। ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ ଏହି ନିୟମ ଆଜିଠାରୁ ହିଁ ସମଗ୍ର ରାଜ୍ୟରେ କାର୍ଯ୍ୟକାରୀ ହେଉଛି। ସିଏମ୍ ଅଧିକାରୀଙ୍କ ଏହି ଚେତାବନୀ ପରେ, ଚଳିତ ଭୋଟର ତାଲିକା ଏବଂ CAA ପରିସରରୁ ବାଦ୍ ପଡ଼ିଥିବା ସନ୍ଦେହଜନକ ନାଗରିକଙ୍କ ମଧ୍ୟରେ କମ୍ପନ ସୃଷ୍ଟି ହୋଇଛି।

ପୂର୍ବ ସରକାରଙ୍କ ଯୋଗୁଁ ସୀମା ସୁରକ୍ଷାରେ ସୃଷ୍ଟି ହୋଇଥିଲା ବ୍ୟାଘାତ

ପଶ୍ଚିମବଙ୍ଗରେ ସିଏଏ (CAA) ଏବଂ ଏନଆରସି (NRC) ଲାଗୁ କରିବାକୁ ନେଇ କେନ୍ଦ୍ର ସରକାର ଏବଂ ରାଜ୍ୟର ପୂର୍ବତନ ସରକାରଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ଟଣାଓଟରା ଚାଲିଥିଲା। ପୂର୍ବରୁ କେନ୍ଦ୍ର ସରକାର CAA ନିୟମ ଅଧିସୂଚିତ କରି ବେଆଇନ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ସେତେବେଳର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବଙ୍ଗଳାରେ ଏହାକୁ କୌଣସି ପରିସ୍ଥିତିରେ ଲାଗୁ କରିବାକୁ ଦେବେ ନାହିଁ ବୋଲି ସର୍ବସାଧାରଣରେ ଘୋଷଣା କରିଥିଲେ। ପୂର୍ବ ସରକାର ପ୍ରଶାସନିକ ଡାଟା କେନ୍ଦ୍ର ସହ ସେୟାର ନକରିବା ଏବଂ ପ୍ରକ୍ରିୟାରେ ବିଳମ୍ବ କରିବା ଯୋଗୁଁ ଅନ୍ତର୍ଜାତୀୟ ସୀମା ପରିଚାଳନା ବେଶ ଜଟିଳ ହୋଇପଡ଼ିଥିଲା।

କେନ୍ଦ୍ରୀୟ ଏଜେନ୍ସିକୁ ମିଳୁନଥିଲା ସହଯୋଗ, ଜାତୀୟ ସୁରକ୍ଷା ପ୍ରତି ଥିଲା ବିପଦ

କେବଳ ଅନୁପ୍ରବେଶ ନୁହେଁ, ପୂର୍ବ ସରକାରଙ୍କ ସମୟରେ ରାଜ୍ୟ ପୋଲିସ ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଏବଂ ଅନ୍ୟ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକୁ ସହଯୋଗ କରୁନଥିବା ଅଭିଯୋଗ ହୋଇଛି। ଖଗଡ଼ାଗଡ଼ ବିସ୍ଫୋରଣ କିମ୍ବା ମୋଇନାରେ ହୋଇଥିବା ବୋମା ମାଡ଼ ଭଳି ଆତଙ୍କବାଦୀ କାର୍ଯ୍ୟକଳାପର ତଦନ୍ତ ଭାର ଯେତେବେଳେ କେନ୍ଦ୍ର ସରକାର NIA କୁ ହସ୍ତାନ୍ତର କରିଥିଲେ, ସେତେବେଳେ ସ୍ଥାନୀୟ ପ୍ରଶାସନଠାରୁ ଆବଶ୍ୟକୀୟ ସହଯୋଗ ମିଳିନଥିଲା।

ଏପରିକି ଭୂପତିନଗର ଘଟଣା ଭଳି କେତେକ ସ୍ଥାନରେ କେନ୍ଦ୍ରୀୟ ତଦନ୍ତକାରୀ ଟିମ୍ ଉପରେ ଉତ୍ତ୍ୟକ୍ତ ସ୍ଥାନୀୟ ଭିଡ଼ ଦ୍ୱାରା ଆକ୍ରମଣ ମଧ୍ୟ କରାଯାଇଥିଲା। ଏହି କାରଣରୁ ରାଜ୍ୟରେ ସକ୍ରିୟ ଥିବା ଆତଙ୍କବାଦୀ ମଡ୍ୟୁଲ୍ ଏବଂ ସ୍ଲିପର ସେଲ୍ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବଡ଼ ବାଧା ସୃଷ୍ଟି ହୋଇଥିଲା, ଯାହା ସେତେବେଳେ ଜାତୀୟ ସୁରକ୍ଷା ପ୍ରତି ଏକ ବଡ଼ ବିପଦ ସାଜିଥିଲା। ତେବେ ବର୍ତ୍ତମାନର ସୁଭେନ୍ଦୁ ସରକାର ଏହି ସମସ୍ତ ବେଆଇନ କାର୍ଯ୍ୟକଳାପ ଉପରେ ପୂର୍ଣ୍ଣଚ୍ଛେଦ ପକାଇବାକୁ ଅଣ୍ଟା ଭିଡ଼ିଛନ୍ତି।

‘ଡିଟେକ୍ଟ, ଡିଲିଟ୍ ଏବଂ ଡିପୋର୍ଟ’

ସରକାର ସମଗ୍ର ରାଜ୍ୟରେ ‘ଡିଟେକ୍ଟ, ଡିଲିଟ୍ ଏବଂ ଡିପୋର୍ଟ’ (ଚିହ୍ନଟ, ବାଦ୍ ଏବଂ ବିଦା) ନୀତି କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। ବିଦେଶୀ ନାଗରିକଙ୍କ ଅନୁପ୍ରବେଶ ଓ ସେମାନଙ୍କ ଗତିବିଧିକୁ ନିୟନ୍ତ୍ରଣ କରୁଥିବା କଠୋର ଆଇନଗତ ବ୍ୟବସ୍ଥା ଆଧାରରେ ରାଜ୍ୟରୁ ବେଆଇନ ନାଗରିକଙ୍କୁ ଚିହ୍ନଟ କରି ବାହାର କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

କ’ଣ ରହିଛି ଏହି ଆଇନଗତ ବ୍ୟବସ୍ଥାରେ?

ଏହି ଆଇନର ମୂଳ ଉଦ୍ଦେଶ୍ୟ ଅତ୍ୟନ୍ତ ସ୍ପଷ୍ଟ। କେଉଁ ବିଦେଶୀ ନାଗରିକ ଭାରତକୁ ଆସିବେ, କିପରି ଆସିବେ ଏବଂ ସେମାନଙ୍କ ପ୍ରବେଶ ପାଇଁ କେଉଁ କେଉଁ ଆବଶ୍ୟକୀୟ ଦସ୍ତାବିଜ୍ (Documents) ର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ଭାରତ ସରକାରଙ୍କ ସମସ୍ତ କ୍ଷମତା ଏଥିରେ ବିସ୍ତୃତ ଭାବେ ବର୍ଣ୍ଣନା କରାଯାଇଛି। ନିୟମ ଅନୁଯାୟୀ, କୌଣସି ବି ବିଦେଶୀ ନାଗରିକ ବୈଧ ପାସପୋର୍ଟ ଏବଂ ଭିସା ବିନା ଭାରତୀୟ ସୀମା ମଧ୍ୟରେ ପ୍ରବେଶ କରିପାରିବେ ନାହିଁ।