ପାଟନା ୧୪।୧୧: ବିହାର ବିଧାନସଭା ନିର୍ବାଚନ ଫଳାଫଳ ଆସି ଯାଇଛି। ଏନଡିଏର ହୋଇଥିବା ବିଜୟରେ ମହାଗଠବନ୍ଧନ (ଏମଜିବି) ଉପମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ମୁକେଶ ସାହାଣୀ ପ୍ରତିକ୍ରିୟା ଦେଇଛନ୍ତି। ସାହାଣୀ ବିଜେପି ଓ ଜେଡିୟୁକୁ ବିଜୟ ଲାଗି ଶୁଭେଚ୍ଛା ଜଣାଇଥିବା ବେଳେ ଜନାଦେଶକୁ ଆମେ ସ୍ୱାଗତ କରୁଛୁ ବୋଲି କହିଛନ୍ତି। ସେ କହିଛନ୍ତି ନିର୍ବାଚନର ଦୁଇଟି ଫଳ ଆସିଥାଏ, ଗୋଟିଏ ବିଜୟ ଓ ଅନ୍ୟଟି ପରାଜୟ। ଆମେ ହାରି ଯାଇଛୁ ବୋଲି ସେ କହିଛନ୍ତି।

ଏନଡିଏର ବିଜୟରେ ସାହାଣୀ କହିଛନ୍ତି ଯେ ଆମେ ସ୍ପଷ୍ଟ ଦେଖି ପାରୁଛୁ ନିତିଶ କୁମାରଙ୍କୁ ମହିଳାଙ୍କ ଭୋଟ ମିଳିଲା। ୧୦ ହଜାର ଟଙ୍କା ପାଇଁ ମହିଳା ରାଜ୍ୟରେ ନିତିଶ ଓ ଏନଡିଏକୁ ଭୋଟ କରିଛନ୍ତି। ତେବେ କେବଳ ପଇସା ପାଇଁ ନୁହେଁ ନିତିଶ କୁମାର ରାଜ୍ୟରେ ମହିଳାଙ୍କ ପାଇଁ କାମ ମଧ୍ୟ କରିଛନ୍ତି। ଏଣୁ ଏହାର ପରିଣାମ ଭୋଟରେ ଦେଖାଯାଇଛି। ବିକାଶଶୀଳ ଇନସାନ ପାର୍ଟି (ଭିଆଇପି) ଅଧ୍ୟକ୍ଷ କହିଛନ୍ତି ଯେ ତଥାପି ଆମେ ଲୋକଙ୍କୁ ୧୦୦% ବୁଝେଇବାକୁ ଚେଷ୍ଟା କରିଥିଲୁ। ହେଲେ ନିତିଶ କୁମାରଙ୍କ ଯୋଜନାଗୁଡିକ ଯୋଗୁ ତାଙ୍କୁ ବଡ଼ ବିଜୟ ମିଳିଲା।

ସେ କହିଛନ୍ତି ଯେ ଆମ ମାନଙ୍କ ଦ୍ୱାରା କୌଣସି ଭୁଲ ହୋଇଛି ଏହା ଆମେ ଭାବୁ ନାହୁଁ। ତେବେ ଆମେ ଆମର ପରାଜୟର କାରଣ ମନ୍ଥନ କରିବୁ। ଉଲ୍ଲେଖଯୋଗ୍ୟ ଯେ ନିର୍ବାଚନ ଫଳାଫଳରେ ଏନଡିଏକୁ ସ୍ପଷ୍ଟ ବହୁମତ ମିଳୁଥିବାର ଦେଖାଯାଉଛି। ବିହାର ବିଧାନସଭା ନିର୍ବାଚନରେ ପିଛିଲା ୬୩ ବର୍ଷର ରେକର୍ଡ ଭାଙ୍ଗିଛି। ରାଜ୍ୟର ୬୭% ଭୋଟର ସରକାର ଗଢିବା ପାଇଁ ଭୋଟଗ୍ରହଣ କେନ୍ଦ୍ର ପର୍ଯ୍ୟନ୍ତ ଯାଇଛନ୍ତି। ସ୍ୱାଧୀନଭାରତ ଇତିହାସରେ ଏହାକୁ ସବୁଠୁ ବଡ଼ ଜନମତ ସଂଗ୍ରହ କୁହାଗଲେ କୌଣସି ଅତିଶୋୟକ୍ତି ହେବ ନାହିଁ।

ଏହି ନିର୍ବାଚନରେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ମହିଳାଙ୍କ ଭୋଟଦାନ ପ୍ରତିଶତ। ଏଥିର ବିହାର ନିର୍ବାଚନରେ ୭୧% ମହିଳା ଘରୁ ଗୋଡ କାଢି ଭୋଟଗ୍ରହଣ କେନ୍ଦ୍ରକୁ ପହଞ୍ଚିଥିଲେ। ଏହା ମହିଳାଙ୍କ ମତଦାନରେ ଏକ ନୂଆ ରେକର୍ଡ। ତେବେ ପୁରୁଷ ମତଦାନ ହାର ୧୦% କମିଛି। ଅନ୍ୟପକ୍ଷରେ ରାଜ୍ୟରେ ନିତିଶ କୁମାରଙ୍କ ଦୁଇଦଶନ୍ଧୀର ରାଜନୀତିର ମହିଳା ଶସକ୍ତିକରଣ ଉପରେ ଲଗାତାର ଜୋର ଦିଆଯାଇଛି। କେବଳ ଏତିକି ନୁହେଁ ମହିଳାଙ୍କୁ ଲକ୍ଷ୍ୟ କରି ରାଜ୍ୟରେ ଅନେକ କଲ୍ୟାଣକାରୀ ଯୋଜନା ସରକାର ଲଞ୍ଚ କରିଛନ୍ତି।