କୋଲକାତା: ପଶ୍ଚିମବଙ୍ଗ ମାଟିରେ ଫୁଟିଛି ପଦ୍ମ। ପ୍ରଥମ ଥର ଭାରତୀୟ ଜନତା ପାର୍ଟି ଏହି ରାଜ୍ୟରେ ପ୍ରଚଣ୍ଡ ବହୁମତ ଦିଗରେ ଅଗ୍ରସର ହେଉଛି। ଏବେ ବି ଭୋଟ୍ ଗଣତି ଜାରି ରହିଛି। ହେଲେ ଟ୍ରେଣ୍ଡରେ ବିଜେପି ୧୯୪ ସିଟରେ ଆଗୁଆ ରହିଛି। ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ୮୮ ଆସନରେ ଆଗୁଆ ଚାଲିଛି। ଏହି ଗୁରୁତ୍ଵପୂର୍ଣ୍ଣ ସମୟରେ ରାଜ୍ୟରେ ଶାନ୍ତି ଓ ଆଇନ ଶୃଙ୍ଖଳା ବ୍ୟବସ୍ଥା ପାଇଁ ନିର୍ବାଚନ ଆୟୋଗ କଡ଼ା ପଦକ୍ଷେପ ଗ୍ରହଣ କରିଛନ୍ତି।

ବିଜୟ ରାଲି ଉପରେ ତତ୍କାଳ ପ୍ରଭାବରୁ ରୋକ୍

ପଶ୍ଚିମବଙ୍ଗର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ମନୋଜ ଅଗ୍ରଓ୍ଵାଲ ସ୍ପଷ୍ଟ ନିର୍ଦ୍ଦେଶ ଜାରି କରିଛନ୍ତି ଯେ, ସୋମବାର ରାଜ୍ୟରେ କେଉଁଠି ବି ବିଜୟ ଉତ୍ସବ ପାଇଁ ରାଲି କିମ୍ବା ଶୋଭାଯାତ୍ରାକୁ ଅନୁମତି ଦିଆଯିବ ନାହିଁ।

ଜିଲ୍ଲାପାଳଙ୍କୁ କଡ଼ା ନିର୍ଦ୍ଦେଶ

ନିର୍ବାଚନ ଆୟୋଗ ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଏହା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ଆଜି କୌଣସି ବି ବିଜୟୀ ପ୍ରାର୍ଥୀ କିମ୍ବା ପାର୍ଟି ଯେମିତି ରାଲି ବାହାର ନ କରନ୍ତି।

ହିଂସା ରୋକିବାକୁ ପ୍ରୟାସ

ଏହି ନିଷ୍ପତ୍ତି ମୁଖ୍ୟତଃ ନିର୍ବାଚନ ପରେ ସମ୍ଭାବିତ ରାଜନୈତିକ ହିଂସାକୁ ରୋକିବା ପାଇଁ ନିଆଯାଇଛି। ମୁଖ୍ୟ ନିର୍ବାଚନ ଅଧିକାରୀ ସମସ୍ତ ନାଗରିକ ଓ ରାଜନୈତିକ ଦଳଗୁଡ଼ିକୁ ଶାନ୍ତ ରହିବା ଓ ଆଇନ ଶୃଙ୍ଖଳା ବଜାୟ ରଖିବାକୁ ଅପିଲ୍ କରିଛନ୍ତି।

ମଙ୍ଗଳବାର ମିଳିବ ଅନୁମତି, ମାତ୍ର ସର୍ତ୍ତ ସହିତ

ନିର୍ବାଚନ ଆୟୋଗ ବିଜୟ ରାଲି ଉପରେ ସଂପୂର୍ଣ୍ଣ କଟକଣା ଲଗାଇ ନାହାନ୍ତି, ବରଂ ଏହାକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି। ଇସିଓ ମନୋଜ ଅଗ୍ରଓ୍ଵାଲ ସ୍ପଷ୍ଟ କରିଛନ୍ତି ଯେ, ରାଜନୈତିକ ଦଳ ମଙ୍ଗଳବାର ବିଜୟ ଶୋଭାଯାତ୍ରା ଓ ରାଲି ବାହାର କରି ପାରିବେ। କିନ୍ତୁ ଏଥିପାଇଁ ସ୍ଥାନୀୟ ଥାନାରୁ ଆନୁଷ୍ଠାନିକ ଭାବେ ଅନୁମତି ନେବାକୁ ପଡ଼ିବ। ପୋଲିସର ବିନା ଅନୁମତିରେ କୌଣସି ବି ରାଲି ବାହାର କରାଯାଇ ପାରିବ ନାହିଁ।