ନ୍ୟୁୟର୍କ,୨୦|୦୬:ବିଶିଷ୍ଟ ନିବେଶକ ତଥା ବର୍କସାୟାର ହାଥାୱେର ଅଧ୍ୟକ୍ଷ ଓ୍ବାରେନ ବଫେଟ୍ ଜନକଲ୍ୟାଣ ଲାଗି ତାଙ୍କର ୯୯% ସମ୍ପତ୍ତି ଦାନ କରିବେ। ଏହି ସମ୍ପଭିର ମୂଲ୍ୟ ପ୍ରାୟ ୧୦୦ ବିଲିୟନ ଡଲାର ହେବ। ସମ୍ପତ୍ତିକୁ ପରବର୍ତ୍ତୀ ପିଢ଼ିଙ୍କ ଲାଗି ଛାଡି ଯିବା ପରିବର୍ତ୍ତେ ଏହାକୁ ଦାତବ୍ୟ କାମ ଲାଗି ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି ବଫେଟ୍।

ତାଙ୍କର ଏହି ନୀତି ସାମାଜିକ ଉତ୍ତରଦାୟିତ୍ବ, ସ୍ବଚ୍ଛତା ଏବଂ ସୁଯୋଗ ଉପରେ ପର୍ଯ୍ୟବେସିତ। ୨୦୨୪ରେ ସେ ଏକ ବିବୃଭିରେ କହିଥିଲେ, ସେ କୌଣସି ବଂଶଗତ ଐତିହ୍ୟ ରଖିବାକୁ ଆଗ୍ରହୀ ନୁହେଁ । ସମାଜରେ ସକରାତ୍ମକ ପ୍ରଭାବ ଆଣିବା ଦିଗରେ ସମ୍ପତ୍ତିର ଅର୍ଥ ଖର୍ଚ୍ଚ ହେଉ। ସମ୍ପତ୍ତି କୌଣସି ଏକକ ପରିବାରରେ ନ ରହି ସମାଜକୁ ପ୍ରତିଦାନ ଦେବା ଉଦ୍ଦେଶ୍ୟରେ ବ୍ୟବହାର କରାଯାଉ । ମୋ ମୃତ୍ୟୁ ପରେ ଦାତବ୍ୟ ଅନୁଷ୍ଠାନର ଦେଖାରେଖା ପରିବାର ଦାୟାଦ ମାନେ କରିବେ । ଦାତବ୍ୟ କାର୍ଯ୍ୟକ୍ରମକୁ ସେମାନେ ଆଗକୁ ଜାରି ରଖିବେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ବିଗତ କିଛି ଦଶନ୍ଧି ଧରି ଓ୍ବାରେନ ବଫେଟ୍ ବୃହତ ପରିମାଣର ଅର୍ଥ ଦାନ କରିଛନ୍ତି। ଶିକ୍ଷା, ସ୍ବାସ୍ଥ୍ୟ, ଦାରିଦ୍ର୍ୟ ଦୂରୀକରଣ, ସାମାଜିକ ବିକାଶ ଭଳି କ୍ଷେତ୍ରରେ ଏହି ଅର୍ଥ ବିନିଯୋଗ କରାଯାଇଛି।