ନୂଆଦିଲ୍ଲୀ: ଜଣେ କୁନି ପ୍ରଶଂସକ ବିରାଟ କୋହଲିଙ୍କ ଅଟୋଗ୍ରାଫ ନେବାକୁ ଦୀର୍ଘ ସମୟ ଧରି ଛିଡ଼ା ହୋଇଥିଲେ । ହାତରେ ବ୍ୟାଟ ଧରି କୋହଲିଙ୍କ ବାଟକୁ ଅନାଇ ରହିଥିଲେ । ଭାବିଥିଲେ, କୋହଲି ଆସିବେ ଆଉ ତାଙ୍କ ବ୍ୟାଟରେ ଅଟୋଗ୍ରାଫ ଦେବେ । କୋହଲି ଆସିଲେ, କିନ୍ତୁ କୁନି ପିଲାକୁ ନଦେଖି ଚାଲିଗଲେ । ଦୀର୍ଘ ଦିନ ଧରି କୁନି ପିଲାଟି ଦେଖିଥିବା ସ୍ବପ୍ନ, ଆଖି ପିଛୁଳାକେ ମିଳାଇଗଲା । ସେ ତ ଛୋଟ ପିଲା, ନିଜର ଭାବନାକୁ ନିୟନ୍ତ୍ରଣ କରିପାରିଲା ନାହିଁ । ଧରିଥିବା ବ୍ୟାଟକୁ ଫିଙ୍ଗିଦେଲା, କାନ୍ଦି କାନ୍ଦି ଗଡ଼ିଗଲା । ତେବେ ୟୂଥ ଆଇକନ୍ ବିରାଟ କୋହଲି ଏବଂ ତାଙ୍କର ଜଣେ କୁନି ପ୍ରଶଂସକଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବିତର୍କ ସୃଷ୍ଟି କରିଛି ।

ବିରାଟ କୋହଲି ଏବଂ କୁନି ପିଲାର ଆଚରଣକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । କେହି କେହି ପିଲାଟିର ସ୍ଥିତିକୁ ନେଇ ସହାନୁଭୂତି ଦେଖାଇଛନ୍ତି, ଆଉ କେହି ଏଭଳି ସ୍ଥିତି ପିଲାଟିକୁ ନିଜ ଭାବନାକୁ ନିୟନ୍ତ୍ରଣ କରିବାର କଳା ଶିଖାଇବ ବୋଲି ଆଶାବ୍ୟକ୍ତ କରିଛନ୍ତି ।

ଭାଇରାଲ ଭିଡିଓରେ କ’ଣ ଅଛି ?

ଭିଡିଓରେ ଏକ ଛୋଟ ପିଲା ଲାଲ ଟି-ସାର୍ଟ ପିନ୍ଧି ବ୍ୟାଟ୍ ଧରି ବିରାଟ କୋହଲିଙ୍କ ଦସ୍ତଖତ ପାଇଁ ଅପେକ୍ଷା କରି ରହିଛି। କୋହଲି ଚାଲିଯିବା ସମୟରେ, ପିଲାଟି ତାଙ୍କୁ ଡାକୁଥିବା ଦେଖାଯାଉଛି । କିନ୍ତୁ କ୍ରିକେଟର ଅଟକି ନାହାଁନ୍ତି ଏବଂ ଭିତରକୁ ଚାଲିଯାଉଛନ୍ତି। ଏହା ଦେଖି ପିଲାଟି ଅସହାୟ ଭାବରେ କାନ୍ଦୁଛି ଏବଂ ତା’ ବ୍ୟାଟକୁ ତଳେ ଫୋପାଡ଼ି ଦେଉଛି।

ଏହା ଏପରି ଏକ ଭାବପ୍ରବଣ ମୁହୂର୍ତ୍ତ ଯାହାକୁ ସୋସିଆଲ ମିଡିଆ ୟୁଜର୍ସ ଅତିରଞ୍ଜିତ କରି ପ୍ରସାର କରିବାକୁ ଚେଷ୍ଟା କରନ୍ତି । ବିଶେଷକରି ଯେତେବେଳେ ଏଥିରେ କୋହଲିଙ୍କ ପରି ଜଣେ ବିଶିଷ୍ଟ କ୍ରିକେଟର ସାମିଲ ଥାଆନ୍ତି । ଅନଲାଇନରେ ସେୟାର ହୋଇଥିବା ଏହି କ୍ଲିପକୁ ନେଇ ହଜାର ହଜାର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏଠାରେ ଗୋଟିଏ ଛୋଟ ପିଲା, ଯିଏ ନିଜର ଇଚ୍ଛା ପୂରଣ ନହୋଇ ପାରିବାରୁ ଭାବନାକୁ ନିୟନ୍ତ୍ରଣ କରିପାରି ନାହିଁ ।ଅନେକ ଏହାକୁ ନିଜ ପିଲାଦିନ ଏବଂ ତାଙ୍କ ପ୍ରତି ଅଭିଭାବକଙ୍କ ଆଚରଣକୁ କନେକ୍ଟ କରୁଛନ୍ତି ।

ନେଟିଜେନ୍ସଙ୍କ ମତ ଭିନ୍ନ

ଭିଡିଓକୁ ନେଇ ଭିନ୍ନ ପ୍ରତିକ୍ରିୟା ପ୍ରକାଶ ପାଇଛି । ଜଣେ ସେଲିବ୍ରିଟିଙ୍କ ଠାରୁ ଜଣେ ପ୍ରଶଂସକ ବିଶେଷ କିଛି ଚାହେଁନାହିଁ। ଜଣେ ପ୍ରଶଂସକ କେବଳ ତାର ସେଲିବ୍ରିଟିର ଟିକେ ଝଲକ ପାଇବାକୁ ଚାହେଁ, ଅଧିକରୁ ଅଧିକ ଅଟୋଗ୍ରାଫ୍ । ତେଣୁ ପିଲାଟିର ଇମୋସନ୍ ଅନୁଚିତ ନୁହେଁ ବୋଲି ଲୋକେ କହୁଛନ୍ତି । ଅନ୍ୟପଟେ, ଜଣେ ଛୋଟ ପିଲାର ଇମୋସନ୍ ପରିବର୍ତ୍ତନଶୀଳ । ଯଦି ସେ ଇଚ୍ଛା କରିଥିବା ଜିନିଷ ନମିଳେ ସେ ନିଜର ଭାବନାକୁ ନିୟନ୍ତ୍ରଣ କରିପାରେ ନାହିଁ, କାନ୍ଦିବାକୁ ଲାଗେ । ଏଭଳି ପ୍ରତିକ୍ରିୟା ମଧ୍ୟ ସୋସିଆଲ ମିଡିଆରେ ମିଳିଛି । ତେଣୁ କୋହଲିଙ୍କ ଅଟୋଗ୍ରାଫ ନମିଳିବାରୁ କୁନି ପିଲା ଯେଉଁ ପ୍ରତିକ୍ରିୟା ଦେଖାଇଛି ତାହା ବିତର୍କ ବିଷୟ ପାଲଟିଛି ।

 

ଅଭିଭାବକଙ୍କ ପାଇଁ ଶିକ୍ଷା

ସେଲିବ୍ରିଟିଙ୍କ ଠାରୁ ଅଟୋଗ୍ରାଫ୍ ନମିଳିବା ପରେ ଜଣେ କୁନି ପିଲା କାନ୍ଦିବା ଘଟଣାଟି ଛୋଟ ଲାଗିପାରେ, କିନ୍ତୁ ଛୋଟ ପିଲାମାନଙ୍କ ପାଇଁ, ଏହିପରି ମୁହୂର୍ତ୍ତଗୁଡ଼ିକ ବହୁତ ବଡ଼ । ସେମାନେ ଏବେ ବି ଶିଖୁଛନ୍ତି ଯେ, ପ୍ରତ୍ୟେକ ଇଚ୍ଛା ତୁରନ୍ତ ପୂରଣ ହୁଏ ନାହିଁ, ଏବଂ ପ୍ରତ୍ୟେକ ଆଶା କରାଯାଇଥିବା ସାକ୍ଷାତ କଳ୍ପନା ଅନୁଯାୟୀ ପ୍ରକାଶିତ ହୁଏ ନାହିଁ। ଏହିଠାରେ ହିଁ ଗଭୀର ଶିକ୍ଷା ରହିଛି। ନିରାଶାକୁ ଅନୁଭବ କରି କିଭଳି ଏଥିରୁ ମୁକ୍ତି ମିଳିପାରିବ ବା ଏହାକୁ ଛାଡ଼ି ଆଗକୁ ବଢ଼ିହେବ , ଏନେଇ ପିଲାମାନେ ନିଜେ ନିଜକୁ ଶିଖାଇବା ଜରୁରୀ ।କିନ୍ତୁ ପିତାମାତାମାନେ ଏଭଳି ନକରି, ପିଲାଙ୍କୁ ବୁଝାଇବାରେ ସମୟ ଦିଅନ୍ତି । ଅଟୋଗ୍ରାଫ୍ ନମିଳିବା, ଏକ ବନ୍ଦ ଦ୍ୱାର, ବିଳମ୍ବ ପ୍ରତିକ୍ରିୟା, ଏସବୁ ହେଉଛି ପିଲାଙ୍କୁ ସ୍ଥିରତା ଶିଖାଇବାର ଛୋଟ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସୁଯୋଗ।

ଅପସେଟ୍ ବା ନିରାଶ ନହୋଇ ଜଣେ ପିଲା କେବେ ବି ଭାବନାତ୍ମକ ଭାବରେ ଦୃଢ଼ ହୋଇପାରିବ ନାହିଁ । ନିରାଶା ଭିତରେ ବି ବଞ୍ଚିପାରିବାର ଏବଂ ଆଗକୁ ବଢ଼ିବାର ଆଶା ରହିଛି ବୋଲି ଶିଖିବା ଦ୍ବାରା ହିଁ ସେ ଦୃଢ଼ ହୋଇପାରିବ । ତେଣୁ ଏଭଳି ସମୟରେ ସେମାନେ କିଭଳି ନିଜକୁ ଦୃଢ଼ କରିପାରିବେ ଏବଂ ଆଗକୁ ବଢ଼ିବେ ସେନେଇ ମାର୍ଗଦର୍ଶନ କରିବାର ଆବଶ୍ୟକତା ରହିଛି । ତେବେ ଏହି ଭିଡିଓଟି ଏକ celebrity movement ଯେତିକି ନୁହେଁ, ଜଣେ ଛୋଟ ପିଲାକୁ ଭାବପ୍ରବଣତା ଉପରେ ନିୟନ୍ତ୍ରଣ ଆଣିବାର କଳା ଶିଖାଇବା ତାଠାରୁ ଅଧିକ ଜରୁରୀ ।